ଲୋକହସା ହେଲା ଓଡ଼ିଶା, ମ୍ୟାଚ ମଝିରେ ୨୫ ମିନିଟ ବନ୍ଦ ରହିଲା ଫ୍ଲଡ ଲାଇଟ୍, ଜାଣନ୍ତୁ କାହିଁକି ହେଲା ଏମିତି

 
Barabati stadium

ବାରବାଟୀରେ ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦିନିକିଆ ମ୍ୟାଚରେ ଏକ ବଡ଼ ଅଘଟଣ ଘଟିଛି । ଷ୍ଟାଡିୟମରେ ଲାଗିଥିବା ଫ୍ଲଡ ଲାଇଟ ନଜଳିବାରୁ ମ୍ୟାଚ ବାଧାପ୍ରାପ୍ତ ହୋଇଛି । କ୍ଲବ ଟାୱାର ପାଖରୁ ପଳାଇଥିଲା ଲାଇଟ।ଭାରତ ମାତ୍ର ୬ଓଭର ବ୍ୟାଟିଂ କରିବା ପରେ ହିଁ ଏଭଳି ଅଘଟଣ ଘଟିଛି । ଲାଇଟ ନଜଳିବାରୁ କିଛି ସମୟ ଉଭୟ ଦଳର ଖେଳାଳି ପଡ଼ିଆରେ ଅପେକ୍ଷା କରିଥିଲେ ।

ତଥାପି ଲାଇଟ ନଜଳିବାରୁ ଖେଳାଳିମାନେ ପଡ଼ିଆ ଛାଡ଼ିଥିଲେ । ୨୫ ମିନିଟ ପରେ ଲାଇଟ୍ ସମସ୍ୟା ଦୂର ହୋଇଥିଲା ଜଳୁନଥିବା ଫ୍ଲଡ ଲାଇଟ ପୁଣିଥରେ ଜଳିଥିଲା। ୫ ବର୍ଷ ପରେ ଷ୍ଟାଡିୟମ ଆସିଥିବା କ୍ରିକେଟ ପ୍ରେମୀଙ୍କ ମହଲରେ ଦେଖ ଦେଇଥିଲା ଅସନ୍ତୋଷ। ଫ୍ଲଡ ଲାଇଟରେ ତ୍ରୁଟି ଯୋଗୁ ଅନ୍ଧାର ହୋଇଯାଇଥିଲା ସାରା ପରିବେଶ। ପ୍ରଥମେ ଷ୍ଟାଣ୍ଡର କିଛି ଲାଇଟ ବନ୍ଦ ହୋଇ ଯାଇଥିଲା। ପରେ ପରେ ସମ୍ପୂର୍ଣ୍ଣ ଷ୍ଟାଣ୍ଡର ଲାଇଟ ଲିଭି ଯାଇଥିଲା।

Flood light

ପାଞ୍ଚ ବର୍ଷ ପରେ ବାରବାଟୀକୁ ଏକ ଆନ୍ତର୍ଜାତୀୟ ମ୍ୟାଚ ଆସିଥିଲା। ହେଲେ ଓସିଏର ଖରାପ ପ୍ରସ୍ତୁତି ପାଇଁ ଆଜି ବାରବାଟୀ ଷ୍ଟାଡିୟମ ଆନ୍ତର୍ଜାତୀୟ ସ୍ତରରେ ବଦନାମ ହୋଇଛି। ସୂଚନା ଅନୁସାରେ ଷ୍ଟାଡିୟମରେ ଥିବା ଫ୍ଲଡ ଲାଇଟ ଲିଭିଯିବା ପରେ ବ୍ୟାଟରଙ୍କୁ ବ୍ୟାଟିଂ କରିବା ପାଇଁ ଅସୁବିଧା ସୃଷ୍ଟି ହୋଇଥିଲା। ଫଳରେ ସେମାନେ ଅମ୍ପାୟରଙ୍କୁ ଏହି ଅଭିଯୋଗ କରିଥିଲେ। ସେମାନେ ଏପରି ଲାଇଟିରେ ଖେଳିପାରିବେ ନାହିଁ ବୋଲି ଜଣାଇଦେଇଥିଲେ। 

ଫଳରେ ଅମ୍ପାୟର ଖେଳକୁ ସ୍ଥଗିତ ରଖିଥିଲେ। ସମସ୍ତ ଖେଳାଳୀ ପଡିଆ ଛାଡି ପ୍ୟାଭିଲିୟନକୁ ଫେରିଯାଇଥିଲେ। ତେବେ ଏପରି କାହିଁକି ହେଲେ ତା'ର ପ୍ରକୃତ କାରଣ ଜଣା ପଡିନଥିବା ବେଳେ ଓସିଏ କିପରି ଲାଇଟକୁ ସଠିକ୍ ଭାବେ ଯାଞ୍ଚ କରିନଥିଲା ସେନେଇ ସବୁଆଡୁ ଓସିଏ ଦାୟୀ କରାଯାଉଛି। ଏପରି ଅଭାବନୀୟ ସ୍ଥିତି ପାଇଁ ଦର୍ଶକ କିଛି ସମୟ ପାଇଁ ନିରାଶ ହୋଇଯାଇଥିଲେ। ଏହି ଲାଇଟ କଟିବା ନେଇ ରୋହିତ ଶର୍ମା ମଧ୍ୟ ନିରାଶ ହୋଇଥିଲେ।