ଓଡ଼ିଶାର ଏହି ୧୧ ଟି ଜିଲ୍ଲା ରେ ହେବ ପ୍ରବଳ ବର୍ଷା, ପାଣିପାଗ ବିଭାଗ ଦେଲା ଚେତାବନୀ
ପୂର୍ବରୁ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା। ଦକ୍ଷିଣ ବାଂଲାଦେଶ ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ତେବେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ ହୋଇଛି। ଆଉ ଏବେ ଓଡ଼ିଶା ଉପକୂଳରୁ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଏହା କ୍ରମଶଃ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହେବ । ଏହା ପ୍ରଭାବରେ ଆସନ୍ତା ୪ ଦିନ ବର୍ଷା ହେବ ବୋଲି ଭୁବନେଶ୍ବର ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ଏହା ସହିତ ଜୁଲାଇ ୨୩ରେ ପୁଣି ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି ଯାହା ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, 3,4 ଦିନ ଯାଏ ରାଜ୍ୟର ବିସ୍ତୃତ ଅଞ୍ଚଳରେ ବର୍ଷା ହେବ।
ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟର ଏକାଧିକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି। ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ୍ରେ ସର୍ବାଧିକ ୨୨୧ମିମି ବର୍ଷା ହୋଇଛି ମାଲକାନଗିରି ଜିଲ୍ଲାରେ ୧୯୦ମିମି, ନବରଙ୍ଗପୁରରେ ୭୦.୧ମିମି, କୋରାପୁଟରେ ୬୭.୪ ମିମି ବର୍ଷା ହୋଇଛି। ଚିତ୍ରଚିକୋଣ୍ଡା, କୋରୁକୁଣ୍ଡା, ଖଇରପୁଟ ଓ କାଲିମେଳା ଭଳି ୪ଟି ବ୍ଲକ୍ରେ ୨୦୦ମିମିରୁ ଅଧିକ ବର୍ଷା ହୋଇଛି।
ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍ଆରସି)ଙ୍କ ସୂଚନା ଅନୁସାରେ, ପ୍ରବଳ ବର୍ଷା ଯୋଗୁ ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାର ଏକାଧିକ ସ୍ଥାନରେ ରାସ୍ତା ଓ ପୋଲ ବର୍ଷା ପାଣିରେ ବୁଡ଼ିଯାଇଛି। ପୋଟେରୁ ନଦୀ ଜଳସ୍ତର ବଢ଼ିବା ଯୋଗୁ ୩୨୬ନଂ ଜାତୀୟ ରାଜପଥ ଜଳମଗ୍ନ ହୋଇଛି। ବନ୍ୟା ପାଣି ମାଡ଼ି ଆସିବାରୁ କନ୍ୟାଶ୍ରମ ସେତୁ ଓ ଚଲ୍ଲାଗୁଡ଼ା ସେତୁ ବୁଡ଼ି ଯାଇଛି।