ଦେଖନ୍ତୁ ଭିଡିଓ: ବରମୁଣ୍ଡା ବସଷ୍ଟାଣ୍ଡର ରୂପ ରେଖା ବଦଳାଇଦେଲେ ସରକାର, ବସଷ୍ଟାଣ୍ଡରେ ମିଳିବ ବିମାନବନ୍ଦରର ସୁବିଧା

 
Barmunda bus terminal

ଓଡ଼ିଶାର ବିକାଶ ହିଁ ବିଜେଡି ର ମୂଳ ଲଖ୍ୟ, ଯାହାର ଝଲକ ଏବେ ଦେଖିବାକୁ ମିଳୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ରେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ସକାଳୁ ଭୁବନେଶ୍ୱର ବରମୁଣ୍ଡାରେ ନିର୍ମାଣାଧୀନ ଆନ୍ତଃ ରାଜ୍ୟ ବସ୍ ଟର୍ମିନାଲ ପରିଦର୍ଶନ କରିଛନ୍ତି । ଆଇଏସବିଟିରେ ଚାଲିଥିବା ବିଭିନ୍ନ କାର୍ଯ୍ୟର ଅଗ୍ରଗତିର ତଦାରଖ କରିଛନ୍ତି ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ। 

Barmunda bus terminal

ଆଇଏସବିଟି ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବା ସମ୍ଭାବନା ରହିଛି। ଆଇଏସବିଟି କାର୍ଯ୍ୟକ୍ଷମ ହେଲେ ଏହା କେବଳ ଓଡ଼ିଶାବାସୀଙ୍କ ପାଇଁ ନୁହେଁ, ବରଂ ପଡୋଶୀ ରାଜ୍ୟର ଲୋକଙ୍କ ପାଇଁ ବି ଏକ ଗୁରୁତ୍ବପୂର୍ଣ୍ଣ ଟ୍ରାଞ୍ଜିଟ୍ ହବ୍ ହେବ । ଫେବୃଆରୀ ମଧ୍ୟଭାଗ ସୁଦ୍ଧା ଏହାକୁ କାର୍ଯ୍ୟକ୍ଷମ କରିବାକୁ ଫାଇଭ ଟି ଅଧ୍ୟକ୍ଷ ନିର୍ଦେଶ ଦେଇଛନ୍ତି । ଆଇଏସବିଟି ବସଷ୍ଟାଣ୍ଡରେ ମିଳିବ ବିମାନବନ୍ଦରର ସୁବିଧା । ଏଠାରେ ପ୍ରିପେଡ ଅଟୋ ଓ ଟ୍ୟାକ୍ସି ବ୍ୟବସ୍ଥା ମଧ୍ୟ ରହିବ ।

ଆଇଏସବିଟି ସ୍ଥଳକୁ ଯାଇ ୫-ଟି ଅଧ୍ୟକ୍ଷ ଯାତ୍ରୀଙ୍କ ପାଇଁ କରାଯାଇଥିବା ବିଭିନ୍ନ ବ୍ୟବସ୍ଥାର ନୀରିକ୍ଷଣ କରିଥିଲେ । ଅପରେସନ କଣ୍ଟ୍ରୋଲ ସେଣ୍ଟର ( ଓସିସି )ର ସେ ପ୍ରଶଂସା କରିବା ସହ ଏହାର ସୁରକ୍ଷା ପାଇଁ ହାଇଟେକ୍ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ ପାଣ୍ଡିଆନ। ଯାତ୍ରୀମାନଙ୍କ ସୂଚନା ପାଇଁ ଓଡ଼ିଆରେ ଲିଖିତ ଉପଯୁକ୍ତ ସାଇନ୍ ବୋର୍ଡ ଓ ମାନଚିତ୍ର ବ୍ୟବସ୍ଥା କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ୫-ଟି ଅଧ୍ୟକ୍ଷ । ବାକି ରହିଥିବା କାମ ତ୍ୱରାନ୍ୱିତ କରିବା ସହ ଫେବ୍ରୁଆରୀ ମଧ୍ୟଭାଗ ସୁଦ୍ଧା ଶେଷ କରି ଲୋକାର୍ପଣ ପାଇଁ ଆଇଏସବିଟିକୁ ପ୍ରସ୍ତୁତ କରିବାକୁ ବିଡିଏ ଟିମକୁ ନିର୍ଦ୍ଦେଶ ଦେଇଛନ୍ତି ୫-ଟି ଅଧ୍ୟକ୍ଷ ।

