ନୂଆବର୍ଷରେ ବୁଲିବାକୁ ଯାଆନ୍ତୁ ଓଡ଼ିଶାର ଏହି ୫ଟି ଜଳପ୍ରପାତକୁ, ପ୍ରକୃତି ସହ ପାଇବେ ବୁଲିବା ଓ ପିକନିକ୍ ର‌ ମଜା

 
Odisha waterfalls

ଚାଲିଛି ଶୀତ ଋତୁ। ଶୀତ ଋତୁରେ ନୂଆନୂଆ ପର୍ଯ୍ୟଟନସ୍ଥଳ ବୁଲିଯିବା ସହ ବଣ ଭୋଜି କରିବାକୁ ସମସ୍ତେ ଭଲ ପାଆନ୍ତି। ଥଣ୍ଡା ପାଗରେ ବୁଲିବାର ମଜା ନିଆରା। ଯଦି ଝରଣା, ପାହାଡ ଓ ଘଞ୍ଚ ଜଙ୍ଗଲରେ ପିକନିକ୍ ହୁଏ ତେବେ କଥା ସରିଲା। ପ୍ରାକୃତିକ ଶୋଭାରାଜିକୁ ଭଲ କରି ଉପଭୋଗ କରିବା ସହ ନିଜକୁ ହଜାଇ ଦେବାକୁ ସମସ୍ତେ ଭଲ ପାଉଛନ୍ତି। ଆମ ଓଡ଼ିଶାରେ ରହିଛି ଅନେକ ଜଳପ୍ରପାତ ଯାହା ମଧ୍ୟରୁ ଆଜି ଆମେ ୫ଟି ଏମିତି ଜଳ ପ୍ରପାତ ବିଷୟରେ‌ କହିବୁ ଯାହା ଆପଣଙ୍କୁ ନିଶ୍ଚୟ ପସନ୍ଦ ଆସିବ। ନୂଆବର୍ଷରେ ନିଜର ବ୍ୟସ୍ତବହୁଳ ଜୀବନରୁ ବିରତି ନେଇ ଥରେ ନିଶ୍ଚୟ ଏଠାକୁ ବୁଲିବାକୁ ଆସନ୍ତୁ। ସାମୟିକ ବିରତି ପାଇଁ ଏହି ସ୍ଥାନ ଗୁଡିକ ଅତ୍ୟନ୍ତ ମନୋରମା ଅଟେ।

Gundicha Ghagi Waterfall

୧) ଗୁଣ୍ଡିଚାଘାଗି ଜଳପ୍ରପାତ: ଗୁଣ୍ଡିଚାଘାଗି ଜଳପ୍ରପାତ ସବୁଜ ବନାନୀ ପରିବେଷ୍ଟିତ ରମଣୀୟ ପ୍ରକୃତି କୋଳରେ ଅବସ୍ଥିତ । ମୁସଳନଦୀରୁ ପର୍ଜ୍ୟାନୁକ୍ରମେ ୫୦ ଫୁଟ ତଳକୁ ପଡୁଥିବା ଛୋଟ ଛୋଟ ଜଳପ୍ରପାତର ସମାହାର ଗୁଣ୍ଡିଚାଘାଗି ଜଳପ୍ରପାତ । ଏହାର ଆକର୍ଷଣୀୟ ଗର୍ଜନ ଏବଂ ଜଳକଣାର ଧୂସର ପରିବେଶ ପର୍ଯ୍ୟଟକଙ୍କୁ ଅପାର ଆନନ୍ଦ ପ୍ରଦାନ କରେ । ଏହାର ରୂପଶୋଭା ଠିକ୍ ରଜତ ଫୁଲମାଳ ପରି । ଏହି ସୌନ୍ଦର୍ଜ୍ୟମୟ ବଣଭୋଜି କ୍ଷେତ୍ର ବାସ୍ତବରେ ପ୍ରକୃତି ପ୍ରେମୀଙ୍କ ପାଇଁ ସ୍ଵର୍ଗ ଏବଂ ଅବିସ୍ମରଣୀୟ ସ୍ମୃତି ସ୍ତବକ । ଏହି ଜଳପ୍ରପାତ କେନ୍ଦୁଝର ଘଟଗାଁ ଠାରୁ ମାତ୍ର ୧୨ କି:ମି ଦୂରରେ ଅବସ୍ଥିତ ।

Kaijoda Waterfall

୨) କାଇଯୋଡା ଜଳପ୍ରପାତ: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା କେନ୍ଦୁଝର ଜିଲ୍ଲା । ଯେଉଁଠି ପ୍ରକୃତି ଅଜାଡି ଦେଇଛି ତା'ର ସବୁ କାରିଗରୀ। ସେହିଭଳି ଏକ ସ୍ଥାନ ହେଉଛି ଜିଲ୍ଲାର କାଇଯୋଡା ଜଳପ୍ରପାତ। ଏହି ଜଳପ୍ରପାତ ଦେଖିବା ପାଇଁ କାହିଁ କେତେଦୂରରୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ କେନ୍ଦୁଝର ଜିଲ୍ଲାକୁ । ପ୍ରାୟ ୧୫୦ ଫୁଟ ଉଚ୍ଚରୁ ଏହି ଜଳପ୍ରପାତର ଜଳ ବର୍ଷ ତମାମ କଳ କଳ ନାଦ କରି ବହି ଚାଲିଛି । ଦୂରରୁ ଏହି ଜଳପ୍ରପାତ ଦେଖିବାକୁ ଯେତିକି ମନୋରମ ନିକଟରୁ ଏହାର ସୌନ୍ଦର୍ଯ୍ୟରେ ଅଭିଭୂତ ହେଉଛନ୍ତି ପର୍ଯ୍ୟଟକ। କେନ୍ଦୁଝର ସଦର ମହକୁମାରୁ ଭାୟା ପଳାଶପଙ୍ଗା ଦେଇ ୫୦ କିମି ତଥା ଭାୟା ବାଂଶପାଳ ଦେଇ ୭୦ କିମ ଗଲେ କାଇଯୋଡା ପାହାଡର ଶାନ୍ତ ସବୁଜିମା ପରିବେଶ ମଧ୍ୟରେ ପାହାଡ କୋଳରେ ଶୋଭା ପାଉଛି ଏହି ଜଳ ପ୍ରପାତ ।

