ବିପଦ ଆସିବା ପୂର୍ବରୁ ସଙ୍କେତ ଦିଏ ନୀଳଚକ୍ର ବାନା, ଧଳା ଧ୍ବଜା ଲାଗିଲେ କାହିଁକି ଆସେ ବାତ୍ୟା? ଜାଣନ୍ତୁ ଏହାର ମାହାତ୍ମ୍ୟ

 
Nilachakra bana

ସାଧାରଣତଃ ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡିଶା ଏବଂ ସାରା ଓଡ଼ିଶାବାସୀଙ୍କର ରକ୍ଷା କରନ୍ତି ଏବଂ ଆଗକୁ ଆସୁଥିବା ବିପଦ ବିଷୟରେ ସୂଚାଇ ଦିଅନ୍ତି ବୋଲି ଲୋକଙ୍କର ବିଶ୍ୱାସ ରହିଛି। ବର୍ତ୍ତମାନ ବାତ୍ୟା "ୟାସ୍" ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ବ୍ୟାପକ କ୍ଷେୟକ୍ଷତି କରୁଥିବା ବେଳେ ଏହାର ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥ ନିଜ ଧ୍ବଜା ଦ୍ୱାରା ଆଗରୁ ସୂଚନା ଦେଇଥିବା କଥା କହିଛନ୍ତି ମନ୍ଦିର ପ୍ରଶାସନ।

ଆଗରୁ ହିଁ ଆମ୍ଭର ଲୋକକଥା ରହି ଆସିଛି ଯେ,"ବାନା ଉଡ଼ିବ ଧବଳ, ବର୍ଷା ହେବ ପ୍ରବଳ"। ଏହା ଏକ ଲୋକକଥା ହୋଇଥିଲେ ମଧ୍ୟ ଏହା ପ୍ରକୃତରେ ଶ୍ରୀମନ୍ଦିରରେ ଘଟିଆସୁଛି। ଶ୍ରୀମନ୍ଦିରର ଚୁନରା ସେବକ ଡ. ଶରତ ମହାନ୍ତି ନିଜର ୩୮ ବର୍ଷର ଅନୁଭୂତିକୁ ନେଇ ଏପରି କଥା କହିଛନ୍ତି। ତାଙ୍କ କହିବା ମୁତାବକ ପ୍ରତ୍ୟେକ ଦିନ ବହୁ ସଂଖ୍ୟକ ଭକ୍ତ ବାନା ବାନ୍ଧିବା ପାଇଁ ଦେଇଥାନ୍ତି। କିନ୍ତୁ କେଉଁ ବାନାଟି ବନ୍ଧା ଯିବ ସେଥିନେଇ ଶ୍ରୀମନ୍ଦିର ଶାଖା କାର୍ଯ୍ୟାଳୟରେ ଲଟେରି ହୋଇଥାଏ ଏବଂ ଲଟେରି ଅନୁଯାୟୀ ହିଁ ମୁଖ୍ୟ ବାନା ବନ୍ଧାଯାଇଥାଏ।

ତେବେ ପ୍ରାୟତଃ ସବୁଦିନ ହଳଦିଆ ଏବଂ ନାଲିରଙ୍ଗର ବାନା ଲଟେରିରେ ଉଠୁଥିବା ବେଳେ, ଯେଉଁଦିନ ଧଳା ବାନା ଲଟେରି ଉଠେ ତା ପରଦିନ ବା କିଛିଦିନ ଭିତରେ ପବନ ବର୍ଷା ହେବାର ସମ୍ଭାବନା ଅଧିକ ରହିଥାଏ। ଶ୍ରୀ ମହାନ୍ତିଙ୍କ କହିବା ମୁତାବକ ପୂର୍ବରୁ ମଧ୍ୟ "ଅମ୍ଫାନ" ଏବଂ "ଫଣି" ବାତ୍ୟା ହେବା ପୂର୍ବରୁ ଶ୍ରୀମନ୍ଦିର ଉପରେ ଧଳା ବାନା ଉଡିଥିଲା। ନିଜର ୩୮ ବର୍ଷର ଅନୁଭୂତି କୁ ଆଧାର କରି ଶ୍ରୀ ମହାନ୍ତି ଏପରି ଘଟଣା ପ୍ରାୟତଃ ସଠିକ ସୂଚନା ଦେଉଥିବା କହିଛନ୍ତି।