ଗ୍ରୀନ୍ ଜୋନ୍ କୁ ଫେରିଲେଣି ୯ ଜିଲ୍ଲା, ରାଜ୍ୟରେ କରୋନା କମୁଥିବାରୁ ରଜପରେ ଆରମ୍ଭ ହେବ ଅନଲକ୍ ପ୍ରକ୍ରିୟା, ଜାଣନ୍ତୁ କେଉଁ ଜିଲ୍ଲା

 
Odisha unlock

ଦୀର୍ଘ ଦୁଇମାସ ଧରି ଓଡ଼ିଶାରେ କରୋନାର ଦ୍ଵିତୀୟ ଲହର ପ୍ରଭାବ ବିସ୍ତାର କରିବା ପରେ ବର୍ତ୍ତମାନ ରାଜ୍ୟରେ ସଂକ୍ରମଣ ହାର କମିବାରେ ଲାଗିଛି। ପୂର୍ବରୁ ବଢ଼ୁଥିବା ସଂକ୍ରମଣ ହେତୁ ରାଜ୍ୟରେ ଲାଗିଥିବା ଲକଡାଉନ କୁ ପ୍ରତ୍ୟାହାର କରିବାକୁ ନେଇ ବିଚାର କରୁଛନ୍ତି ରାଜ୍ୟ ସରକାର।

ଜୁନ୍‌ ୯ ତାରିଖରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ରିପୋର୍ଟ ଅନୁଯାଇ, ଓଡ଼ିଶାର ୧୫ ଜିଲ୍ଲାରେ ଦୈନିକ ସଂକ୍ରମଣ ହାର ୭.୫ ପ୍ରତିଶତଠାରୁ ମଧ୍ୟ କମ ରହିଛି। ଏଥିମଧ୍ୟରୁ ୯ ଜିଲ୍ଲାର ସଂକ୍ରମଣ ହାର ୫ ପ୍ରତିଶତରୁ ବି କମ ଅଛି। ତେଣୁ ଏହି ଜିଲ୍ଲା ଗୁଡିକରେ ଅନଲକ୍ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଚିନ୍ତା କରୁଛନ୍ତି ରାଜ୍ୟ ସରକାର। 

ରାଜ୍ୟରେ ବର୍ତ୍ତମାନ ଦୈନିକ ସଂକ୍ରମଣ ହାର ୮.୭୫ ପ୍ରତିଶତ ରହିଛି। ଝାରସୁଗୁଡ଼ା ଜିଲ୍ଲାରେ ସବୁଠାରୁ କମ ସଂକ୍ରମଣ ହାର ଯଥା ମାତ୍ର ୧.୫୯% ରହିଛି। ସେହିପରି ନୂଆପଡ଼ାରେ ୨.୧୧%, ଗଞ୍ଜାମରେ ୨.୭%, ସୋନପୁରରେ ୩.୯୫%, ବଲାଙ୍ଗିରରେ ୩.୫୩%, ଦେବଗଡ଼ରେ ୩.୯୯%, କଳାହାଣ୍ଡିରେ ୪.୦୧%, ବରଗଡ଼ରେ ୪.୩୧% ଓ ସମ୍ବଲପୁରରେ ୪.୩୪ ପ୍ରତିଶତ ସଂକ୍ରମଣ ହାର ରହିଛି। ଏଠାରେ ସଂକ୍ରମଣ ୫ ପ୍ରତିଶତ ଠାରୁ ତଳେ ଥିବାରୁ ଏସବୁ ଜିଲ୍ଲା ଏବେ ଗ୍ରୀନ୍‌ ଜୋନରେ ରହିଛି।

ସେହିପରି କନ୍ଧମାଳରେ ସଂକ୍ରମଣ ହାର ୫.୦୨% ଥିବାବେଳେ ଗଜପତି ୫.୨%, ସୁନ୍ଦରଗଡ଼ ୬.୦୧%, ମାଲକାନଗିରି ୬.୭୮%, ଅନୁଗୁଳ ୭.୨୮% ଓ କେନ୍ଦୁଝରରେ ପଜିଟିଭ୍‌ ହାର ୭.୪୩% ରହିଛି। ତେଣୁ ଏହି ଜିଲ୍ଲା ଗୁଡିକୁ ୟେଲୋ ଜୋନ୍ ରେ ରଖାଯାଇଛି। ବର୍ତ୍ତମାନ ସମୟରେ ଜୀବନ ସହ ଜୀବିକାକୁ ମଧ୍ୟ ଗୁରୁତ୍ୱ ଦେବାର ସମୟ ଥିବାରୁ ସରକାର ପ୍ରଥମେ ଗ୍ରୀନ ଏବଂ ୟେଲୋ ଜୋନ୍ ରେ ଥିବା ଜିଲ୍ଲା ଗୁଡିକରେ ଅନଲକ୍ ପ୍ରକ୍ରିୟା ଆରମ୍ଭ କରିବାକୁ ବିଚାର କରୁଛନ୍ତି। ତେବେ ଆଗକୁ ରଜ ପର୍ବ ଥିବାରୁ କିଛି ନିଷ୍ପତ୍ତି ନେଇନାହାନ୍ତି ରାଜ୍ୟ ସରକାର କିନ୍ତୁ ରଜ ପର୍ବ ଶେଷ ବେଳକୁ ରାଜ୍ୟ ସରକାର କିଛି ବଡ଼ ନିଷ୍ପତ୍ତି ନେବା ନେଇ ସୂଚନା ଆସିପାରେ ବୋଲି କୁହାଯାଉଅଛି।

ରାଜ୍ୟରେ ସଂକ୍ରମଣ ହାର ୧୦ ପ୍ରତିଶତ ତଳେ ଥିଲେ ମଧ୍ୟ ରେଡ଼ ଜୋନରେ ଥିବା ଜିଲ୍ଲା ଗୁଡିକ ଯଥା ଯାଜପୁର ୨୩.୫୫%, ପୁରୀରେ ୧୬.୫୧%, ଭଦ୍ରକରେ ୧୩.୪୬%, ନୟାଗଡ଼ରେ ୧୩.୦୩%, ଖୋର୍ଦ୍ଧାରେ ୧୨.୨%, କଟକରେ ୧୨.୧%, ବୌଦ୍ଧରେ ୧୧.୦୩%, ମୟୂରଭଞ୍ଜରେ ୧୧.୭୧%, ଜଗତସିଂହପୁରରେ ୧୧.୨୭%, ଢେଙ୍କାନାଳରେ ୧୦.୬୯%, ରାୟଗଡ଼ାରେ ୯.୫୧%, କୋରାପୁଟରେ ୯.୬୪%, କେନ୍ଦ୍ରାପଡ଼ାରେ ୯.୭୧%, ବାଲେଶ୍ୱରରେ ୮.୨ ପ୍ରତିଶତ ସଂକ୍ରମଣ ହାର ରହିଛି। ତେଣୁ ରାଜ୍ୟ ଉପରୁ ଏବେ ସମ୍ପୂର୍ଣ୍ଣ ବିପଦ ଟାଳିନାହିଁ ବୋଲି ସରକାର ଚେତାଇ ଦେଇଛନ୍ତି।