ମାସକ ପରେ ନବବଧୂ ସାଜିଥାନ୍ତେ ରଶ୍ମିତା, ହେଲେ ରାତିକ ଭିତରେ ସବୁ ହୋଇଗଲା ଓଲଟପାଲଟ, ଜାଣନ୍ତୁ ପୁରା ଘଟଣା
ଜଟଣୀ ଥାନା ଅନ୍ତର୍ଗତ ସୀତାରାମ ଛକ ସ୍ଥିତ ଗେଷ୍ଟ ହାଉସ୍ରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୁଲିସ। ମୃତ ଯୁବତୀ ହେଲେ ରଶ୍ମିତା ଏଡଲା। ତେବେ ଗତକାଲି ଅପରାହ୍ନରେ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁ ସ୍ମୃତିରଞ୍ଜନ ଜେନା ହୋଟେଲ ବୁକ୍ କରି ରହିଥିଲେ। ରାତି ୧୦ଟା ସମୟରେ ସ୍ମୃତିରଞ୍ଜନ ହୋଟେଲରୁ ବାହାରି ଖାଇବା ଆଣିବାକୁ ଯାଉଛି କହି ଆଉ ଫେରିନଥିଲେ।
ସୂଚନାନୁଯାୟୀ, ଜଟଣୀ ସୀତାରାମ ଛକ ସ୍ଥିତ କାହ୍ନୁ ଗେଷ୍ଟ ହାଉସକୁ ଗତ ରବିବାର ଅପରାହ୍ନରେ ଜଣେ ଯୁବତୀ ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କ ସହିତ ରହିବା ପାଇଁ ଆସିଥିଲେ। ଉଭୟ ସ୍ୱାମୀ ଏବଂ ସ୍ତ୍ରୀର ପରିଚୟ ଦେଇ ରୁମ୍ ବୁକ୍ କରିଥିଲେ। ଲଜ୍ କର୍ମଚାରୀ ନିୟମ ଅନୁଯାୟୀ ପରିଚୟ ପାଇବା ପରେ ଉଭୟ ଯୁବତୀ ଏବଂ ଯୁବକଙ୍କୁ ରହିବା ପାଇଁ ୧୧୩ ନମ୍ବର ରୁମ୍ ଚାବି ଦେଇଥିଲେ। ତେବେ ରବିବାର ରାତି ପ୍ରାୟ ୧୧ଟାରେ ପୁରୁଷ ବନ୍ଧୁ ଜଣକ ବାହାରୁ ଖାଇବା ଆଣିବା ପାଇଁ ଯାଇଥିଲେ। ହେଲେ ଆଉ ଲଜକୁ ଫେରିନଥିଲେ।
ରୁମ ଭିତର ପାଖରୁ ବନ୍ଦ ଥିଲା। ସଫା କରିବା ପାଇଁ କବାଟ ବଡେଇ ଡାକିବାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ କବାଟ ଖୋଲି ନଥିଲା। କୌଣସି ଅଘଟଣର ଆଶଙ୍କା କରି ଲଜ ମାଲିକ ଜଟଣୀ ଥାନାକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଝରକାରେ ଯୁବତୀ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲେ। ତେବେ ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ମୃତଦେହ ସେହଭଳି ଝୁଲନ୍ତା ଅବସ୍ଥାରେ ଥିବା ବେଳେ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିନଥିବା ସୂଚନା ମିଳିଛି।
ଅନ୍ୟପଟେ ହୋଟେଲରୁ ଯୁବତୀଙ୍କ ମୃତଦେହ ମିଳିବା ଘଟଣାକୁ ନେଇ ପୁଲିସ ସନ୍ଦେହ ଘେରରେ ଥିବା ବେଳେ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କ ମୋବାଇଲ ଟ୍ରାକିଂ କରି ଭୁବନେଶ୍ବରେ ଥିବା ଜାଣିବାକୁ ପାଇଛି। ଖବର ପାଇ ମୃତ ଯୁବତୀଙ୍କ ସାନ ଭାଇ, ଭିଣୋଇ ଏବଂ ସମ୍ପର୍କୀୟମାନେ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ଏ ନେଇ ମୃତ ଯୁବତୀଙ୍କ ପରିବାର ପକ୍ଷରୁ ଜଟଣୀ ଥାନାରେ ଲିଖିତ ଅଭିଯୋଗ କରାଯାଇଛି।