କାନ୍ଥରୁ ଲିଭିନି ବାହାଘର ଝୋଟି, ଯୌତୁକ ପାଇଁ ବୋହୂକୁ ମାରିଦେଲେ ଶାଶୁଘର ଲୋକେ, ପୂରା ଘଟଣା ଜାଣି ହେବେ ଦୁଃଖିତ

 
କାନ୍ଥରୁ ଲିଭିନି ବାହାଘର ଝୋଟି, ଯୌତୁକ ପାଇଁ ବୋହୂକୁ ମାରିଦେଲେ ଶାଶୁଘର ଲୋକେ, ପୂରା ଘଟଣା ଜାଣି ହେବେ ଦୁଃଖିତ

ପୁଣି ଯୌତୁକ ନିଆଁରେ ଜଳିଗଲା ଆଉଜଣେ ନବବଧୂ। ବାହାଘରର ୨ ବର୍ଷ ନ ପୁରୁଣୁ ଯୌତୁକ ପାଇଁ ଶାଶୂଘର ଲୋକେ ମାରିଦେଲେ ନୂଆ ବୋହୂକୁ। ଏପରି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି ତାଳଚେର ବିହାରିପୁର ଅଞ୍ଚଳରୁ। ଝିଅର ମାଙ୍କ କହିବାନୁସାରେ ଏକ ଅଜଣା କଲ ଫୋନ କରିଥିବା ଲୋକର କଥା ଶୁଣି ମୋ ଗୋଡ଼ ତଳୁ ମାଟି ଖସିଗଲା। ସେଥିରେ ସେ ତୁମ ଝିଅ ମରିଯାଇଛି ଜଲଦି ଆସ କହିଥିଲା। ଶାଶୁଘର ଲୋକେ ସବୁବେଳେ ଯୌତୁକ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଛି।

ସୂଚନା ମୁତାବକ, ୨୦୧୯ ମସିହା ଜୁନ ମାସ ୨୫ ତାରିଖରେ ତାଳଚେର ବିହାରିପୁର ଅଞ୍ଚଳର ରାମଚନ୍ଦ୍ର ଭୁତିଆ ଓ ପାଟରାଣୀ ଭୁତିଆଙ୍କ ଏକମାତ୍ର ଝିଅ ଅଭିଜିତା ଓରଫ ରେଶମାଙ୍କ ବାହାଘର ହିନ୍ଦୋଳ ନୂତନପାଟଣା ଗାଁର ତାପସ ରଞ୍ଜନ ପାଇକଙ୍କ ସହ ହୋଇଥିଲା। ତାପସ ଏୟାରଫୋର୍ସରେ ଚାକିରୀ କରୁଥିବା ବେଳେ ବାହାଘରର କିଛି ଦିନ ପରେ ରେଶମାଙ୍କୁ ଧରି ନିଜର ସ୍ୱପ୍ନର ସଂସାର ଗଢିବା ପାଇଁ ଅମୃତସରର ନିଜ କାର୍ଯ୍ଯସ୍ଥଳୀରେ ପହଞ୍ଚିଥିଲେ। ହେଲେ କିଛି ମାସ ପରେ ରେସମାଙ୍କ ସବୁ ସ୍ୱପ୍ନରେ ଆସିଲା ଝଡ଼। ଆରମ୍ଭ ହୋଇଗଲା ଶାଶୁଘର ଲୋକଙ୍କ ଯୌତୁକ ପାଇଁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା।

ସବୁଦିନ ପରି ଗତ ୭ ତାରିଖରେ ରେସମା ନିଜ ମାଙ୍କ ସହ ଭଲରେ କଥା ହୋଇଥିଲେ। ହେଲେ ଫୋନ ରଖିବାର ୧୫ ମିନିଟ୍ ପରେ ମାଙ୍କ ପାଖକୁ ଆସିଥିଲା ଆଉ ଏକ ଫୋନ୍ କଲ୍। ଯାହା ଶୁଣି ରେସମାଙ୍କ ମାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। ଫୋନରେ ସେପଟୁ କୁହାଗଲା, ତୁମ ଝିଅ ରେସମା ମରିଗଲା ଶୀଘ୍ର ଆସ। ରେଶ୍ମାଙ୍କ ମୃତ୍ୟୁ ସୂଚନା ପାଇବା ପରେ ପରିବାର ସଦସ୍ଯ ପହଞ୍ଚିଥିଲେ ଅମୃତସରରେ। ହେଲେ ସେଠି ତାଙ୍କ ଝିଅର ମୃତଦେହ ହସ୍ତାନ୍ତର ତ ଦୂରର କଥା ଦେଖାଇବାକୁ ମଧ୍ୟ ଦିଆଯାଇ ନଥିଲା । ଯେତେବେଳେ ସେମାନେ ଘଟଣା ସ୍ଥଳରେ ପହଁଚିଥିଲେ ସେଠି ଯାହା ଦେଖିଲେ ତାକୁ ନେଇ ସମସ୍ତଙ୍କ ମନରେ ଆହୁରି ସନ୍ଦେହ ଜାତ ହେଲା। 

ଫ୍ଯାନ ବ୍ଲେଡରେ ଲୁଗା ଲାଗି ଥିବା ବେଳେ ରେଶ୍ମା ବେକ ପାଖରେ ଲାଗି ଥିଲା ଶକ୍ତ ଧକ୍କାର ଚିହ୍ନ। ସେଠାକୁ ଯାଇ ଥିବା ପରିବାର ଲୋକଙ୍କ ମନରେ ଗୋଟେ ସନ୍ଦେହ ଜାତ ହେଲା ପ୍ରଶ୍ନ ଆସିଲା ଯଦି ଝିଅ ଆତ୍ମହତ୍ୟା କଲା ତେବେ ଫ୍ଯାନ ବ୍ଲେଡରେ ଏପରି କ୍ଷତ ଚିହ୍ନ ହେବା ସମ୍ଭବ କି? ଝିଅ ମରିବାର ଦୀର୍ଘ ତିନି ଦିନ ପରେ ତାଳଚେର ବିଧାୟକଙ୍କ ସହଯୋଗରେ ଆଜି ନିଜ ଜନ୍ମ ମାଟିରେ ପହଞ୍ଚିଲା ଅଭିଜିତାଙ୍କ ମର ଶରୀର। ମର ଶରୀର ଗାଁ ରେ ପହଁଚିବା ପରେ ଗାଁରେ ସବୁ ଲୋକଙ୍କ ଆଖିରେ ଆଖିଏ ଲୁହ।