‘ପ୍ରଥମ ଶ୍ରେଣୀରେ ପଢୁଛି’ ଭାଇରାଲ୍ ଗୀତକୁ ନେଇ ରାଗିଲେ ତ୍ରୋଲକ୍ୟ, କହିଲେ ବିନା ଅନୁମତିରେ..ଦେଖନ୍ତୁ ଭିଡିଓ

 
‘ପ୍ରଥମ ଶ୍ରେଣୀରେ ପଢୁଛି’ ଭାଇରାଲ୍ ଗୀତକୁ ନେଇ ରାଗିଲେ ତ୍ରୋଲକ୍ୟ, କହିଲେ ବିନା ଅନୁମତିରେ..ଦେଖନ୍ତୁ ଭିଡିଓ

ଗତ କିଛି ଦିନରୁ ଏକ କୁନି ପିଲାର କିଛି କଥା ପଦକୁ ନେଇ ସବୁ ଆଡେ ଚର୍ଚ୍ଚା। ‘ମୁଁ ଇସ୍କୁଲ୍ ରେ ପଢ଼ୁଛି, ପ୍ରଥମ ଶ୍ରେଣୀ ରେ ପଢ଼ୁଛି’। କିଛି ଦିନ ତଳେ ପ୍ରଥମ ଶ୍ରେଣୀରେ ପଢୁଥିବା କୁନି ବାଳକ ତ୍ରୋଲକ୍ୟର ଏହି କେଇ ପଦ କଥା ଖୁବ୍ ଭାଇରାଲ୍ ହୋଇଥିଲା, ତାର ଖନେଇ ଖନେଇ କଥା ସମସ୍ତଙ୍କୁ ବେଶ୍ ପସନ୍ଦ ଆସିଥିଲା। ହେଲେ ତା କଥାକୁ ନେଇ ତିଆରି ହୋଇଥିବା ଏକ ରାପ୍ ଗୀତ ଆସିବା ପରେ ଏହି ଚର୍ଚ୍ଚା ଖୁବ୍ ବଢି ଯାଇଛି। 

ପ୍ରକୃତରେ ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ରେ ରହୁଥିବା ତ୍ରୋଲକ୍ୟ ରାୟ ନାମକ ପିଲାଟି ଗଣମାଧ୍ୟମ ଆଗରେ ଏପରି କଥା କହି ଭାଇରାଲ ହୋଇଥିଲେ। ନିଜ ଘର ପାଖରେ ଥିବା ସ୍କୁଲ ଟି ସେଠାରୁ ଉଠିଯାଉଛି ଶୁଣି ନିଜ କୋମଳ କଣ୍ଠ ରେ ଏହାର ପ୍ରତିବାଦ କରିଥିଲା ଏହି କୁନି ବାଳକ। ସ୍କୁଲ କୁ ଦୂର ବାଟକୁ ସ୍ଥାନାନ୍ତରିତ କରିବା ଦ୍ୱାରା ତାକୁ ବଣ ଏବଂ ଜନଗହଳିପୂର୍ଣ୍ଣ ରାସ୍ତା ଦେଇ ଯିବାକୁ ପଡ଼ିବ। ଯଦି ବାଟରେ କିଛି ଦୁର୍ଘଟଣା ହୁଏ ତେବେ ତାଙ୍କ ମା ବାପାଙ୍କୁ ପୁଅଟିଏ କିଏ ଦେବ ବୋଲି ପ୍ରଶ୍ନ କରିଥିଲା ତ୍ରୋଲକ୍ୟ।

ତେବେ ତ୍ରୋଲକ୍ୟଙ୍କ ଏହି କଥାକୁ ନେଇ ଗୀତ କରିଥିବା ମ୍ୟୁଜିକ୍ କମ୍ପାନୀ ବିଷୟରେ ତ୍ରୋଲକ୍ୟ ଓ ତାଙ୍କ ପରିବାର ଅସନ୍ତୋଷ ପ୍ରକାଶ କରିଥିବା ଦେଖାଦେଇଛି। ତ୍ରୋଲକ୍ୟ ଗଣମାଧ୍ୟମକୁ କହିଛନ୍ତି, ‘ମୋ ବିନା ଅନୁମତିରେ କାହିଁକି ଭିଡିଓ କଲ ବୋଲି ପ୍ରଶ୍ନ କରିଛନ୍ତି। ସେ ଆହୁରି କହିଛନ୍ତି, ମୁଁ ସ୍କୁଲ ନ ଉଠିବା କଥା କହିଥିଲି, ତାକୁ ନେଇ ଗୀତ କରି ଟଙ୍କା ରୋଜଗାର କରୁଛନ୍ତି’। ତେବେ ଅନ୍ୟ ପକ୍ଷେ ମ୍ୟୁଜିକ୍ କମ୍ପାନୀର ମାଲିକ ତ୍ରୋଲକ୍ୟଙ୍କୁ ତାଙ୍କ ଗୀତରେ ସୁଯୋଗ ଦେବେ ବୋଲି କହିଛନ୍ତି। ଦେଖନ୍ତୁ ଭିଡିଓ- 

(ସୌଜନ୍ୟ: କନକ୍ ନ୍ୟୂଜ୍) 

ସ୍କୁଲ ଉଠିବାକୁ ତ୍ରୋଲକ୍ୟ ପୁଣି କହିଛନ୍ତି, ‘ଏହି ବଣ ରାସ୍ତାରେ ଗଲେ, ସେପଟୁ ଷଣ୍ଢ ଯଦି ଭୂସି ମାରିଦେବ, ଏ ରାସ୍ତାରେ ସାପ ଯଦି କାମୁଡ଼ି ଦେବ, ଆମ ବାପା ମାଆକୁ ଆଉ ଗୋଟେ ପୁଅ ଦବ? ମୁଁ ସେଇ କଥା କହୁଛି ଆମ ସ୍କୁଲ ଏଠି ରହୁ, ଆମକୁ ପାଠ ପଢ଼ିବାକୁ ସୁଯୋଗ ମିଳୁ।