Gudguda Waterfall

୩) ଗୁଦଗୁଦା ଜଳପ୍ରପାତ: ପ୍ରକୃତି କୋଳରେ ପାହାଡର ଛାତି ଚିରି ପ୍ରସିଦ୍ଧି ପାଇଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ନିକଟରେ ଥିବା ଗୁଦଗୁଦା ଜଳପ୍ରପାତ । ଘଞ୍ଚ ବନାନୀରେ ପରିପୂର୍ଣ୍ଣ । ଜଳପ୍ରପାତର କୁଳୁକୁଳୁ ନାଦ ସାଙ୍ଗକୁ ପକ୍ଷୀଙ୍କ କାକଳି କାହାକୁ ବି ବିମୋହିତ କରିଦେବ । ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଏହି ଜଳପ୍ରପାତ  ଖଜୁରିଆ ରିଜର୍ଭ ଜଙ୍ଗଲ ମଧ୍ୟରେ ରହିଛି । ସୁଉଚ୍ଚ ପାହଡରୁ ପଥର ଉପରେ କଚାଡି ହୋଇ ପଡୁଥିବା ଝରଣାର ଶବ୍ଦ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି । ଗୁଦଗୁଦାଜଳ ପ୍ରପାତରେ ୭ଟି କୁଣ୍ଡ ଥିବାରୁ ଏହାକୁ ସପ୍ତଗଙ୍ଗା ମଧ୍ୟ କହନ୍ତି । ଜଳ ପ୍ରପାତର ୭ ଟି କୁଣ୍ଡ ମଧ୍ୟରୁ ତିନୋଟି  ଦେଖାଯାଉଥିବା ବେଲେ ୪ଟି ଦେଖାଯାଏନାହିଁ ।

Gandahathi Waterfall

୪) ଗଣ୍ଡାହାତୀ ଜଳପ୍ରପାତ: ଗଜପତି ଜିଲ୍ଲା ରାୟଗଡା ଅନ୍ତର୍ଗତ ଗଣ୍ଡାହାତୀ ଜଳପ୍ରପାତ। ସୌନ୍ଦର୍ଯ୍ୟ ଓ ଇତିହାସରେ ଭରା ଏହି ଜଳପ୍ରପାତ ଜିଲ୍ଲାର ଅନ୍ୟତମ ପ୍ରମୁଖ ଆକର୍ଷଣ। ଜଳପ୍ରପାତର କୁଳୁକୁଳୁ ନାଦ ପର୍ଯ୍ୟଟଙ୍କ ମନକୁ ଆନନ୍ଦିତ କରିଥାଏ । ବୁଲାବୁଲି ସାଙ୍ଗକୁ ଛୋଟ ଛୁଆଙ୍କ ପାଇଁ ଏଠାରେ ରହିଛି ଦୋଳିର ବ୍ୟବସ୍ଥା । ଏହାସହ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିଥାନ୍ତି ପର୍ଯ୍ୟଟକ । ଏଠାରେ ଲୋକେ ଜଙ୍ଗଲରେ ବୁଲିବା ସହ ଏଠାକାର ଜଳ ପ୍ରପାତରେ ଗାଧୋଇବା ଏବଂ ସ୍ମୃତିକୁ ନିଜ କ୍ୟାମେରାରେ ଧରି ରଖିବାର ମଜା ନେବା ପାଇଁ ପର୍ଯ୍ୟଟକମାନେ କୌଣସି ମଉକା ଛାଡନ୍ତି ନାହିଁ । ଜିଲ୍ଳା ସଦର ମହକୁମା ପାରଳାଖେମୁଣ୍ଡି ଠାରୁ ପ୍ରାୟ ୨୮କିମି ଦୂରତାରେ ଅବସ୍ଥିତ ଏହି ପର୍ଯ୍ୟଟନସ୍ଥଳୀ ।

Putudi Waterfall

୫) ପୁତୁଡି ଜଳପ୍ରପାତ: କନ୍ଧମାଳ ଜିଲା ଫୁଲବାଣୀ ସହରଠାରୁ ୧୫ କି.ମି. ଦୂରରେ ରହିଛି ପୁତୁଡି ଜଳପ୍ରପାତ। ଏଠାରେ ପ୍ରାୟ ୩୦ ଫୁଟ ଉପରୁ ପାଣି ପଡୁଛି। ଏହି ଜଳପ୍ରପାତର ସୌନ୍ଦର୍ଯ୍ୟ ଉପଭୋଗ କରିବା ଲାଗି ବର୍ଷର ବିଭିନ୍ନ ସମୟରେ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଜମେ। ଏହା ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଛି। ଏହି ଜଳପ୍ରପାତର ପାଣି ବାବା ସାଲୁକି ନଦୀରେ ମିଶିଛି।