ପର ଯୁବତୀ ସହ ପ୍ରେମ ପାଇଁ ନିଜ ଗର୍ଭବତୀ ସ୍ତ୍ରୀକୁ ମାରି କାନ୍ଦିବା ଅଭିନୟ କରୁଥିଲା ରାକ୍ଷସ ସ୍ୱାମୀ, ଜାଣନ୍ତୁ ପୁରା ଘଟଣା
ଗର୍ଭବତୀ ମହିଳାଙ୍କୁ ଗୁଳି କରି ହତ୍ୟା ଘଟଣାର ପର୍ଦାଫାଶ । ଘଟଣାର ମାଷ୍ଟରମାଇଣ୍ଡ ଥିଲେ ସ୍ୱାମୀ ଦେବେନ ବେହେରା ଏବଂ ଏଥିରେ ତାଙ୍କୁ ସହଯୋଗ କରିଥିଲେ ନଣଦେଇ ତଥା ଆଇ.ଆର.ବି ସୁରକ୍ଷାକର୍ମୀ ସତ୍ୟନାରାୟଣ ବେହେରା । ସ୍ୱାମୀଙ୍କ ପରକୀୟା ପ୍ରୀତି ପାଇଁ ବଳିପଡିଥିଲେ ୭ ମାସର ଗର୍ଭବତୀ ପତ୍ନୀ ସୌମ୍ୟIମୟୀ ବେହେରା ।
ଘଟନାନୁସାରେ,ଗତ ଫେବୃଆରୀ ମାସରେ ସୁନ୍ଦରଗଡ଼ ଜିଲ୍ଲା ଟିକାୟତପାଲ୍ଲୀ ଥାନା ଝିର୍ଡ଼ାପାଲ୍ଲୀ ଗାଁର ଦେବେନ ବେହେରା, ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଚଂଳର ପିତାମ୍ବର ବେହେରାଙ୍କ ଝିଅ ସୌମ୍ୟାମୟୀ ବେହେରାଙ୍କୁ ବିବାହ କରିଥିଲେ । ଦେବେନ ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଳକରେ ଗ୍ରାମସେବକ ଭାବରେ ଚାକିରୀ କରୁଥିଲେ । ତେବେ ବିବାହ ପୂର୍ବରୁ ଦେବେନଙ୍କର ରାଉରକେଲାରେ ଅନ୍ୟ ଏକ ଝିଅ ସହିତ ପ୍ରେମ ସମ୍ପର୍କ ରହିଥିଲା ।
ବିବାହ ପୂର୍ବରୁ ଏ ସମ୍ପର୍କରେ ଉକ୍ତ ଝିଅ ସୌମ୍ୟାମୟୀଙ୍କ ପରିବାରକୁ ତାଙ୍କ ସମ୍ପର୍କ ବିଷୟରେ ଜଣାଇଥିଲେ । ହେଲେ ଏହାକୁ ଟାଳି ଦେଇଥିଲେ ଦେବେନ । କିନ୍ତୁ ବିବାହ ପରେ ପରକୀୟା ପ୍ରୀତି ସମ୍ପର୍କକୁ ନେଇ ଦେବେନ ଏବଂ ସୌମ୍ୟାଙ୍କ ମଧ୍ୟରେ ଝଗଡା ଲାଗି ରହୁଥିଲା । ଏହାକୁ ନେଇ ବୁଧବାର ବିଳମ୍ବତ ରାତିରେ ସୌମ୍ୟାମୟୀଙ୍କୁ ଗୁଳି କରି ହତ୍ୟା କରିଥିଲା ଦେବେନ । ଏଥିରେ ତାଙ୍କୁ ସହଯୋଗ କରିଥିଲେ ରାଉରକେଲା କୋର୍ଟରେ ଏଏସଆଇ ଭାବରେ ଚାକିରୀ କରୁଥିବା ଭିଣୋଇ ସତ୍ୟନାରାୟଣ ବେହେରା । ଗୁଳିଟି ତାଙ୍କ ଛାତିରେ ବାମ ପଟେ ଲାଗିବାରୁ ଘଟଣାସ୍ଥଳରେ ସୌମ୍ୟାଙ୍କର ମୃତ୍ୟୁ ଘଟିଥିଲା । ତେବେ ଏହି ଘଟଣାକୁ ମିଛ ନାଟକର ରୂପ ଦେଇଥିଲା ସ୍ୱାମୀ ଦେବେନ । ଲୁଟ୍ ପାଇଁ ଆସିଥିବା ଦୁର୍ବୃତ୍ତମାନେ ତାଙ୍କ ସ୍ତ୍ରୀକୁ ହତ୍ୟା କରିଥିବା ପୁଲିସ୍ରେ ଅଭିଯୋଗ କରିଥିଲା । ଏହି ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।
ଖବର ପାଇବା ପରେ ଟିକାୟତପାଲି ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚିଥିଲା । ହତ୍ୟାକାଣ୍ଡପରେ ପଶ୍ଚିମାଚଂଳ ପୋଲିସ ଡ଼ିଆଇଜି ବ୍ରିଜେଶ ରାଏ ରାଉରକେଲା ଏସ୍ପି ନିତେଶ ଧୱାନୀ ସାଇଣ୍ଟିଫିକ୍ ଟିମ୍ ସହ ପହଞ୍ଚି ଆରମ୍ଭ କରିଥିଲେ ତନାଘନା। କିଏ ଓ କଣ ପାଇଁ ହତ୍ୟା କଲା ତାର ତଦନ୍ତ ଆରମ୍ଭ କରିଥିଲା । ଗୋଟିଏ ପୁଲିସ ଟିମ୍ ଘଟଣା ସ୍ଥଳରେ ଛାନ୍ଭିନ୍ ଆରମ୍ଭ କରିଥିବା ବେଳେ ଅନ୍ୟ ଟିମ୍ ମୃତ ମହିଳାଙ୍କ ସ୍ୱାମୀ ଓ ସମ୍ପର୍କୀୟମାନଙ୍କୁ ପଚରାଉଚରା ଚଳାଇଥିଲା । ଶେଷରେ ସବୁ ନାଟକର ପଡିଥିଲା ଯବନିକା ।
ପୋଲିସ ଏହି ଘଟଣାର ମାଷ୍ଟରମାଇଣ୍ଡ ସ୍ୱାମୀ ଦେବେନ ବେହେରାଙ୍କୁ ଅଟକ ରଖି ଜେରା କରିବାରୁ ସବୁ ସତ ଓଗାଳିଥିଲା ଦେବେନ । ପରକୀୟା ପ୍ରୀତି ପାଇଁ ସେ ସ୍ତ୍ରୀକୁ ରାସ୍ତାରୁ ହଟେଇ ଦେବାକୁ ଚାହୁଁଥିଲେ । ସେଥିପାଇଁ ସ୍ତ୍ରୀଙ୍କୁ ଯୋଜନା ବଦ୍ଧ ବତ୍ୟା କରିଥିଲେ। ଏହା ସହ ତାଙ୍କ ସହଯୋଗ କରିଥିଲେ ଭିଣୋଇ ସତ୍ୟନାରାୟଣ ବେହେରା। ହତ୍ୟାରେ ବ୍ୟବହାର ହୋଇଥିବା ପିସ୍ତଲ ମିଳିଥିଲା ଘରର ଭାତ ହାଣ୍ଡିରୁ ଏହାସହ ୩ଟି ଜୀବନ୍ତ ଗୁଳି, ଗୋଟିଏ ଖୋକା ଏବଂ ଗୋଟିଏ ସ୍କର୍ପିଓ ଜବତ କରିଥିବା ନେଇ ଆଜି ରାଉରକେଲା ଏସପି ଅଫିସ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପଶ୍ଚିମାଞ୍ଚଳ ପୁଲିସ ଡିଆଇଜି ବ୍ରିଜେଶ କୁମାର ରାୟ ଏବଂ ଏସପି ନିତେଶ ୱାଧୱାନୀ ସୂଚନା ଦେଇଛନ୍ତି ।