ପ୍ରେମକୁ ସ୍ୱୀକୃତି ନ ମିଳିବା ଭୟରେ ଝୁଲି ପଡିଲେ ପ୍ରେମୀଯୁଗଳ, ପୁରା ଘଟଣା ଜାଣି ହେବେ ଦୁଃଖିତ
ବୃଦ୍ଧି ହେବାରେ ଲାଗିଛି ପ୍ରେମ ଜନିତ ଆତ୍ମହତ୍ୟା ମାମଲା । ପ୍ରେମକୁ ନପାଇ କିଏ ବେକରେ ରଶି ଲଗାଇ ଝୁଲି ପଡୁଛିତ ଆଉ କିଏ ବିଷପାନ କରି ଆତ୍ମହତ୍ୟା କରୁଛି । ଫଳରେ ଅବେଳାରେ ଝଡିପଡୁଛି ଅନେକଙ୍କ ଜୀବନ । ବିଶେଷକରି ପ୍ରେମରେ ବିଫଳ ହେବା ପରେ ଯୁବପିଢିଙ୍କ ମଧ୍ୟରେ ଅଧିକ ଆତ୍ମହତ୍ୟା ପ୍ରବଣତା ଦେଖିବାକୁ ମିଳୁଛି । ତେବେ ସେହିଭଳି ପୁଣି ଏପରି ଏକ ଖବର ସାମ୍ନାକୁ ଆସିଛି ।
ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚିତାବେଡା ପଞ୍ଚାୟତର ଶିଉନାଗୁଡା ଗ୍ରାମରେ ବେକରେ ଓଢ଼ଣି ଲଗାଇ ଦେଇ ପ୍ରେମୀଯୁଗଳ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସୂଚନାନୁସାରେ ଶିଉନାଗୁଡା ଗ୍ରାମର ଲକ୍ଷି ଗୌଡ଼ଙ୍କ ପୁଅ ଭଗବାନ ଗୌଡ଼ ଗତକାଲି ରାତ୍ରି ବାପାଙ୍କ ସହ ଖାଇବା ପରେ ଗୋଟିଏ ବଖରାରେ ଶୋଇଥିଲେ।
ତେବେ ଲକ୍ଷ୍ମୀ ଶୋଇ ପଡିବା ପରେ ପୁଅ ଘରୁ ବାହାରି କେଉଁ ଆଡେ ଚାଲିଯାଇଥିଲା। ସେହିପରି ଭାଳିଆଗୁଡା ଗ୍ରାମର ଶନିବାରି ଭତ୍ରାଙ୍କ ଝିଅ ସବିତା ଭତ୍ରା ରାତ୍ର ଖାଇବା ପରେ ଗୋଟିଏ ବଖରାରେ ଶୋଇଥିଲେ। ତେବେ ମା ଶନିବାରି ଶୋଇ ପଡିବା ପରେ ରାତ୍ର ଝିଅ ସବିତା ଘରୁ ବାହାରି କେଉଁ ଆଡେ ଚାଲିଯାଇଥିଲା। ଉଭୟ ପରିବାର ରାତ୍ର ଖୋଜାଖୋଜି କରିବା ପରେ ମଧ୍ୟ ପାଇ ନଥିଲେ।
ଶେଷରେ ଆଜି ସକାଳୁ ଦୁହେଁ ଶିଉନାଗୁଡା ନିକଟସ୍ଥ କାଜୁ ବଗିଚାରେ ଆତ୍ମହତ୍ୟା କରିଥିବା କିଛି ଲୋକ ଦେଖିଥିଲେ। ପରେ ସେମାନେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକ ଘଟଣା ସ୍ଥଳରେ ପହଞ୍ଚିବା ସହ ଝରିଗାଁ ପୁଲିସକୁ ଖବର ଦେଇଥିଲେ। ଝରିଗାଁ ପୁଲିସ ଉଭୟ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପଠାଇଥିବା ସୂଚନା ମିଳିଛି।