ଖୁସି ଖବର, ମନ୍ତ୍ରୀ ଦେଲେ ସୂଚନା ଏବେ ଏହି ମାନଙ୍କୁ ମିଳିବ ଆବାସ ଯୋଜନାରେ ଅଢେଇ ଲକ୍ଷ ଟଙ୍କା
ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବଡ ଖବର ସାମ୍ନାକୁ ଆସିଛି । ପିଏମ୍ ଆବାସ ଯୋଜନାରେ ଆବେଦନ କରୁଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର ରହିଛି । ସରକାରର ୧୦୦ ଦିନ ଭିତରେ ସୁଭଦ୍ରା ଯୋଜନା ଲାଗୁ କରି ପ୍ରଶଂସା ସାଉଁଟିବାରେ ଲାଗିଛନ୍ତି ରାଜ୍ୟର ବିଜେପି ସରକାର । ସରକାରକୁ ଆସିବା ପରେ ଯୋଜନା ସବୁ ଲାଗୁ କରିବା ସହିତ ନୂଆ ନୂଆ ପଦକ୍ଷେପ ନେଉଛନ୍ତି ମୋହନ ସରକାର ।
ତେବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ଆଜି ବଡ଼ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ସେ କହିଛନ୍ତି, ବାପାଙ୍କ ଠାରୁ ଭିନ୍ନ ହୋଇଥିବା ପୁଅକୁ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳିବ ଘର । ମନ୍ତ୍ରୀ ଆହୁରି କହିଛନ୍ତି ଯେ, ପୂର୍ବ ସରକାରରେ ବଞ୍ଚିତ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯିବ । ଯୋଗ୍ୟ ହିତାଧିକାରୀଙ୍କୁ ୬ ମାସ ଭିତରେ କାର୍ଯ୍ୟାଦେଶ ଦିଆଯିବ । ଏହି ପ୍ରକ୍ରିୟାରେ ୨୦ରୁ ୨୨ ଲକ୍ଷ ହିତାଧିକାରୀଙ୍କୁ ଘର ମିଳିବ ।
ହିତାଧିକାରୀ ଚୟନରେ ତ୍ରୁଟି ରହିଲେ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ। ସୂଚନା ଅନୁଯାୟୀ, ୨୦୧୫ରେ ଭାରତ ସରକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆରମ୍ଭ ହୋଇଥିଲା ।
ଏହି ଯୋଜନା ଅଧୀନରେ ଲାଭ ପାଇବା ପାଇଁ କିଛି ଯୋଗ୍ୟତା ମାନଦଣ୍ଡ ସ୍ଥିର କରାଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଲାଭ ପାଇବାକୁ ଆବେଦନକାରୀଙ୍କ ବାର୍ଷିକ ପାରିବାରିକ ଆୟ ୩ ଲକ୍ଷରୁ ଅଧିକ ହେବା ଉଚିତ ନୁହେଁ ।
୩ ଲକ୍ଷରୁ କମ୍ ଆୟ ଥିବା ଲୋକମାନେ ଏହି ଯୋଜନାରେ ଲାଭ ପାଇପାରିବେ। ଏହି ଯୋଜନାରେ ଅଢେଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବସିଡି ସରକାର ଯୋଗାଇ ଦେଇଛନ୍ତି । ଏହି ଯୋଜନା ଅଧୀନରେ ପ୍ରାପ୍ତ ପ୍ରଥମ କିସ୍ତି ହେଉଛି ୫୦ ହଜାର ଟଙ୍କା, ଦ୍ୱିତୀୟ କିସ୍ତି ହେଉଛି ଦେଢ ଲକ୍ଷ ଏବଂ ଶେଷ ଅର୍ଥାତ୍ ତୃତୀୟ କିସ୍ତି ୫୦ ହଜାର ଟଙ୍କା ରହିଛି ।