ଆମେ ଟପ୍ପର ପିଲାଙ୍କୁ କୋଉ ହିସାବରେ D ଗ୍ରେଡ୍ ଦେଇଛ! ମାଟ୍ରିକ ମାର୍କକୁ ନେଇ ଅସନ୍ତୁଷ୍ଟ ଛାତ୍ରୀଙ୍କ ଆତ୍ମହତ୍ୟା ଧମକ, ଦେଖନ୍ତୁ ଭିଡ଼ିଓ

 
Matric mark

"ସରକାରୀ ସ୍କୁଲର B ଗ୍ରେଡ୍ ରଖୁଥିବା ପିଲା A1 ପାଇଛନ୍ତି, ଆମେ ଏଠି ପଇସା ଦେଇ ବର୍ଷକ ଯାକ ପଢି ପଢି D ଗ୍ରେଡ଼ ପାଇଛୁ। ଆମ ଷ୍ଟାଣ୍ଡାର୍ଡ଼ କଣ D ଗ୍ରେଡ଼?"। ଚଳିତ ବର୍ଷ ପ୍ରକାଶ ପାଇଥିବା ମାଟ୍ରିକ ପରୀକ୍ଷା ଫଳକୁ ନେଇ ଅସନ୍ତୁଷ୍ଟ ଥିବା କିଛି ଛାତ୍ର ଛାତ୍ରୀ କହିଛନ୍ତି ଏପରି କଥା। ଏହି ଘଟଣାରେ ପୁରୀ ଜିଲ୍ଲାର ଏକ ସରସ୍ୱତୀ ଶିଶୁ ମନ୍ଦିରରେ ପଢ଼ୁଥିବା କେତେକ ଛାତ୍ର ଛାତ୍ରୀ ସେମାନଙ୍କର ମାର୍କ କମିଯାଇଥିବା ନେଇ ବିକ୍ଷୋଭ ପ୍ରଦର୍ଶନ କରୁଥିବାର ଚିତ୍ର ସମ୍ନାକୁ ଆସିଛି।  

ଏଠାକାର କିଛି ବିଦ୍ୟାର୍ଥୀ ସେମାନେ ପାଇଥିବା ମାର୍କକୁ ନେଇ ସ୍କୁଲ ସାମ୍ନାରେ ହୋହଲ୍ଲା କରୁଥିବାର ଦେଖିବାକୁ ମିଳିଥିଲା। ଏପରିକି ଜଣେ ଛାତ୍ରୀ ତାଙ୍କର ମାର୍କ ନ ବଢିଲେ ସେ ଆତ୍ମହତ୍ୟା କରିବେ ବୋଲି ମଧ୍ୟ ଧମକ ଦେଉଥିବାର ଦେଖିବାକୁ ମିଳିଛି। ଏବେ ଦେଖନ୍ତୁ କଣ କହୁଛନ୍ତି ଏହି ଛାତ୍ରୀ:-

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷ ବିକଳ୍ପ ମୂଲ୍ୟାୟନ ପ୍ରକ୍ରିୟା ଅନୁଯାଇ ମାଟ୍ରିକ ପରୀକ୍ଷାର୍ଥୀଙ୍କର ନବମ ଶ୍ରେଣୀର ଅର୍ଦ୍ଧବାର୍ଷିକ ଓ ବାର୍ଷିକ ପରୀକ୍ଷା ନମ୍ବର ଏବଂ ଦଶମ ‌ଶ୍ରେଣୀରେ ହୋଇଥିବା ଶେଷ ତିନୋଟି ଅଭ୍ୟାସ ପରୀକ୍ଷାର ମାର୍କ ଭିତ୍ତିରେ ମୂଲ୍ୟାୟନ କରାଯାଇଛି।

ଏଥିସହିତ ଯେଉଁମାନେ ନିଜର ମାର୍କକୁ ନେଇ ଖୁସି ନାହାନ୍ତି ସେମାନେ କୋଭିଡ଼ ଅବସ୍ଥାରେ ସୁଧାର ଆସିବା ପରେ ପୁନଃ ମାଟ୍ରିକ ପରୀକ୍ଷା ଦେଇପାରିବେ ବୋଲି ମଧ୍ୟ ଘୋଷଣା କରାଯାଇଛି। କିନ୍ତୁ ଏହି ଭିଡ଼ିଓରେ ପିଲାମାନେ ଆଉ ଥରେ ପରୀକ୍ଷା ଦେବାକୁ ଅମଙ୍ଗ ହେଉଥିବା ଦେଖିବାକୁ ମିଳିଥିବା ବେଳେ ସେମାନଙ୍କର ୧୦ ରୁ ୧୫ ପ୍ରତିଶତ ମାର୍କ ବୃଦ୍ଧି କରାଯାଉ ବୋଲି ଦାବି କରିଛନ୍ତି।