୬ ଭଉଣୀଙ୍କ ଗୋଟିଏ ଭାଇ ମାଟ୍ରିକ ରେଜଲ୍ଟ ଦେଖି ଜୀବନ ହାରିଦେଲା, ଭାଇକୁ ନପାଇ କାନ୍ଦୁଛି ପରିବାର, ଜାଣନ୍ତୁ ପୁରା ଘଟଣା

 
Matric result

ଗତ ସୋମବାର ଦିନ ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ। ଅନେକ ଛାତ୍ରଛାତ୍ରୀ ଭଲ ନମ୍ବର ରଖି ପାସ୍ କରିଥିବା ବେଳେ କେତେକ ଛାତ୍ରଛାତ୍ରୀ କମ୍ ନମ୍ବର ରଖି ନିରାଶ ହୋଇଛନ୍ତି। ତେବେ ମାଟ୍ରିକ ରେଜଲ୍ଟ ପରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ମୂଳବସନ୍ତ ପଞ୍ଚାୟତ ଗୁଣୁପୁର ଗ୍ରାମରେ। ମାଟ୍ରିକ୍‌ ପରୀକ୍ଷାରେ ଆଶାନୁରୂପ ଫଳାଫଳ ନ ମିଳିବାରୁ କୀଟନାଶକ ପିଇ ଜଣେ ଛାତ୍ର ଆତ୍ମହତ୍ୟା କରି ଜୀବନ ହାରିଛନ୍ତି।

Student

ମୃତ ଛାତ୍ର ଜଣକ ହେଲେ, ଗୁଣୁପୁର ଗ୍ରାମର ରମେଶ ସାହୁଙ୍କ ପୁଅ ରୀତେଶ ସାହୁ(୧୫)। ଏହି ଘଟଣା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ମାଟ୍ରିକ୍‌ ପରୀକ୍ଷା ଦେଇଥିବା ମେଧାବୀ ଛାତ୍ର ଗୁଣୁପୁର ଗ୍ରାମର ରୀତେଶ ସାହୁ ଭଲ ନମ୍ବର ରଖିବେ ବୋଲି ଆଶାବାଦୀ ଥିଲେ। ମାତ୍ର ସେ ୨୬୩ ନମ୍ବର ରଖିଥିବା ଜାଣିବାକୁ ପାଇ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲେ। ଏହାପରେ ରୀତେଶ ଦିନ ପ୍ରାୟ ୧୧ଟାରେ କାହାରିକୁ ନ ଜଣାଇ ଏକ ଦୋକାନରୁ ବିରି ଫସଲରେ ପକାଇବାକୁ କହି କୀଟନାଶକ ଔଷଧ କିଣିଥିଲେ। 

ଅପରାହ୍ନ ପ୍ରାୟ ୪ଟାରେ ସେ କୀଟନାଶକ ଔଷଧ ଥଣ୍ଡା ପାନୀୟରେ ମିଶାଇ ପିଇ ଦେଇଥିଲେ। ଏ ସମ୍ପର୍କରେ ପରିବାରବର୍ଗ ଜାଣିବା ପରେ ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି।

ରୀତେଶ ୬ ଭଉଣୀରେ ଏକମାତ୍ର ଭାଇ ଥିଲେ। ତାଙ୍କ ବିୟୋଗରେ ପରିବାର ଓ ସମ୍ପର୍କୀୟ ଭାଙ୍ଗି ପଡ଼ିଛନ୍ତି। ଆଜି ତାଙ୍କ ମରଶରୀର କଟକରୁ ଅଣାଯିବା ପରେ କଲ୍ୟାଣପୁର ଛକରେ ତାଙ୍କର ଆତ୍ମୀୟସ୍ବଜନ, ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଶୋଭାଯାତ୍ରାରେ ମରଶରୀରକୁ ଗ୍ରାମ ଶ୍ମଶାନକୁ ନେଇ ସତ୍କାର କରିଛନ୍ତି।