ଦିନେ ଦୌଡ଼ିବାରେ ରେକର୍ଡ଼ ସୃଷ୍ଟି କରିଥିବା ବିଶ୍ମୟ ବାଳକ ବୁଦ୍ଧିଆ ସିଂ କୁଆଡ଼େ ଗଲେ? ଜାଣନ୍ତୁ ଏବେ କେମିତି ଅଛନ୍ତି ଓ କଣ କରୁଛନ୍ତି ସେ

 
Budhia singh

ଦିନେ ଭୁବନେଶ୍ୱରରୁ ପୁରୀ ୬୫ କି.ମି ରାସ୍ତାକୁ ମାତ୍ର ୭ ଘଣ୍ଟାରେ ଅତିକ୍ରମ କରି ଚାଞ୍ଚଲ୍ୟ ସୃଷ୍ଟି କରିଥିଲେ ବୁଦ୍ଧିଆ ସିଂ। ସେତେବେଳେ ତାଙ୍କୁ ମାତ୍ର ୪ ବର୍ଷ ବୟସ ହୋଇଥିଲା ଏଭଳି କାରନାମା କରି ଦେଖାଇଥିବାରୁ କେବଳ ଦେଶ ନୁହେଁ ବରଂ ସାରା ବିଶ୍ୱରେ ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଯାଇଥିଲେ। ଏପରିକି ଅନେକେ ବୁଦ୍ଧିଆଙ୍କୁ ପରବର୍ତ୍ତୀ ମିଲଖା ସିଂ ଭାବରେ ପରିଗଣିତ କରିବାକୁ ଲାଗିଥିଲେ।

Budhia singh

ଏହି ଘଟଣାକୁ ପ୍ରାୟ ୧୫ ବର୍ଷ ବିତି ଯାଇଥିବା ବେଳେ ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କୁଆଡେ ଗଲେ ବୁଦ୍ଧିଆ ସିଂ, ସେ କଣ ଦୌଡିବା ଛାଡି ଦେଇଛନ୍ତି ନାଁ ଏବେ ବି ଉଦ୍ଯମ ଜାରି ରଖିଛନ୍ତି ? ବୁଦ୍ଧିଆଙ୍କ ମା ସୁକାନ୍ତୀ ଏବଂ ଦୁଇ ଭଉଣୀ ଏବେ ଭୁବନେଶ୍ୱରର ଭରତପୁର ବସ୍ତିରେ ରହୁଥିବା ବେଳେ ବୁଦ୍ଧିଆଙ୍କ ସମ୍ପର୍କରେ ପଚାରିବା ପାଇଁ ସେଠାରେ ଗଣମାଧ୍ୟମ ପ୍ରତିନିଧି ପହଞ୍ଚିଥିଲେ।

କିନ୍ତୁ, ସେମାନେ ବୁଦ୍ଧିଆଙ୍କ ଦୌଡ଼ିବା ବିଷୟରେ କହିବା ବଦଳରେ ତାଙ୍କୁ କିପରି ରାଜ୍ଯ ସରକାର ଏବଂ ବିରଞ୍ଚି ଦାସ ପ୍ରତାରିତ କରିଛନ୍ତି ସେ ବିଷୟରେ କହୁଛନ୍ତି। ତେବେ ଭଉଣୀ ରଶ୍ମୀ ଏବଂ ତାଙ୍କ ମା ସୁକାନ୍ତୀ ଭୂବନେଶ୍ବରର ଏକ ଇଞ୍ଜିନିୟରିଂ କଲେଜରେ କାମ କରୁଥିବା ବେଳେ ବୁଦ୍ଧିଆ ସ୍ନାତକ ହାସଲ କରିବା ପାଇଁ ଦିଲ୍ଲୀରେ ପଢ଼ୁଥିବା ନେଇ ସୂଚନା ମିଳିଛି।

Budhia with coach biranchi

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୦୨ରେ ଜନ୍ମ ଗ୍ରହଣ କରିଥିବା ବୁଧିଆଙ୍କ ପିତାଙ୍କ ମୃତ୍ୟୁ ପରେ ଏହି ସମୟରେ ସାଲିଆସାହି ବସ୍ତିବାସିନ୍ଦା ସଂଘର ତତ୍କାଳୀନ ସଭାପତି ବିରଞ୍ଚି ଦାସ ବୁଦ୍ଧିଆକୁ ପୌଷ୍ଯ ପୁତ୍ର ଭାବରେ ଗ୍ରହଣ କରିଥିଲେ। ପେସାରେ ଜୁଡୋ କୋଚ୍ ଥିବା ବିରଞ୍ଚି ବୁଦ୍ଧିଆଙ୍କ ଦୌଡ ପ୍ରତିଭା ସଂପର୍କରେ ଜାଣିପାରି ତାଙ୍କୁ ପ୍ରଶିକ୍ଷଣ ଦେଇଥିଲେ ଯାହାଫଳରେ ସେତେବେଳେ ବୁଦ୍ଧିଆ ସଫଳତାର ଶୀର୍ଷରେ ପହଞ୍ଚି ପାରିଥିଲେ।

କିନ୍ତୁ, ବିରଞ୍ଚି ଦାସ ବୁଧିଆକୁ ଶୋଷଣ କରୁଥିବାର ଅଭିଯୋଗ ହେବାପରେ ୨୦୦୭ ରେ ଉଭୟଙ୍କୁ ଅଲଗା କରାଇ ସ୍ପୋର୍ଟସ ହଷ୍ଟେଲରେ ଛାଡି ଦେଇଥିଲେ ସରକାର। ଏଥିସହିତ ୨୦୦୮ ରେ ବିରଞ୍ଚିଙ୍କର ହତ୍ୟା କରାଯିବା ପରେ ସବୁ କିଛି ବିଗିଡି ଯାଇଥିଲା।

Budhia singh

ଏହା ପରେ ଭୁବନେଶ୍ୱରର ସାଇ ହଷ୍ଟେଲରେ ରହୁଥିବା ବୁଦ୍ଧିଆ ଆଉ ଦୌଡିବାକୁ ପସନ୍ଦ କରିନଥିଲେ ସେ ହଷ୍ଟେଲ ଛାଡ଼ି ପାଠ ପଢ଼ିବା ପାଇଁ ଦିଲ୍ଲୀ ଚାଲି ଆସିଥିଲେ। ତେବେ ବୁଦ୍ଧିଆଙ୍କର ଦୌଡ଼ ଜୀବନ ଏପରି ଭାବରେ ନିମ୍ନଗାମୀ ହେବା ପାଇଁ ସେ ନିଜେ ଦାୟୀ ବୋଲି କେତେକ କହୁଥିବା ବେଳେ ଆଉ କେତେକ ବିଶେଷଜ୍ଞ ତାଙ୍କୁ ଅତି କମ ବୟସରୁ ଦିଆଯାଇଥିବା କଠିନ ଟ୍ରେନିଂକୁ ଦାୟୀ କରିଛନ୍ତି। କାରଣ ଯାହା ବି ହେଉ ନା କାହିଁକି ସମୟ ଚକ୍ରରେ ଜଣେ ଭଲ ଆଥଲିଟକୁ ରାଜ୍ୟ ଏବଂ ଦେଶ ହରାଇବାକୁ ଯାଉଛି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ।