ଓଡ଼ିଶାରେ ଜୁନ ୧ ଯାଏଁ ବଢିଲା ଲକଡାଉନ, ପୂର୍ବଠାରୁ ଏହିସବୁ ନିୟମ ହେଲା ଅଧିକ କଡାକଡି, ଜାଣନ୍ତୁ କଣ ଖୋଲା କଣ ବନ୍ଦ

 
ଓଡ଼ିଶାରେ ଜୁନ ୧ ଯାଏଁ ବଢିଲା ଲକଡାଉନ, ପୂର୍ବଠାରୁ ଏହିସବୁ ନିୟମ ହେଲା ଅଧିକ କଡାକଡି, ଜାଣନ୍ତୁ କଣ ଖୋଲା କଣ ବନ୍ଦ

ଯାହା ଆଶା କରାଯାଉଥିଲା ସେଇଆ ଘଟିଲା ରାଜ୍ୟରେ ବଢିଲା କରୋନା ପାଇଁ ଲକଡାଉନ୍। ଓଡିଶାରେ ଆଉ ୧୪ ଦିନ ଅର୍ଥାତ୍ ଜୁନ୍ ୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଯାଏଁ ଲାଗୁ ହେଲା ଲକଡାଉନ୍। ଏ ନେଇ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହି ଘୋଷଣା କରିଛନ୍ତି। ରାଜ୍ୟରେ ପ୍ରତିଦିନ ୧୦ ହଜାର ଉପରେ କରୋନା କେସ୍ ରହିଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି।

ତେବେ ପୂର୍ବ ନିୟମ ଅପେକ୍ଷା ଏଥର ଲକଡାଉନରେ ନିୟମ ଅଧିକ କଡାକଡି କରାଯାଇଛି। ସୋମବାରରୁ ଶୁକ୍ରବାର ଦୈନିକ ସକାଳେ ପନିପରିବା କିଣିବା ପାଇଁ ମିଳୁଥିବା କୋହଳକୁ କମାଇ ଦିଆଯାଇଛି। ଏବେ ସକାଳ ୭ଟାରୁ ୧୧ଟା ଯାଏ ଅତ୍ୟାବଶ୍ୟକ ଜିନିଷ କିଣିବା ପାଇଁ ଲୋକେ ଘର ପାଖ ଦୋକାନକୁ ଯାଇ ପାରିବେ। ଯାହା ପୂର୍ବରୁ ୧୨ଟା ଯାଏଁ ଥିଲା। ବାହାଘରରେ ଏବେ ମାତ୍ର ୨୫ ଜଣ ଯୋଗ ଦେଇ ପାରିବେ। ଭୋଜିଭାତ ହୋଇ ପାରିବ ନାହିଁ। ଆୟୋଜକ ଖାଦ୍ୟ ପାର୍ସଲ କରି ଦେଇପାରିବେ। 

ଏହାଛଡା ପୂର୍ବ ପରି ସପ୍ତାହନ୍ତ ସଟଡାଉନ ଜାରି ରହିବ। ମାଲ୍ ପରିବହନ ଉପରେ କୌଣସି କଟକଣା ରହିବ ନାହିଁ। ପ୍ରଥମ ପର୍ଯ୍ୟାୟ ଲକଡାଉନ୍ ଅପେକ୍ଷା ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନରେ ସରକାରୀ ଓ ବେସରକାରୀ ଅଫିସରେ କର୍ମଚାରୀଙ୍କ ସଂଖ୍ୟା ଆହୁରି କମ୍ ରହିବ। ଲକଡାଉନ୍ ସମୟରେ ଟେଷ୍ଟିଂ ଓ ଟିକାକରଣ ଚାଲିବ। ସମସ୍ତ ସ୍ୱାସ୍ଥ୍ୟସେବା ଅନୁଷ୍ଠାନ ଜାରି ରହିବ। ଚାଲିଚାଲି ପନିପରିବା କିଣିବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି।