ରାଜନୀତିରୁ ମୁହଁ ଫେରାଇଲେଣି ଅନୁଭବ-ଅରିନ୍ଦମ! ଏବେ ନିଜ ମୂଳକ୍ଷେତ୍ରକୁ ଫେରୁଛନ୍ତି, ଜାଣନ୍ତୁ ପୁରା ଖବର

 
Anubhav Arindam

ରାଜନୀତିରୁ ମୁହଁ ଫେରାଇ ଏବେ ଅଭିନୟରେ ପୁଣି ପାଦ ଥାପିଲେଣି ସୁପରଷ୍ଟାର ଅନୁଭବ ମହାନ୍ତି ଓ ଅରିନ୍ଦମ ରାୟ । ଦିନ ଥିଲା ଦୁହେଁ ଅଭିନୟ ଛାଡି ସମ୍ପୂର୍ଣ ଆକ୍ତିଭ୍ ଥିଲେ ରାଜନୀତିରେ । ନିଜ ପ୍ରଚାର ପ୍ରସାରରେ ଲାଗି ରହି ପରଷ୍ପରର ଛାଇ ମାଡୁ ନ ଥିଲେ ଦୁହେଁ ।

ହେଲେ ଆଜି ଦୁହେଁ ଦୁହିଁଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି । ମିଶିକି ଫିଲ୍ମ କରୁଛନ୍ତି ବାଇଟ୍ ମଧ୍ୟ ଦେଉଛନ୍ତି । ଏକାଠି ବୁଲୁଛନ୍ତି ଦୁହେଁ ଦୁହିଁଙ୍କୁ ସପୋର୍ଟ ବି କରୁଛନ୍ତି । ବିଗତ ୧୫ ବର୍ଷ ଧରି ଏହି ଦୁଇ ଅଭିନେତାଙ୍କୁ କେବେ ଏକାଠି ଦେଖି ନ ଥିଲେ ଦର୍ଶକ । ହେଲେ ହଠାତ୍ ପରିବର୍ତ୍ତନ ଦେଖି ପଛର କାହାଣୀ ଜାଣିବା ପାଇଁ ବେଶ୍ ଆଗ୍ରହୀ ଅଛନ୍ତି ଦର୍ଶକ । ଏଠାରେ ପ୍ରଶ୍ନ ଉଠୁଛି ଦୁହେଁ ସମ୍ପୂର୍ଣ ଭାବେ ରାଜନୀତିରୁ ଅବସର ନେଇଛନ୍ତି ନା ସୁଯୋଗ ମିଳିଲେ ପୁଣି ରାଜନୀତି କରିବେ ।

Anubhav arindam

୨୦୦୭ ମସିହାରେ ପ୍ରଥମ ଥର ପାଇଁ ଅନୁଭବ ଓ ଅରିନ୍ଦମ୍‌ ବଡ ପରଦାରେ ଏକାସାଥିରେ ନଜର ଆସିଥିଲେ । ଏହି ଦୁଇ ଚଳଚ୍ଚିତ୍ର ତାରକାଙ୍କୁ ଫିଲ୍ମ ‘କାଳୀଶଙ୍କର’ରେ ଦଖାଦେଇଥିଲେ । ସେତେବେଳକୁ ଅନୁଭବ ଲୋକପ୍ରିୟ ଅଭିନେତା ଭାବେ ଓଡ଼ିଶାବାସୀଙ୍କ ହୃଦୟ ଛୁଇଁ ସାରିଥିଲେ । କିନ୍ତୁ ଅରିନ୍ଦମ୍‌ ଥିଲେ ନବାଗତ । ୨୦୦୬ରେ ନିଜ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ପ୍ରେମ ଋତୁ ଆସିଲାରେ ଅଭିନୟ କରିଥିବା ଅରିନ୍ଦମ୍‌ ଓଲିଉଡ୍‌ରେ କ୍ୟାରିୟମ୍‌ ଆରମ୍ଭ କରୁଥାନ୍ତି । 

ପରେ ଦୁଇ ଅଭିନେତାଙ୍କ ମଧ୍ୟରେ ଚଳଚ୍ଚିତ୍ରକୁ ନେଇ ପ୍ରତିଯୋଗିତା ଦେଖିବାକୁ ମିଳିଥିଲା । ଆହୁରି ବି କିଛି ଏମିତି କାରଣ ଥିଲା ଯେଉଁଥିପାଇଁ ଉଭୟ ଯଦିଓ କେବେ ସାମ୍ନାସାମ୍ନି ହେଉନଥିଲେ, ତଥାପି ଦୁହେଁ ନିଜ ନିଜ ବଳୟ ଭିତରେ ସୀମିତ ରହୁଥିଲେ । ୨୦୧୩ରେ ଅନୁଭବ ବିଜେଡିରେ ଯୋଗ ଦେଲେ । ପ୍ରଥମେ ରାଜ୍ୟସଭା ଏବଂ ପରେ କେନ୍ଦ୍ରାପଡା ଆସନରୁ ଲୋକସଭାକୁ ନିର୍ବାଚିତ ହେଲେ। କେନ୍ଦ୍ରାପଡା ସାଂସଦ ଭାବେ ସେ ପ୍ରଭାବୀ ସାବ୍ୟସ୍ତ ହୋଇ ପାରିନଥିଲେ।

ଅରିନ୍ଦମ ୨୦୧୬ ଡିସେମ୍ବରରେ ତତ୍କାଳୀନ ଶକ୍ତି ମନ୍ତ୍ରୀ ତଥା ବର୍ତ୍ତମାନର ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଭଉଣୀ ଅନୁପା ଦାସଙ୍କୁ ବିବାହ କରିବା ପରେ ଦଳରେ ଅଧିକ ସକ୍ରିୟ ହୋଇଉଠିଥିଲେ ଅରିନ୍ଦମ୍‌ । ଏହାର କିଛି ଦିନ ଭିତରେ ଅରିନ୍ଦମ୍‌ ନିଜକୁ ବିଜେଡିର ଜଣେ ସଂଗଠକ ଭାବେ ପ୍ରମାଣିତ କରିବାକୁ ବେଶ ଝାଳ ବୁହାଇଥିଲେ।

କୁହାଯାଉଛି କି’ ରାଜନୀତିରୁ ମୁହଁ ଫେରାଇ ଉଭୟ ପଛକୁ ହଟି ଏବେ ପୁଣି ନିଜ ମୂଳକ୍ଷେତ୍ରକୁ ଫେରୁଛନ୍ତି । ଯଦିଓ ଏହି ଦୁଇ ଲୋକପ୍ରିୟ ଅଭିନେତାଙ୍କୁ ଫିଲ୍ମ ମୁହାଁ ହେବାର ଦେଖି ଓଡ଼ିଆ ସିନେପ୍ରେମୀ ବେଶ୍‌ ଉତ୍ସାହିତ ହେଉଛନ୍ତି, ତେବେ ଉଭୟଙ୍କ ଅନିଶ୍ଚିତ ରାଜନୈତିକ ଭବିଷ୍ୟତ ମଧ୍ୟ ଆଲୋଚନାର ପ୍ରସଙ୍ଗ ପାଲଟିଛି । ଦୁହିଁଙ୍କ ମନୋଭାବ ଦେଖିଲେ ସେମାନେ ରାଜନୀତିରୁ ପଛକୁ ହଟୁଥିବା ମନେହେଉଛି ।