୧୫ ଏକରରୁ ଅଧିକ ଜମିରେ ନିର୍ମାଣ ହେଉଥିବା ବରମୁଣ୍ଡା ଆଇଏସବିଟି ପ୍ରକଳ୍ପର ଦାୟିତ୍ବ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ – ବିଡିଏ ହାତରେ ନ୍ୟସ୍ତ କରାଯାଇଛି । ଯାତ୍ରୀମାନଙ୍କ ପାଇଁ ଏଥିରେ ବିଭିନ୍ନ ବ୍ୟବସ୍ଥା ରହିବ । ଏଥିସହ ଅଫିସ ସ୍ପେସ୍, ପାର୍କିଂ ବ୍ୟବସ୍ଥା, ଫୁଡ୍ କୋର୍ଟ, ରେଷ୍ଟୁରାଣ୍ଟ ଓ ବ୍ୟବସାୟିକ ସ୍ଥାନର ବି ବ୍ୟବସ୍ଥା ରହିବ । ଆଇଏସବିଟି ଯାତ୍ରୀମାନଙ୍କୁ ଏକ ବିମାନବନ୍ଦରର ଅନୁଭୂତି ପ୍ରଦାନ କରିବ । ଏକ ଆଧୁନିକ ପରିବହନ ହବ୍ ଭାବେ ଆଇଏସବିଟି ଦ୍ୱାରା ଓଡ଼ିଶାର ଜନସାଧାରଣ ଉପକୃତ ହେବେ । 

ସମସ୍ତ ସୁବିଧା ସୁଯୋଗ ସହ ଯାତ୍ରୀମାନଙ୍କୁ ଆରାମଦାୟକ ଯାତ୍ରା ଅନୁଭୂତି ଦେବ ଆଇଏସବିଟି । କାର୍ଯ୍ୟକ୍ଷମ ହେବାକୁ ଥିବା ଏହି ଟର୍ମିନାଲରେ ଅତ୍ୟାଧୁନିକ ଆହାର କେନ୍ଦ୍ର, ରେଷ୍ଟୁରାଣ୍ଟ, ବହୁତଳ କାର୍ ପାର୍କିଂ, ପିକ୍ ଅପ୍ /ଡ୍ରପ୍ ଅଫ୍ ବ୍ୟବସ୍ଥା, ସୋଲାର ପ୍ୟାନେଲ ସିଷ୍ଟମ ଓ ସିୱଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ରହିଛି। ଯାତ୍ରୀଙ୍କ ସୁରକ୍ଷା ପାଇଁ ପୋଲିସ ସେବା କେନ୍ଦ୍ର ସହ ଟର୍ମିଲନାଲ ପରିଚାଳନା ପାଇଁ ପ୍ରଶାସନିକ ବିଲ୍ଡିଂ, ଯାତ୍ରୀଙ୍କ ପାଇଁ ଶୌଚାଳୟ, ଭିନ୍ନକ୍ଷମ ଓ ବୟସ୍କ ଯାତ୍ରୀଙ୍କ ପାଇଁ ରେମ୍ପ ବ୍ୟବସ୍ଥା ଏବଂ ମହିଳା ଯାତ୍ରୀଙ୍କ ପାଇଁ ଫିଡିଂ ରୁମ ରହିବ । ୫-ଟି ଅଧ୍ୟକ୍ଷଙ୍କ ଆଇଏସବିଟି ସ୍ଥଳ ପରିଦର୍ଶନ ବେଳେ ବିଡିଏ ଭିସି, ଭୁବନେଶ୍ୱର ଡିସିପି, ବିଏମସି କମିଶନର ଓ ବିଡିଏର ଏବଂ ଅନ୍ୟ ଏଜେନ୍ସୀ ଅଧିକାରୀମାନେ ଉପସ୍ଥିତ ଥିଲେ।