‘ସୁଭଦ୍ରା’ ଯୋଜନା ର SOP ହେଲା ଜାରି, ୫ ବର୍ଷରେ ମିଳିବ ୫୦ ହଜାର ଟଙ୍କା
ଆସିଲା ‘ସୁଭଦ୍ରା’ ଯୋଜନା ଏସଓପି। ଶନିବାର ଦିନ ବିଧାନସଭା ଗୃହରେ ‘ସୁଭଦ୍ରା’ ଯୋଜନା ଏସଓପି ଘୋଷଣା କଲେ ରାଜ୍ୟ ସରକାର। ଶୁକ୍ରବାର ଦିନ କ୍ୟାବିନେଟରେ ‘ସୁଭଦ୍ରା’ ଯୋଜନା ଏସଓପି ପାରିତ ହୋଇଥିଲା। ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ଓଡ଼ିଶାରେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ ହେବ।
ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ ଏହି ଯୋଜନା ୨୦୨୪-୨୫ ଆର୍ଥିକ ବର୍ଷରୁ ଆରମ୍ଭ ହୋଇ ୨୦୨୮-୨୯ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ଏଥିପାଇଁ ମୋଟ ୫୫ ହଜାର ୮୨୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ଚଳିତ ବର୍ଷ ପାଇଁ ଏହି ଯୋଜନା ଲାଗି ୧୦ ହଜାର କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ‘ସୁଭଦ୍ରା’ ଯୋଜନାରେ ରାଜ୍ୟର ୧ କୋଟିରୁ ଊର୍ଦ୍ଧ୍ଵ ମହିଳା ହିତାଧିକାରୀ ଉପକୃତ ହେବେ।
୨୧ରୁ ୬୦ ବର୍ଷର ମହିଳା ପାଇବେ ‘ସୁଭଦ୍ରା’ ଯୋଜନା ଟଙ୍କା। ବର୍ଷକୁ ଦୁଇଟି ପର୍ଯ୍ୟାୟରେ ୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବେ ରାଜ୍ୟ ସରକାର। ଏହି ଅର୍ଥ ରାକ୍ଷୀ ପୂର୍ଣ୍ଣିମା ଏବଂ ଅନ୍ତର୍ଜାତୀୟ ମହିଳା ଦିବସରେ ପ୍ରଦାନ କରାଯିବ। ୫ ବର୍ଷରେ ମହିଳା ହିତାଧିକାରୀଙ୍କୁ ପର୍ଯ୍ୟାୟ କ୍ରମେ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ।
ଏହି ଟଙ୍କା ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ। ମହିଳା ହିତାଧିକାରୀଙ୍କୁ ‘ସୁଭଦ୍ରା’ ଡେବିଟ୍ କାର୍ଡ ମଧ୍ୟ ପ୍ରଦାନ କରାଯିବ। ସେହିପରି ଡିଜିଟାଲ କାରବାରକୁ ପ୍ରୋତ୍ସାହିତ କରିବା ଲାଗି ରାଜ୍ୟର ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଏବଂ ପୌରାଞ୍ଚଳରେ ସର୍ବାଧିକ ଡିଜିଟାଲ କାରବାର କରିଥିବା ୧୦୦ ଜଣ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ଅତିରିକ୍ତ ୫୦୦ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ।
ଆର୍ଥିକ ସ୍ଵଚ୍ଛଳ ବର୍ଗର ମହିଳା, ସରକାରୀ ଚାକିରୀ କରୁଥିବା ମହିଳା ଏବଂ ଆୟକର ପ୍ରଦାନ କରୁଥିବା ମହିଳାମାନେ ଏହି ଯୋଜନାରେ ସାମିଲ ହୋଇପାରିବେ ନାହିଁ। ଏହା ବ୍ୟତୀତ କୌଣସି ସରକାର ଯୋଜନାରେ ମାସିକ ୧,୫୦୦ ଟଙ୍କା କିମ୍ବା ବାର୍ଷିକ ୧୮ ହଜାରରୁ ଅଧିକ ଆର୍ଥିକ ସହାୟତା ପାଉଥିବା ମହିଳାଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ନାହିଁ।
'ସୁଭଦ୍ରା’ ଯୋଜନାରେ ସାମିଲ ହେବା ପାଇଁ ପ୍ରଥମେ ମହିଳା ହିତାଧିକାରୀଙ୍କୁ ପଞ୍ଜୀକରଣ କରିବାକୁ ପଡ଼ିବ। ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ର ଏବଂ ଜନସେବା କେନ୍ଦ୍ର ଆଦିରେ ମାଗଣାରେ ଉପଲବ୍ଧ ଫର୍ମ ପୂରଣ କରି ଆବେଦନ କରିବାକୁ ହେବ।