ଜୁଲାଇ ୧ ରୁ କଣ ହେବ ଲକଡାଉନ୍ କଟକଣା?, କଣସବୁ ହେବ କୋହଳ ଓ କେଉଁ ନୂଆ ନିୟମ ରହିବ, ଜାଣନ୍ତୁ

 
Lock down

ଆଉ ଦୁଇ ଦିନ ପରେ ରାଜ୍ୟରେ ଶେଷ ହେଉଛି ଲକଡ଼ାଉନ ଅବଧି। ତେବେ ଜୁଲାଇ ୧ ତାରିଖ ଠାରୁ ସରକାର ଲକଡାଉନକୁ ନେଇ କଣ ନିଷ୍ପତ୍ତି ନେଉଛନ୍ତି ତାହା ଜାଣିବାକୁ ରାଜ୍ୟବାସୀ ଉତ୍ସୁକ ଅଛନ୍ତି। ତେବେ ଜୁଲାଇ ମାସ ପହିଲାରୁ ସମ୍ପୂର୍ଣ୍ଣ ଲକଡ଼ାଉନ ଉଠିବା ନେଇ ଆଶା କମ ରହିଛି। ସଂକ୍ରମଣର ଗମ୍ଭୀରତାକୁ ଲକ୍ଷ୍ୟ କରି ଜୁନ ମାସ ୧୫ ତାରିଖରେ ସରକାର ରାଜ୍ୟକୁ ଦୁଇଟି ବିଭାଗରେ ବିଭକ୍ତ କରିଥିଲେ। କମ ସଂକ୍ରମଣ ହାର ଥିବା ୧୪ ଜିଲ୍ଲାକୁ କ୍ୟାଟାଗରୀ A ରେ ରଖାଯାଇଥିବା ବେଳେ ଅଧିକ ସଂକ୍ରମଣ ଥିବା ୬ ଜିଲ୍ଲା B ବିଭାଗରେ ରହିଥିଲେ।

ବର୍ତ୍ତମାନ ସ୍ଥିତିରେ ୧୪ଟି ଜିଲ୍ଲାରେ ସଂକ୍ରମଣ ହାର କମ ଥିବାରୁ ସେଠାରେ ସବୁ ଦୋକାନ ଗୁଡିକୁ ଖୋଲା ଯିବାପାଇଁ ଅନୁମତି ଦିଆ ଯାଇପାରେ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷରେ ୫ ପ୍ରତିଶତରୁ ଅଧିକ ସଂକ୍ରମଣ ଥିବା ଜିଲ୍ଲା ଗୁଡିକରେ ପୂର୍ବପରି କଟକଣା ଜାରି ରହିବାର ସମ୍ଭାବନା ଅଧିକ ରହିଛି। 

ସେହିପରି କ୍ୟାଟାଗରୀ A ରେ ଥିବା ୧୪ ଜିଲ୍ଲାରେ ରାତ୍ରିକାଳୀନ କର୍ଫ୍ୟୁର ସମୟସୀମାକୁ ସାମାନ୍ୟ କୋହଳ କରାଯାଇପାରେ ବୋଲି ସୂଚନା ମିଳୁଛି। ଏଥିସହିତ କେବଳ ରବିବାର ହିଁ ସପ୍ତାହନ୍ତ ସଟଡାଉନ କରିବାକୁ ନିଷ୍ପତ୍ତି ନିଆଯାଇପାରେ। ୧୬ ଜୁନରୁ ଏପର୍ଯ୍ୟନ୍ତ ହୋଇଥିବା ଲକଡ଼ାଉନ ଭିତରେ କ୍ୟାଟାଗରୀ A ରେ ଥିବା ଜିଲ୍ଲା ବ୍ୟତୀତ କୋରାପୁଟ, ରାୟଗଡା ଏବଂ ମାଲକାନଗିରି ଜିଲ୍ଲାରେ ସଂକ୍ରମଣ ହାର କମିଛି। ଯେଉଁଥିପାଇଁ ଏହି ୩ ଜିଲ୍ଲାରେ କଟକଣା କୋହଳ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

ଜୁଲାଇ ୧୫ ଯାଏଁ ସଂକ୍ରମଣ କମିଥିବା ଜିଲ୍ଲା ଗୁଡିକରେ ରାତ୍ରିକାଳୀନ କର୍ଫ୍ୟୁ ରାତି ୯ ଟାରୁ ସକାଳ ୫ ପର୍ଯ୍ୟନ୍ତ ଏବଂ ସଂକ୍ରମଣ ବେଶି ଥିବା ଜିଲ୍ଲାରେ ରାତି ୫ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରହିପାରେ। ସେହିପରି ଦୋକାନ ଵଜାର ସଂଧ୍ୟା ୫ଟା ଓ ୭ଟା ଯାଏଁ ଖୋଲା ରହିପାରେ। ସଂକ୍ରମଣ କମିଥିବା ଜିଲ୍ଲା ଗୁଡିକରେ କେବଳ ରବିବାର ସଟଡାଉନ୍ ରହିପାରେ।

ସେହିପରି ଉଚ୍ଚ ସଂକ୍ରମଣ ହାର ହେତୁ ଚିନ୍ତା ବଢାଉଥିବା ୬ ଜିଲ୍ଲାରେ କଟକଣା ଆଗଭଳି ରହିବ ବୋଲି ଆଶାକରାଯାଉଛି। ଏଥିସହିତ ରାଜ୍ୟ ସାରା ସେଲୁନ୍, ସ୍ପା, ସିନେମା ଘର ଓ  ଜିମ୍ ଗୁଡିକ ଆଗ ଭଳି ବନ୍ଦ ରହିବ। ସ୍କୁଲ ଏବଂ କଲେଜ ଗୁଡିକ ପୂର୍ବପରି ବନ୍ଦ ରହିବା ନିଶ୍ଚିତ ଅଟେ।