ଆଉ ନାହାନ୍ତି ଓଡିଆ ଅଭିନେତା ଉତ୍ତମ ମହାନ୍ତି, ୬୬ବର୍ଷ ବୟସରେ ପରଲୋକ, ଜାଣନ୍ତୁ କେମିତି ହେଲା ତାଙ୍କ ମୃତ୍ୟୁ

 
Uttam mohanty

ଆଉ ନାହାନ୍ତି ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି । ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ । ଦୀର୍ଘ ଦିନ ହେଲା ଲିଭର ସିରୋସିସ୍ ରୋଗରେ ପୀଡିତ ଥିଲେ । ୬୬ବର୍ଷ ବୟସରେ ସେ ଶେଷନିଃଶ୍ବାସ ତ୍ୟାଗ କରିଛନ୍ତି। ଓଡ଼ିଆ ସିନେ ଜଗତର ଅଦ୍ଵିତୀୟ ନାୟକ ଶ୍ରୀ ଉତ୍ତମ ମହାନ୍ତିଙ୍କ ଦେହାନ୍ତ ଖବର ସମଗ୍ର ଓଡ଼ିଶା ପାଇଁ ଶୋକ ଆଣିଦେଇଛି। ତାଙ୍କ ନିଖୁଣ ଅଭିନୟଦ୍ୱାରା ଦଶନ୍ଧି ଦଶନ୍ଧି ଧରି ସେ ଓଡ଼ିଆ ସିନେପ୍ରେମୀଙ୍କ ହୃଦୟକୁ ଛୁଇଁଥିଲେ। ଓଡ଼ିଶା ଓ ଓଡ଼ିଆ କଳାକ୍ଷେତ୍ର ପାଇଁ ତାଙ୍କ ଅବଦାନକୁ ଏ ମାଟି ସର୍ବଦା ମନେ ପକାଉଥିବ।

ଅଭିନେତା ଉତ୍ତମ ମହାନ୍ତି କିଛିଦିନ ତଳେ ଗୁରୁତର ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସେ ଆଇସିୟୁରେ ଚିକିତ୍ସିତ ହେଉଥିଲେ। ହଠାତ୍‌ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯିବା ପରେ ଦିଲ୍ଲୀର ମେଦାନ୍ତ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି।

Uttam mohanty

ନିଜ ଅଭିନୟ ଦକ୍ଷତା ଓ ଜଣେ ଶାନ୍ତ ଓ ସରଳ ପ୍ରକୃତିର ଲୋକ ଭାବେ ସେ ଓଡ଼ିଶାର ପୁରପଲ୍ଲୀରେ ପରିଚିତ ଥିଲେ । ସେ ଅନେକ ବଙ୍ଗଳା ଫିଲ୍ମ ଓ ଗୋଟିଏ ହିନ୍ଦୀ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ । ନିଜର କଳା ଓ ଅଭିନୟ ପାଇଁ ସେ ବହୁତ ପୁରସ୍କାର ଓ ସମ୍ମାନ ଲାଭ କରିଥିଲେ । ଉତ୍ତମ ମହାନ୍ତି ଓ ଅପରାଜିତାଙ୍କ ଯୋଡି ଓଡ଼ିଆ ଚଳଚ୍ଚିତ୍ର ଜଗତରେ ସୁପରହିଟ ଥିଲେ । ପରବର୍ତ୍ତୀ ସମୟରେ ଦୁହେଁ ବିବାହ କରି ଘର ସଂସାର କରିଥିଲେ । ସେମାନଙ୍କ ପୁଅ ବାବୁଶାନ ମଧ୍ୟ ଜଣେ ଅଭିନେତା ରୂପେ ପରିଚିତ ।

୭୦ ଦଶକରେ ନିଜ ଅଭିନୟ ମାଧ୍ୟମରେ ଘରେ ଘରେ ପରିଚୟ ସୃଷ୍ଟି କରିଥିଲେ ଉତ୍ତମ ମହାନ୍ତି। ୧୯୭୭ରେ ପ୍ରଥମ ସିନେମା 'ଅଭିମାନ'ରୁ କ୍ୟାରିୟର ଆରମ୍ଭ କରିଥିଲେ ସେ। ଓଡ଼ିଆ, ବଙ୍ଗଳା ଓ ହିନ୍ଦୀ ସିନେମାରେ ଅଭିନୟ କରିଥିଲେ ଉତ୍ତମ। ଏପରି କି ନିଖୁଣ ଅଭିନୟ ଲାଗି ସେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ଜୟଦେବ ପୁରସ୍କାର ଭଳି ଅନେକ ପୁରସ୍କାର ପାଇଥିଲେ।

ମୟୂରଭଞ୍ଜ ଜିଲାର ବାରିପଦାଠାରେ ଜନ୍ମ ହୋଇଥିଲେ ଉତ୍ତମ ମହାନ୍ତି। ସେ ୧୩୫ଟି ଓଡ଼ିଆ, ୩୦ଟି ବଙ୍ଗଳା ଓ ଗୋଟିଏ ହିନ୍ଦୀ ସିନେମାରେ ଅଭିନୟ କରିଥିଲେ। ଅଭିନେତ୍ରୀ ଅପରାଜିତାଙ୍କୁ ସେ ବିବାହ କରିଥିଲେ। ତାଙ୍କ ପୁଅ ବାବୁସାନ ମଧ୍ୟ ଜଣେ ଆଗଧାଡିର ଅଭିନେତା। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।