ଆଉ ନାହାଁନ୍ତି ବରିଷ୍ଠ ନେତା ଦାମୋଦର ରାଉତ, ୮୩ ବର୍ଷ ବୟସରେ ପରଲୋକ, ଜାଣନ୍ତୁ କେମିତି ହେଲା ତାଙ୍କ ମୃତ୍ୟୁ

 
Damodar Rout

ବରିଷ୍ଠ ନେତା ଦାମୋଦର ରାଉତଙ୍କ ୮୩ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ହୋଇଛି। ଆଜି ଭୋର ୫ଟା ୨୩ ମିନିଟରେ ଏହି ବର୍ଷୀୟାନ ନେତାଙ୍କ ପରଲୋକ ନେଇ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ଦୀର୍ଘ ଦିନ ଧରି କିଡନୀଜନିତ ସମସ୍ୟା ସହ ଜୁଝୁଥିବା ଦାମୋଦର ରାଉତ ଗତ ୧୮ ତାରିଖ ବିଳମ୍ବିତ ରାତିରେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ ।

Damodar Rout

ଓଡ଼ିଶା ରାଜନୀତି ଇତିହାସରେ ଜଣେ ମହାଦ୍ରୁମ ଥିଲେ ଦାମ ରାଉତ। ୧୯୭୭ ମସିହାରେ ପ୍ରଥମ ଥର ଜନତା ଦଳ ଟିକେଟରେ ନିର୍ବାଚିତ ହୋଇଥିଲେ। ୫ ଥର ଏରସମା ଓ ୨ ଥର ପାରାଦୀପରୁ ନିର୍ବାଚିତ ହୋଇଥିଲେ ଦାମୋଦର ରାଉତ। କୃଷି, ସ୍ବାସ୍ଥ୍ୟ ସହ ୭ରୁ ଅଧିକ ଗୁରୁତ୍ବପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ରହିଥିଲେ। 

ତେବେ ଗୁରୁବାର ଦିନ ବ୍ରେନଡେଡ୍ ଯୋଗୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଯାଇଥିଲା। ସେ ଭୁବନେଶ୍ୱରର କିମ୍‌ସ ହସ୍ପିଟାଲରେ ଲାଇଫ୍ ସପୋର୍ଟ ସିଷ୍ଟମରେ ଥିବା ବେଳେ ତାଙ୍କର ପରଲୋକ ଘଟିଛି।ତେବେ ତିନିମାସ ତଳେ ମଧ୍ୟ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ଅସୁସ୍ଥ ହୋଇପଡିଥିଲେ। ଯକୃତରେ ପାଣି ଜମିଥିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ହସ୍ପିଟାଲକୁ ନେବା ଭିତରେ ବ୍ରେନକୁ ବ୍ଲଡ ଓ ଅକ୍ସିଜେନ୍ ସପ୍ଲାଇ କମିଯାଇଥିଲା ବୋଲି କହିଛନ୍ତି ଦାମ ରାଉତଙ୍କ ପୁଅ ତଥା ବିଧାୟକ ସମ୍ବିତ ରାଉତରାୟ। ଘରୋଇ ହସ୍ପିଟାଲରେ ପହଞ୍ଚିବା ପରେ ତାଙ୍କୁ ସିପିଆର୍ ଦିଆଯାଇଥିଲା ଏବଂ ହାର୍ଟ କାର୍ଯ୍ୟକ୍ଷମ ହୋଇଥିଲା। ତେବେ ମସ୍ତିଷ୍କରେ ଗୁରୁତର କ୍ଷତି ହୋଇଥିବାରୁ ସେ ପ୍ରାୟତଃ ବ୍ରେନଡେଡ୍ ସ୍ଥିତିରେ ବୋଲି କହିଥିଲେ ପୁଅ ସମ୍ବିତ। ଦାମଙ୍କ ଚିକିତ୍ସା ନିମନ୍ତେ ଡାକ୍ତରୀ ଟିମ୍‌ ନିୟୋଜିତ ହୋଇଥିଲେ। ମାତ୍ର ଶତଚେଷ୍ଟା ସତ୍ତ୍ୱେ ସେ ଆଜି ଭୋରରୁ ଆଖି ବୁଜିଥିବା ଜଣାଯାଇଛି।

ଦାମୋଦର ରାଉତ

ଦାମଙ୍କମ ମରଶରୀରକୁ ଆଜି ପ୍ରଥମେ ୟୁନିଟ ୬ସ୍ଥିତ ସରକାରୀ ବାସଭବନକୁ ଯିବ। ଏହାପରେ ତାଙ୍କୁ ବିଜେଡି କାର୍ଯ୍ୟାଳୟକୁ ନିଆଯିବ। ସେଠାରେ ପାର୍ଟି କାର୍ଯ୍ୟକର୍ତ୍ତା ଦାମଙ୍କ ଶେଷ ଦର୍ଶନ କରିବେ। ଏହାପରେ ମରଶରୀରକୁ ବିଧାନସଭାକୁ ନିଆଯିବ। ସେଠାରେ ବିଧାୟକମାନେ ତାଙ୍କ ଶେଷ ଦର୍ଶନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରିବେ। ସେଠାରୁ ଦାମଙ୍କ ମରଶରୀରକୁ ପାରାଦୀପ ନିର୍ବାଚନ ମଣ୍ଡଳୀକୁ ନିଆଯିବ। ଏହାପରେ ରାତିରେ ପୁରୀରେ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି।