ଦେଖନ୍ତୁ ଭିଡିଓ: ଟୁଟୁ ନାୟକଙ୍କ ବିରୋଧରେ ଯେଉଁ ସବୁ ଦଫା ଲାଗିଛି ପ୍ରମାଣିତ ହେଲେ ୫ ବର୍ଷ ଜେଲ ହେବ

 
Tutu nayak

ମହାଙ୍ଗା ପଡିଲା ମହିଳା ସାମ୍ବାଦିକାଙ୍କୁ ଚାପୁଡ଼ା ମାରିବା ଜେଲ ଗଲେ ସିନେ ପ୍ରଯୋଜକ ଟୁଟୁ ନାୟକ। ଶୁକ୍ରବାର ମହିଳା ସାମ୍ବାଦିକାଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଥିଲା। ଭୁବନେଶ୍ବର ଏସ୍‌ଜିଏମ୍‌ କୋର୍ଟରେ ଜାମିନ ନମଞ୍ଜୁର ହେବା ପରେ ଟୁଟୁ ନାୟକ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଯାଇଛନ୍ତି।

ଏହି ସମୟ ମଧ୍ୟରେ ସେ ଝାରପଡ଼ା ଜେଲରେ ରହିବେ। ଏହି ମାମଲାରେ ଭୁବନେଶ୍ବର ଏସ୍‌ଡିଜେଏମ୍‌ କୋର୍ଟରେ ଆସନ୍ତା ୬ ତାରିଖ ଦିନ ପୁନଃ ଶୁଣାଣି ହେବ। ସରକାରୀ ଓକିଲ ଏହି ସୂଚନା ଦେଇଛନ୍ତି। ଏହି ଘଟଣାକୁ ନେଇ ନିଜ ଆଡ଼ୁ ମାମଲା ରୁଜୁ କରିଛନ୍ତି ମହିଳା କମିଶନ। ଘଟଣାର ତଦନ୍ତ କରି ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ କମିଶନରେଟ ପୋଲିସକୁ ମହିଳା କମିଶନ ନିର୍ଦ୍ଦେଶ ଦେଇଛନ୍ତି।

Tutu

ଗିରଫ ପୂର୍ବରୁ ଟୁଟୁ ନାୟକ କ୍ଷମା ମାଗି ଲେଖିଛନ୍ତି ତୁମେ ମୋ ଝିଅ ବୟସର ହେବ । ତୁମେ ବହୁତ ଦିନରୁ ଜାଣିଛ ଏବଂ ମୋ ଘରକୁ ମଧ୍ୟ ୩ ବା ୪ ଥର ଆସିଛ । ମୁଁ ତୁମକୁ ମିଡ଼ିଆ ଭାଇ ଭଉଣୀଙ୍କ ପରି ପରିବାରର ସଦସ୍ୟ ଭାବେ ଓ ସେହିଭଳି ବ୍ୟବହାର କରେ ।ସେ ଆହୁରି ମଧ୍ୟ  ଲେଖିଛନ୍ତି, ‘ଆଜି ମୁଁ ସ୍ଵାତି ସିନେମା ହଲରୁ ମହାରାଜା ସିନେମା ହଲକୁ ଆଉ ଗୋଟେ ପ୍ରିମିୟର ସୋକୁ ଗଲାବେଳେ ତୁମେ ମାନେ ଗେଟ୍ ମଝିରେ ଠିଆ ହୋଇଥିଲ ।

ମୁଁ ତୁମକୁ ଡ଼ାକିଥିଲି କିନ୍ତୁ ବାଜା ବାଜୁଥିବାରୁ ତୁମକୁ ଶୁଭି ନ ଥିଲା, ତେଣୁ ମୁଁ ତୁମ ପିଠି ଥାପୁଡ଼େଇ ତୁମକୁ ସାଇଡ୍ କରିଥିଲି ଏବଂ ତୁମ ହାତରୁ ବୁମ ଖସିପଡ଼ିଥିଲା ମୁଁ ଉଠେଇଲା ବେଳକୁ ଆମ ମିଡ଼ିଆ ଭାଇମାନେ ଉଠେଇକି ଦେଇଦେଇଥିଲେ, ଏବଂ ମୁଁ ସ୍ନେହରେ ତୁମ ଗାଲକୁ ଥାପୁଡ଼େଇ କହିଥିଲି ତୁ ଖାଇନୁ କିରେ ? ଆଉ ତୁମେ ହସିକି କହିଥିଲ ହଁ ଭାଇ ମୁଁ ଖାଇଛି । ତାପରେ ମୁଁ ଚାଲି ଯାଇଥିଲି ।

ସେ ଆହୁରି ଲେଖିଛନ୍ତି, ‘କିଛି ସମୟ ପରେ ମିଡ଼ିଆ ସୂତ୍ରରୁ ଜାଣିବାକୁ ପାଇଲି ଯେ ଏ ଘଟଣା ଯୋଗୁଁ ତୁମ ମନକୁ ବହୁତ ଆଘାତ ଲାଗିଛି, ଏହା ଜାଣିବା ପରେ ମୁଁ ତୁମ ମୋବାଇଲ କୁ ଚାରି ପାଞ୍ଚ ଥର କଲ କରିଥିଲି ତୁମକୁ ସରି କହିବା ପାଇଁ କିନ୍ତୁ ତୁମେ ଫୋନ ଉଠେଇପାରି ନ ଥିଲ । ତେଣୁ ଏ ମେସେଜ ଜରିଆରେ ତୁମକୁ ଜଣେଇବାକୁ ଚାହୁଁଛି ଯେ ଯଦି ମୋ ଯୋଗୁଁ ତୁମ ମନରେ ଆଘାତ ଲାଗିଛି ତା ହେଲେ ମୁଁ ତୁମକୁ ସରି ମାଗୁଛି’ ।