ଦେଖନ୍ତୁ ଭିଡିଓ: ସାମ୍ନାକୁ ଆସିଲା ସତ, କେମିତି ହୋଇଥିଲା ବଡ଼ ଦୁର୍ଘଟଣା, ସବୁ କହିଦେଲେ ଧଉଳି ଯାତ୍ରା ପାର୍ଟି କର୍ମଚାରୀ

 
Jatra party truck accident

ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦ୍ୱାରଶୁଣୀ ଘାଟିରେ ଧଉଳି ଗଣନାଟ୍ୟର ଗାଡ଼ି ମର୍ମନ୍ତୁଦ ଦୁର୍ଘଟଣାର ଶିକାର। ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ଯାତ୍ରା ପାର୍ଟି ଟ୍ରକ୍‌। ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରେ ଅଗ୍ନିଶମବାହିନୀ ଓ ପୋଲିସ ପହଂଚି ଟ୍ରକ ତଳେ ଫସିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ।

Dhauli jatra

ଟ୍ରକର ବ୍ରେକ ଫେଲ ହୋଇଯିବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି। ରାଇରଂଗପୁର ବାସିଙ୍ଗିରୁ ଯାତ୍ରା ସାରି ଜଳେଶ୍ୱର ଅଭିମୁଖେ ଟ୍ରକ ଯୋଗେ ବାହାରିଥିଲା ଯାତ୍ରାପାର୍ଟି ଗାଡି। ଟ୍ରକରେ ଯାଉଥିଲା ଯାତ୍ରା ପାର୍ଟିର ବିଭିନ୍ନ ସାମଗ୍ରୀ। ସେହି ଗାଡିରେ ପ୍ରାୟ ୧୫ଜଣ ଶ୍ରମିକ ଶ୍ରେଣୀୟ ଲୋକ ବି ଯାଉଥିଲେ। କିନ୍ତୁ ବିଡମ୍ବନାର ବିଷୟ ଦ୍ୱାରଶୁଣୀ ଘାଟିରୁ ତଳକୁ ଓହ୍ଲାଇବାବେଳେ ଏକ ଅଣଓସାରିଆ ପୋଲ ନିକଟରେ ଗାଡିଟି ତଳକୁ ଖସି ପଡିଥିଲା। ଆଉ ସେହି ଗାଡି ତଳେ ଚାପି ହୋଇଯାଇଥିଲେ ସେଥିରେ ଥିବା ଯାତ୍ରା ପାର୍ଟିର କର୍ମଚାରୀ।

ମୃତକ ଛଅ ଜଣ ମଧ୍ୟରୁ ତିନିଜଣଙ୍କ ପରିଚୟ ଜଣା ପଡିଥିବା ବେଳେ ୩ ଜଣଙ୍କ ପରିଚୟ ମିଳିପାରି ନାହିଁ। ମୃତକ ତିନି ଜଣ କଟକ ଜିଲ୍ଲା ଜମରା ଗ୍ରାମର ଅଶୋକ ମଲ୍ଲିକ, ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳର ମାଧ ଓ ଅନ୍ୟଜଣେ ହେଲେ ଝାଡେଶ୍ୱର ମାରାଣ୍ଡି। ମୃତକ ୬ ଜଣଙ୍କ ଶବ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିଛି। ଘଟଣା ସ୍ଥଳରେ ବାଙ୍ଗିରିପୋଷି ଅଗ୍ନିଶମ ବାହିନୀ ଏବଂ ସ୍ଥାନୀୟ ଲୋକମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। କୋହଲା ପାଗ ସାଙ୍ଗକୁ ଝିପି ଝିପି ବର୍ଷା ଲାଗିରହିଥିବା ସତ୍ବେ ଉଦ୍ଧାର କାର୍ଯ୍ୟ ଚାଲିଛି।

ଏହି ଦୁର୍ଘଟଣାରେ କଟକ ନିଶ୍ଚିନ୍ତ କୋଇଲି ବ୍ଲକ ଜମାରାର ଅଶୋକ ମଲ୍ଲିକଙ୍କ ମୃତ୍ୟୁ ପରେ ତାଙ୍କ ଗାଁର ଦୃଶ୍ୟ ଅତି ଦୁଃଖଦାୟକ। ଧଉଳି ଗଣନାଟ୍ୟରେ ଇଲେକ୍ଟ୍ରିକାଲ୍ ୱାର୍କର ଭାବେ ଅଶୋକ କାମ କରୁଥିଲେ। ବଡ କଥା ହେଉଛି, ମାତ୍ର ମାସେ ତଳେ ସେ ଧଉଳି ଗଣନାଟ୍ୟରେ ଯୋଗ ଦେଇଥିଲେ। ୨୦୧୬ରେ ଅଶୋକଙ୍କ ବିବାହ ହୋଇଥିଲା। ଏବେ ତାଙ୍କର ୬ ବର୍ଷର ଛୋଟ ପୁଅଟିଏ ଅଛି। କିନ୍ତୁ ବିଡମ୍ବନାର ବିଷୟ ଦୁର୍ଘଟଣାରେ ଅଶୋକଙ୍କର ମୃତ୍ୟୁ ହୋଇଛି। ଏହି ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି।

ତେବେ ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ମୃତକମାନଙ୍କ ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇଛନ୍ତି। ଏହା ସହିତ ମୃତ ବ୍ୟକ୍ତିମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୩ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଏହାସହିତ ଆହତ ବ୍ୟକ୍ତି ମାନଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଏବଂ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।