ନିଆଁ ଜାଳିପାରିଲାନି ସମ୍ପର୍କ, ଲଗ୍ନ ପୂର୍ବରୁ ଝିଅ ଘରର ଜଳିଗଲା ସବୁ ଜିନିଷ, ଦେବଦୂତ ସାଜିଲେ ପୁଅ ଘର ଲୋକେ, ଜାଣନ୍ତୁ ପୁରା ଘଟଣା

 
Bara kanya

ନିଆଁ ସବୁ ସାରିଦେଲା ତଥାପି ହେବ ବାହାଘର। ଲଗ୍ନ ପୂର୍ବରୁ ଜଳିଗଲା ଘର। ସମସ୍ତ ଜିନିଷ ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଘରର ଚିହ୍ନ ନାହିଁ। ସୁନା ଗହଣା ସାଙ୍ଗକୁ ନଗଦ ଟଙ୍କା ବି ଜଳିଯାଇଛି। ଦିନ କେଇଟାରେ ଝିଅର ବାହାଘର ହୋଇଥାନ୍ତା। ଲଗ୍ନ ପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ସରିଥିଲା। ଏଥିପାଇଁ ସୁନା ଗହଣା, ଶାଢ଼ୀ, ପିତ୍ତଳ କଂସା ବାସନ ମଧ୍ୟ କିଣା ସରିଥିଲା। କିନ୍ତୁ ଏ ସର୍ବଗିଳା ନିଆଁ କେଉଁଠିଥିଲା କେଜାଣି ହଠାତ ଘରକୁ ଜାଳି ପୋଡି ପାଉଁଶ କରିଦେଇଛି।

Marriage

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଚାନ୍ଦବାଲି ଅଞ୍ଚଳରେ। ବିଦ୍ୟୁତ୍ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଅଗ୍ନିକାଣ୍ଡରେ ସର୍ବସ୍ୱ ହରାଇବା ପରେ ବି ଝିଅ ଘର ଲୋକଙ୍କ ହାତ ଛାଡ଼ିନାହାନ୍ତି ପୁଅ ଘର ଲୋକେ। ରାତି ଅଧରେ ଆସି ସାହା ହେବା ସହ ନିର୍ଦ୍ଧାରିତ ତାରିଖରେ ବିବାହ ପାଇଁ ବି ପ୍ରତିଶ୍ରୁତି ଦେଇଛନ୍ତି। ବାହାଘର ପାଇଁ କିଣା ଯାଇଥିବା ଗହଣାଗାଣ୍ଠି ଓ ନୂଆ ଲୁଗାପଟା ସବୁ ଜଳି ଯାଇଛି।

ସୂଚନାଯୋଗ୍ୟ, ମଙ୍ଗଳବାର ବିଳମ୍ୱିତ ରାତିରେ ରବୀନ୍ଦ୍ର ରାଉତଙ୍କ ଘରେ ନିଆଁ ଲାଗି ତିନି ବଖରା ଘର ଜଳି ପୋଡି ପାଉଁଶ ହୋଇଯାଇଛି। ନିଆଁ ଲାଗିବା କାରଣରୁ ଘରେ ଥିବା ସମସ୍ତ ଘର କରଣା ସାମଗ୍ରୀ ସହ ଝିଅର ଲଗ୍ନ ପାଇଁ କିଣାଯାଇଥିବା ସୁନା ଅଳଙ୍କାର ସହ ନଗର ପଚାଶ ହଜାର ଟଙ୍କା ଜଳି ଯାଇଛି। ଏହା ସହ ଝିଅ ପାଇଁ କିଣାଯାଇଥିବା କଂସା ଓ ପିତଳ ଜିନିଷ ମଧ୍ୟ ଜଳି ପୋଡି ପାଉଁଶ ହୋଇଯାଇଥିବା ଅଭିଯୋଗ କରିଛନ୍ତି ପରିବାର।

Couple

ନିଆଁ ଲାଗିବା ପରେ ଘରୁ ବାହାଘର ସାମଗ୍ରୀ କଢିବା ସମ୍ଭବ ହୋଇପାରିଲାନାହିଁ। ଦମକଳ ଆସି ନିଆଁକୁ ଆୟତ୍ତ କରିବା ପୂର୍ବରୁ ସବୁ କିଛି ଜଳିପୋଡି ନଷ୍ଟ ହୋଇଯାଇଥିଲା। ଏବେ ପରିବାର ଝିଅର ବାହାଘରକୁ ନେଇ ଚିନ୍ତାରେ ଥିବା ବେଳେ ହାତ ଛାଡ଼ି ନାହାଁନ୍ତି ପୁଅ ଘର ଲୋକ। ରାତି ଅଧରେ ଆସି ସାହା ହେବା ସହ ନିର୍ଦ୍ଧାରିତ ତାରିଖରେ ବିବାହ ପାଇଁ ବି ପ୍ରତିଶ୍ରୁତି ଦେଇଛନ୍ତି।

ଦାଦନ ଖଟିବାକୁ ଯାଇ ଝିଅର ବାପା ଯାହା କିଛି ସଞ୍ଚୟ କରିଥିଲେ ସବୁ ଚାଲିଗଲା ନିଆଁ ଆଁରେ। କେବଳ ପିନ୍ଧା ବସ୍ତ୍ରକୁ ଛାଡ଼ିଦେଲେ ଚାଉଳ ମୁଠେ ବି ରକ୍ଷା କରି ପାରିନାହାନ୍ତି। ଏବେ ବଡ଼ କଷ୍ଟରେ ଚଳୁଛନ୍ତି ପରିବାର। ତଥାପି ପୁଅ ଘର ଲୋକେ ନିର୍ଦ୍ଧାରିତ ତାରିଖରେ ବିବାହ ପାଇଁ ରାଜି ଅଛନ୍ତି। ଆଉ ବିପଦ ବେଳର ବନ୍ଧୁଟିଏ ପାଇ ରବୀନ୍ଦ୍ର ଓ ତାଙ୍କ ପରିବାର ଲୋକେ ନିଜକୁ ଭାଗ୍ୟବାନ ବୋଲି କହିଛନ୍ତି।