ପୁଣି ଫେରିଲା ସବୁ କରୋନା କଟକଣା, କାଲିଠୁ ସାରା ଓଡ଼ିଶାରେ ନାଇଟ କର୍ଫ୍ୟୁ, ଜାଣନ୍ତୁ କଣ ଖୋଲା କଣ ବନ୍ଦ

 
ପୁଣି ଫେରିଲା ସବୁ କରୋନା କଟକଣା, କାଲିଠୁ ସାରା ଓଡ଼ିଶାରେ ନାଇଟ କର୍ଫ୍ୟୁ, ଜାଣନ୍ତୁ କଣ ଖୋଲା କଣ ବନ୍ଦ

ଦେଶରେ ପୁଣି ଫେରିଛି କରୋନା ସଂକ୍ରମଣ। ଗତ କିଛି ଦିନରୁ ଦେଶରେ ୧ ଲକ୍ଷ ଉପରେ ପ୍ରତିଦିନ କରୋନା ମାମଲା ବାହାରୁଥିବା ବେଳେ ରାଜ୍ୟରେ ମଧ୍ୟ ୨ ହଜାର ଉପରେ ରହୁଛି କରୋନା ମାମଲା। ତେବେ ବଢୁଥିବା କରୋନା ସଂକ୍ରମଣ ମାମଲାକୁ ଦେଖି ରାଜ୍ୟ ସରକାର ବଡ ଘୋଷଣା କରିଛନ୍ତି। ଆସନ୍ତାକାଲି ଠାରୁ ଓଡ଼ିଶାର ୨୦ ଜିଲ୍ଲାର ସମସ୍ତ ସହରାଞ୍ଚଳରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ହେବ।

ସମସ୍ତ ସହରାଞ୍ଚଳରେ ରାତ୍ରୀକାଳୀନ କର୍ଫ୍ୟୁ ରାତି ୯ଟାରୁ ସକାଳ ୫ଟା ଯାଏ ଆସନ୍ତାକାଲି ଠାରୁ ଲାଗୁ ହେବ। ଏହାଛଡା ପୂର୍ବରୁ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଥିବା ୧୦ ଜିଲ୍ଲାର କର୍ଫ୍ୟୁ ସମୟରେ ପରିବର୍ତ୍ତନ ହୋଇଛି। ଏହି ୧୦ଟି ଜିଲ୍ଲାରେ ସନ୍ଧ୍ୟା ୬ଟାରୁ ଭୋର୍ ୫ଟା ଯାଏ ନାଇଟ୍ କର୍ଫ୍ୟୁ ଲାଗୁ ହେବ। ଏହାଛଡ଼ା ଛତିଶଗଡ଼ ଓ ଝାଡ଼ଖଣ୍ଡ ସୀମାନ୍ତରେ ଥିବା ଏହି ୧୦ ଜିଲ୍ଲାର ସହରାଞ୍ଚଳରେ ସପ୍ତାହନ୍ତ ସଟଡାଉନ୍ କରାଯିବ।

ପ୍ରତି ଶନିବାର ଓ ରବିବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର, କୋରାପୁଟ, ନବରଙ୍ଗପୁର ଏବଂ ମାଲକାନଗିରିର ସହରାଞ୍ଚଳରେ ୱିକେଣ୍ଡ କର୍ଫ୍ୟୁ ଲାଗୁ ହେବ। ଏହି କଟକଣା ସମୟରେ ଅତ୍ୟାବଶ୍ୟକ ସେବାକୁ ବାଦ ଦିଆଯାଇଛି। କ୍ଷୀର, ଗ୍ରୋସରି, ଡେଲିଭରି, ମେଡିସନ୍‌ ଆଦି ଚାଲୁ ରହିବ। ଏଥିପାଇଁ ସେମାନେ ନିଜର ପରିଚୟ ପତ୍ର ଦେଖାଇବେ। ଏଥିପାଇଁ କୌଣସି ସ୍ବତନ୍ତ୍ର ପରିଚୟ ପତ୍ର ଦରକାର ନାହିଁ।

ନାଇଟ କର୍ଫ୍ୟୁ ସମୟରେ ମାଲ ପରିବହନ ଗାଡ଼ିକୁ ରୋକାଯାଇପାରିବ ନାହିଁ। ସିନେମା ହଲରେ ୫୦ ପ୍ରତିଶତ ଲୋକେ ଆସିପାରିବେ। ମୀନାବଜାରରେ ୨୦୦ ଲୋକେ ସାମିଲ ହୋଇପାରିବେ। ଅପେରାରେ ଏବେ କେବଳ ୧୦୦୦ ଲୋକ ପ୍ରବେଶ କରିବା ସହ ୬ ଫୁଟ୍‌ ଦୂରତା ରକ୍ଷା କରିବେ। ସରକାରୀ ଅଫିସ୍‌ ଏବଂ ବେସରକାରୀ ଅଫିସ୍‌ ଏବେ ୫୦ ପ୍ରତିଶତ କର୍ମଚାରୀରେ ଚାଲିବ।