ବାଲିଯାତ୍ରାରେ ମିଳୁଛି ବାସିଖାଦ୍ୟ, ଲୋକେ ଭେଜ୍ ଖାଦ୍ୟ ଅର୍ଡର କଲେ ସେଥିରୁ ବାହାରୁଛି ଚିକେନ୍, ଜାଣନ୍ତୁ ପୁରା ଖବର
ଐତିହାସିକ କଟକ ବାଲିଯାତ୍ରା ପାଇଁ ଚଳଚଂଚଳ କଟକ ସହର। ଏଥିପାଇଁ ଆକ୍ସନ ମୋଡ଼ରେ ଫୁଡ୍ ସେଫ୍ଟି ଟିମ୍ । କଟକ ବାଲିଯାତ୍ରାରେ କଟକ ମହାନଗର ନିଗମର ଫୁଡ୍ ସେଫ୍ଟି ଟିମ୍ ପକ୍ଷରୁ ଚାଲିଛି ଚଢାଉ । ସକାଳୁ ସକାଳୁ ଖାଦ୍ୟ ଷ୍ଟଲରେ ଅଚାନକ ଚଢାଉ କରାଯାଇଛି । ବାସି ଖାଦ୍ୟ ଗଚ୍ଛିତ ରଖିଥିବା ଅଭିଯୋଗରେ କିଛି ଦୋକାନୀଙ୍କୁ ଫାଇନ ମଧ୍ୟ କରାଯାଇଛି । ନିୟମିତ ବ୍ୟବଧାନରେ ବାଲିଯାତ୍ରା ସରିବା ଯାଏ ଏଭଳି ଯାଞ୍ଚ ଚାଲିବ ବୋଲି କୁହାଯାଇଛି।
କଟକ ବାଲିଯାତ୍ରା ତଳ ପଡିଆରେ ସିଏମସି ସ୍ବାସ୍ଥ୍ୟ ଟିମ୍ ଚଢାଉ କରିଛି । ବାସିଖାଦ୍ୟ ବିକ୍ରି କରିବା ଓ ଖାଦ୍ୟ ଗଚ୍ଛିତ ରଖିବା ନେଇ ଚଢ଼ାଉ କରୁଛି ଟିମ୍ । ଫୁଡ୍ ଷ୍ଟଲରେ ସ୍ବାସ୍ଥ୍ୟ ଟିମ ଚଢ଼ାଉ କରି ବାସି ଖାଦ୍ୟ ନଷ୍ଟ କରିଛି । ବାସି ଖାଦ୍ୟ ଗଚ୍ଛିତ ରଖିଥିବା ଅଭିଯୋଗରେ କିଛି ଦୋକାନୀଙ୍କୁ ଫାଇନ ମଧ୍ୟ କରାଯାଇଛି । ଏଥି ମଧ୍ୟରୁ ପରିଚିତ ଦୁଇ ଯା' ଙ୍କ କାର୍ ଖାନାରେ ମଧ୍ୟ ଚଢାଉ ହୋଇ ଅନେକ ବାସି ଖାଦ୍ୟ ନଷ୍ଟ କରାଯାଇଛି।
ଜଣେ ଗ୍ରାହକ ଅଭିଯୋଗ କରିଛନ୍ତି ଯେ ସେ ୭୦ ଟଙ୍କାର ଭେଜ୍ ଆଳୁଅଷା ଅର୍ଡର୍ କରିଥିଲେ ମଧ୍ୟ ସେଥିରୁ ଚିକେନ୍ ହାଡ଼ ବାହାରିଥିଲା। ଏହାକୁ ଅଭିଯୋଗ କରିବାରୁ ଦୋକାନି ତାଙ୍କୁ ୨୦୦ ଟଙ୍କା ଦେଇ ଚୁପଚାପ୍ ଚାଲିଯିବାକୁ କହିଥିଲେ। ତେବେ ପ୍ରତିଦିନ ବାଲିଯାତ୍ରାକୁ ଲକ୍ଷାଧିକ ଲୋକ ଆସିଥାନ୍ତି।
ତେଣୁ ସମସ୍ତଙ୍କ ସ୍ୱାସ୍ଥ୍ୟକୁ ନଜରରେ ରଖି ସିଏମସି ପ୍ରତିଦିନ ଏହି ଚଢ଼ାଉ ଜାରି ରଖିବ ବୋଲି କୁହାଯାଇଛି । ପୂର୍ବ ବର୍ଷ ବାଲିଯାତ୍ରାରେ କୁଇଣ୍ଟାଲ କୁଇଣ୍ଟାଲ ବାସିଖାଦ୍ୟ ନଷ୍ଟ କରିଛି ସିଏମସି । ତେବେ ଚଳିତବର୍ଷ ମଧ୍ୟ ସମାନ ଭାବରେ ଚଢ଼ାଉ ଜାରି ରଖିଛି ସିଏମସିର ଫୁଡ୍ ସେଫଟି ଟିମ । ଏଥିସହ ବ୍ୟବସାୟୀଙ୍କୁ ବାସିଖାଦ୍ୟ ବିକ୍ରି ନକରିବାକୁ ସଚେତନ କରାଯାଇଛି।