ଫେବୃଆରୀ ୯ ରେ ବାରବାଟୀରେ ଭାରତ ଇଂଲଣ୍ଡ ମ୍ୟାଚ୍, ହେଲେ ମିଳିବନି ଟିକେଟ! ଜାଣନ୍ତୁ କାହିଁକି
ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ଦିବାରାତ୍ର ଦିନିକିଆ ମ୍ୟାଚ ହେବ । ପ୍ରସ୍ତୁତିରେ ଲାଗିଛି ଓସିଏ । ଷ୍ଟାଡିୟମକୁ ଖେଳ ଦେଖିବା ପାଇଁ ଆସୁଥିବା ଦର୍ଶକଙ୍କ ସହ କ୍ରିକେଟ ପ୍ରେମୀଙ୍କ ମନୋରଞ୍ଜନ ପାଇଁ ଷ୍ଟାଡିୟମ ବାହାରେ ବ୍ୟାପକ ଆୟୋଜନ କରାଯିବ । ପୁରା ଦର୍ଶକ କ୍ଷମତାର ଅଧାରୁ ଅଧିକ ପାସ୍ ଫଳରେ ୯ ତାରିଖ ମ୍ୟାଚ ପାଇଁ ଏଭଳି କିଛି ଆଶଙ୍କା ପ୍ରକାଶ ପାଇଛି । ଭିଆଇପିଙ୍କ ପାଇଁ ପାସ୍ ସନ୍ତୁଷ୍ଟିକରଣ କାହା ସ୍ୱାର୍ଥରେ ବୋଲି ଅନେକ ପ୍ରଶ୍ନ କରିଛନ୍ତି ।
୪୫ ହଜାରରୁ ମାତ୍ର ୧୬ ହଜାର ଟିକେଟ ବିକ୍ରି ହେବାକୁ ଥିବାରୁ ସାଧାରଣ କ୍ରୀଡାପ୍ରେମୀଙ୍କ ପାଇଁ ଏହା ନିଅଣ୍ଟ ହେବା ଜଳଜଳ ଦିଶୁଛି। ପାସ୍ ବ୍ୟବସ୍ଥାରେ ଅଙ୍କୁଶ ଲଗାଇବାକୁ ଚାପ ବଢିବାରେ ଲାଗିଛି। ତେବେ ମ୍ୟାଚ ଦେଖିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ଲୋକ ଆସୁଥିବାରୁ ସେମାନଙ୍କୁ ଉପଯୁକ୍ତ ଆତିଥ୍ୟ ପ୍ରଦାନ କରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି ।
ଏହି କ୍ରମରେ ପ୍ରଥମ ଥର ଲାଗି ସତ୍ୟବ୍ରତ ଷ୍ଟାଡିମୟରେ ଫ୍ୟାନ୍ ପାର୍କ କରାଯିବ। ଏହି ଫ୍ୟାନ୍ ପାର୍କରେ ବଡ ବଡ ଏଲିଡି ସ୍କ୍ରିନ ଲାଗିବ ଏବଂ ସେଥିରେ ମ୍ୟାଚର ସିଧା ପ୍ରସାରଣ କରାଯିବ । ଏହା ସହିତ କଟକର ପ୍ରଶିଦ୍ଧ ଦହିବରା ଆଳୁଦମ ଓ ଠୁଙ୍କାପୁରୀ ଭଳି ସୁସ୍ବାଦୁ ବ୍ୟଞ୍ଜନ ସହିତ ବିଭିନ୍ନ ପ୍ରକାର ଖାଦ୍ୟ ସମଗ୍ରୀ ବିକ୍ରି କରାଯିବ । କେବଳ ସେତିକି ନୁହେଁ କଟକକୁ ସମଗ୍ର ବିଶ୍ବରେ ପରିଚିତ କରାଇ ପାରିଥିବା ତାରକସୀ କାରୁକାର୍ଯ୍ୟର ଷ୍ଟଲ ମଧ୍ୟ ଏହି ପାର୍କରେ ରହିବ ।
ଏହାରି ଭିତରେ ପଡ଼ିଆରେ ନେଟ୍ସ ପିଚର ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି । ଭାରତ-ଇଂଲଣ୍ଡ ଦିନିକିଆ ପାଇଁ ବାରବାଟୀ ଷ୍ଟାଡିୟମରେ ମୋଟ ୬ଟି ନେଟ୍ସ ପିଚ୍ର ବ୍ୟବସ୍ଥା କରାଯାଇଛି । ଏବଂ ସମସ୍ତ ପିଚ୍ରେ ୧୨ ଫୁଟ ଉଚ୍ଚତା ବିଶିଷ୍ଟ ନେଟ ଲଗାଯାଇଛି । ତେବେ ଆନ୍ତଜାତିୟ କ୍ରିକେଟ ଖେଳାଳିମାନଙ୍କ ପାଇଁ ଉଦିଷ୍ଟ ଥିବା ମାନଦଣ୍ଡକୁ ଆଧାର କରି ଏହି ନେଟ୍ସ ଗୁଡିକୁ ପ୍ରସ୍ତୁତ କରାଯାଇଛି ।
ବାରବାଟୀରେ ମ୍ୟାଚ ହେଉଥିବାରୁ କ୍ରିକେଟ ଫ୍ୟାନଙ୍କ ମଧ୍ୟରେ ଉତ୍ସାହ ବଢି ଚାଲିଛି । ମ୍ୟାଚ ପାଇଁ ଫେବ୍ରୁଆରୀ ୨ରୁ ଅନଲାଇନରେ ଟିକେଟ ମିଳିବ । ସେହିପରି ୫ ଓ ୬ ତାରିଖରେ କାଉଣ୍ଟରରେ ମିଳିବ ଟିକେଟ । ଆସନ୍ତା ୭ ତାରିଖ ଦିନ ଉଭୟ ଟିମ ଭୁବନେଶ୍ବରେ ପହଁଚିବା ପରେ ୮ ତାରିଖରେ ନେଟ୍ସ ଅଭ୍ୟାସ କରିବେ ।