ମନ୍ତ୍ରୀଙ୍କ ଗାଳି ହେଲା କି କାଳ? କିଏ ଏହି ଗୋପାଳ ଦାସ, ନବ ଦାସଙ୍କୁ କାହିଁକି ସେ ଗୁଳି କଲେ?

 
Naba Das Gopal Das

ପଶ୍ଚିମଓଡ଼ିଶାର ପ୍ରଭାବଶାଳୀ ନେତା ତଥା ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ନିଜ ପୂର୍ବତନ ଅଙ୍ଗରକ୍ଷୀଙ୍କ ଗୁଳିମାଡ଼ରେ ନିହତ ହୋଇଛନ୍ତି। ତାଙ୍କୁ ବଂଚାଇବା ପାଇଁ କିଛି ଘଂଟା ଧରି ଡାକ୍ତରମାନେ ପ୍ରୟାସ କରି ବିଫଳ ହେବା ପରେ ସନ୍ଧ୍ୟା ପ୍ରାୟ ୭ଟା ୧୦ମିନିଟରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ତେବେ ମନ୍ତ୍ରୀ ନବ ଦାସଙ୍କ ହତ୍ୟାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ଥିବାବେଳେ ପାରିପାଶ୍ୱିର୍କ ପରିସ୍ଥିତି ତାଙ୍କ ଉପରେ ଗୁଳିମାଡ଼କୁ ଅଧିକ ରହସ୍ୟାବୃତ କରିଦେଇଛି।

Naba Das

ତେବେ ଗୁଳିମାଡ଼ କରିଥିବା ଅଭିଯୁକ୍ତ ଏଏସଆଇ ଗୋପାଳ ଦାସ କିଏ ? ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି ଚଳାଇଥିବା ଏଏସଆଇ ଗୋପାଳ ଦାସଙ୍କ ସମ୍ପୂର୍ଣ୍ଣ ନାମ ହେଉଛି ଗୋପାଳକୃଷ୍ଣ ଦାସ। ସେ ବ୍ରହ୍ମପୁରରେ ଜଣେ କନଷ୍ଟେବଳ ଭାବରେ ନିଜର କ୍ୟାରିୟର୍ ଆରମ୍ଭ କରିଥିଲେ। ତାଙ୍କୁ ଏଏସଆଇ ପଦରେ ପଦୋନ୍ନତି ଦିଆଯାଇଥିଲା ଏବଂ ଝାସୁଗୁଡା ପଠାଯାଇଥିଲା। ଏଠାରେ ସେ ୧୨ ବର୍ଷରୁ ଅଧିକ ସମୟ ସେବା କରିଥିଲେ। ବର୍ତ୍ତମାନ ସେ ବ୍ରଜରାଜନଗରରେ ଗାନ୍ଧି ଛକ ଥାନର ପ୍ରଭାରୀ ଦାୟିତ୍ୱରେ ଅଛନ୍ତି।
ଏକ ନିର୍ଭରଯୋଗ୍ୟ ସୂତ୍ର ସୂଚନା ଅନୁସାରେ, ରବିବାର ପୂର୍ବାହ୍ଣରେ ମନ୍ତ୍ରୀ ଝାରସୁଗୁଡାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେଠାରୁ କାର୍ଯ୍ୟକ୍ରମ ସାରି ମନ୍ତ୍ରୀ ବ୍ରଜରାଜନଗର ଗାନ୍ଧିଛକରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସୁଥିଲେ। ଏହି ସମୟରେ ପୋଲିସ ଏଏସଆଇ ଗୋପାଳ ଦାସ ମନ୍ତ୍ରୀଙ୍କ ପାଇଲଟ ଦାୟିତ୍ୱରେ ଥିଲେ। ବ୍ରଜରାଜନଗର ଫାଣ୍ଡିଠାରୁ ଅଳ୍ପଦୂରରେ କୌଣସି ଏକ କାରଣ ପାଇଁ ମନ୍ତ୍ରୀ ପୋଲିସ ଏଏସଆଇକୁ ଗାଳି କରିଥିଲେ। ସର୍ବସମ୍ମୁଖରେ ମନ୍ତ୍ରୀ ତାଙ୍କୁ ଗାଳି କରିବାରୁ ସେ ହଠାତ କ୍ରୋଦ୍ଧରେ ଜର୍ଜରିତ ହୋଇପଡିଥିଲେ।
Gopal Das
ମାନସିକ ବିକାରଗ୍ରସ୍ତ ରୋଗରେ ପୀଡିତ ଥିବା ଗୋପାଳ ବୋଧହୁଏ ମନ୍ତ୍ରୀଙ୍କ ଗାଳିକୁ ସହ୍ୟ କରିପାରିନଥିଲେ। ଏହାର କିଛି ସମୟ ପରେ ମନ୍ତ୍ରୀଙ୍କ ଗାଡି ବ୍ରଜରାଜନଗର ସ୍ଥିତ କାର୍ଯ୍ୟକ୍ରମସ୍ଥଳରେ ପହଞ୍ଚିଥିଲା। ପୋଲିସ ଏଏସଆଇ ଜଣକ ତୁରନ୍ତ ମନ୍ତ୍ରୀଙ୍କ ସାମ୍ନାକୁ ଆସି ଦୁଇ ରାଉଣ୍ଡ ଗୁଳି ମାଡ କରିଥିଲେ। ଫଳରେ ମନ୍ତ୍ରୀ ନବ ଦାସ ସେଠାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଟଳି ପଡିଥିଲେ।