ଡେଞ୍ଜର ଜୋନ୍‌ରେ ମାଷ୍ଟରକ୍ୟାଣ୍ଟିନ୍‌: ୭ ଦିନରେ ହେଲାଣି ୧୫ରୁ ଅଧିକ ଲୁଟ୍‌, ଏଠାରେ ଦେହଜୀବୀମାନେ ରାତି ଅଧରେ...

 
Mastercanteen bhubaneswar

ଦିନେ ରାଜଧାନୀର ସବୁଠାରୁ ସୁରକ୍ଷିତ ଅଞ୍ଚଳ ଭାବରେ ପରିଗଣିତ ହେଉଥିବା ମାଷ୍ଟରକ୍ୟାଣ୍ଟିନ୍‌ ଛକ ଏବେ ପାଲଟିଯାଇଛି ଅପରାଧ ଏବଂ ଅସାମାଜିକଙ୍କ ପାଇଁ ଅଡ୍ଡା ସ୍ଥଳ। ଏହି ଅଞ୍ଚଳର ଅଵସ୍ଥା ଏତେ ମାତ୍ରାରେ ଖରାପ ହୋଇଯାଇଛି ଯେ ବିଗତ ୭ ଦିନ ମଧ୍ୟରେ ଏଠାରେ ୧୫ ରୁ ଉର୍ଦ୍ଧ ଲୁଟପାଟର ମାମଲା ସାମ୍ନାକୁ ଆସିଛି। 

ମୁଖ୍ୟତଃ ରେଳଷ୍ଟେସନ ଥିବା ହେତୁ ଏଠାରେ ରାତିରେ ମଧ୍ୟ ଲୋକମାନଙ୍କର ଭିଡ଼ ଲାଗି ରହିଥାଏ। ଏହି ଅଞ୍ଚଳ ଚାରିପାଖେ ତିନୋଟି ପୋଲିସ ଷ୍ଟେସନ ଏବଂ ଛକ ଠାରୁ ଅଳ୍ପ ଦୂରରେ ଦୁଇଟି ପୋଲିସ ଆଉଟପୋଷ୍ଟ ଥିବାରୁ ଏହାକୁ ହାଇସିକ୍ୟୁରିଟି ଜୋନ୍ ର ଆଖ୍ୟା ଦିଆଯାଇଥିଲା। କିନ୍ତୁ, ଲାକଡ଼ାଉନ ହେବା ପରଠାରୁ ଏଠାରେ ଅପରାଧିମାନେ କାୟା ବିସ୍ତାର କରିଛନ୍ତି।

ବିଳମ୍ବିତ ରାତିରେ ଏହି ସ୍ଥାନ ମଧ୍ୟପ ଓ ନିଶାଡ଼ିଙ୍କ ପାଇଁ ଭୂସ୍ବର୍ଗ ପାଲଟି ଯାଇଛି। ପାଖରେ ଦୁଇ ଦୁଇଟି ପୋଲିସ ଆଉଟପୋଷ୍ଟ ଥିଲେ ମଧ୍ୟ ସେଠାରେ ଥିବା କର୍ମଚାରୀଙ୍କର ଏଥିପ୍ରତି ନିଘା ନାହିଁ। ଅନ୍ୟପକ୍ଷରେ କୌଣସି ଅପରାଧର ଅଭିଯୋଗ କରିବାକୁ ହେଲେ ଖାରବେଳନଗର ଥାନା ପୁଲିସ ଏହା କ୍ୟାପିଟାଲ ଥାନା ଇଲାକା କହି ମୁଣ୍ଡରୁ ଦୋଷ ଖସାଉଛି ତ’ କ୍ୟାପିଟାଲ ଥାନା ପୁଲିସ ଜିଆରପିର ଦାୟିତ୍ୱ କହି କଥାକୁ ଏଡ଼ାଇ ଯାଉଛି। ପୁଲିସର ଏହି ଦୋଷ ଲଦାଲଦିରେ ସାଧାରଣ ଲୋକେ ବଳିପଡୁଛନ୍ତି। ଏପରିକି ଏହି ଅଞ୍ଚଳରେ ନାଇଟ ପେଟ୍ରୋଲିଂ ଠିକ ଭାବରେ ହେଉନଥିବା ଅଭିଯୋଗ ହେଉଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଲାକଡ଼ାଉନରେ ମଧ୍ୟ ରାତି ହେଲେ ଏଠାରେ ଦେହଜୀବୀ ବୁଲୁଛନ୍ତି। ଲୋକଙ୍କୁ ପାଖକୁ ଡାକି ନିଜ ବେପାର ଚଳାଇବା ସହ ଲୋକଙ୍କୁ ଲୁଟୁଛନ୍ତି। ଖାସ୍ କରି ଟ୍ରେନ ଯୋଗେ ଆସୁଥିବା ଯାତ୍ରୀମାନଙ୍କୁ ଏମାନେ ନିଜର ଶିକାର କରୁଥିବା ବେଳେ ଲୋକଲଜ୍ଜା ଭୟରେ ଏମାନେ ପୋଲିସ ପାଖରେ ଅଭିଯୋଗ କରୁନାହାନ୍ତି ଯାହାଫଳରେ ଏଠାରେ ଅପରାଧ ବଢ଼ିବାରେ ଲାଗିଛି।