ଜିରୋ ଡିମାଣ୍ଡ କହି ଭଲପାଇ ବାହା ହେଲା, ୧୧ ମାସ ପରେ ଘରୁ ମିଳିଲା ନବ ବଧୂଙ୍କ ମୃତଦେହ, ଜାଣନ୍ତୁ ପୁରା ଘଟଣା

 
Mahila

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁରଥାନା ଏସ୍‌ ଗୋପାଳପୁର ଗ୍ରାମରେ ଜଣେ ନବବଧୂଙ୍କ ସନ୍ଦେହଜନକ ମତ୍ୟୁ ଘଟିଛି। ମୃତକ ଜଣକ ହେଲେ ବିକ୍ରମ ବରାଡଙ୍କ ସ୍ତ୍ରୀ ନିଶା ପ୍ରଧାନ। ନିଶାଙ୍କ ମା’କୁମାରୀ ପ୍ରଧାନଙ୍କ ଏତଲାକ୍ରମେ ପାଟପୁର ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରା ମାମଲା ରୁଜୁ କରିଛନ୍ତି। ପୋଲିସ ଟିମ୍‌ ଆଡ଼ାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଇଥିଲେ।

ବିକ୍ରମଙ୍କ ମାମୁଁ ଘର ଗାଁ ଭୁଶୁଣ୍ଡା। ସେ ମାମୁଁ ଘର ଗାଁ କୁ ବୁଲି ଯାଉଥିବା ବେଳେ ନିଶାଙ୍କ ସହ ସାକ୍ଷାତ ହୋଇଥିଲା। ଉଭୟେ ପରସ୍ପରକୁ ଭଲ ପାଇ ଆସୁଥିଲେ। ପ୍ରାୟ ୧୧ ମାସ ପୂର୍ବେ ଉଭୟ ପ୍ରେମୀଯୁଗଳ ଫେରାର ହୋଇଯାଇଥିଲେ। କିଛିଦିନ ପରେ ଉଭୟେ ଗ୍ରାମକୁ ଫେରିବାପରେ ଉଭୟ ପକ୍ଷଙ୍କ ପରିବାର ଲୋକଙ୍କ ସହମତି ପରେ କୁଳପ୍ରଥା ଅନୁଯାୟୀ ବିବାହ କରିଥିଲେ। ବିବାହ ସମୟରେ ଶ୍ୱଶୁର ଘର ଲୋକଙ୍କ ଦାବି ପ୍ରକାରେ ସମସ୍ତ ଯୌତୁକ ସାମଗ୍ରୀ ଦିଆଯାଇଥିଲା। 

Mahila

ବିବାହ ପରଠାରୁ ଅଧିକ ଯୌତୁକ ପାଇଁ ଶ୍ୱଶୁର ଘର ଲୋକେ ନିଶାଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା। ନିଶାଙ୍କୁ ବାପଘର ଲୋକେ ଘରକୁ ନେଇ ଆସିଥିଲେ। ପରେ ସ୍ବାମୀ ଓ ଶ୍ୱଶୁର ଘର ଲୋକେ ଗତ ଦୀପାବଳି ସମୟରେ ଘଟଣାର ସମାଧାନ କରି ନିଶାଙ୍କୁ ନେଇଥିଲେ। ବିକ୍ରମ ଗାଁରେ କିଛିଦିନ ରହିବା ପରେ କର୍ମକ୍ଷେତ୍ର ମୁମ୍ବାଇ ଚାଲିଯାଇଥିଲେ। ସ୍ବାମୀ ଚାଲିଗଲା ପରେ ନିଶାଙ୍କୁ ଶ୍ୱଶୁର ଘର ଲୋକେ ନିର୍ଯାତନା ଦେଉଥିବା ନେଇ ତାଙ୍କ ମାଆ କୁମାରୀଙ୍କୁ ଏକାଧିକ ଥର ଫୋନ ଯୋଗେ ଜଣାଇଥିଲେ। 

ବୁଧବାର ରାତିରେ ଶଶୁର ଘର ଲୋକେ ନିଶାଙ୍କୁ ମାଡ଼ ମାରିବା ସହ କୌଣସି କୀଟନାଶକ ଔଷଧ ପିଆଇ ଦେଇଥିଲେ। ପରେ ନିଶା ମାନସିକ ଭାରସାମ୍ୟ ହରାଇ ବିଷ ଖାଇଥିବା ନେଇ ବାପଘର ଲୋକଙ୍କୁ ଶଶୁର ଘର ଲୋକେ ଜେଣାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଆଡ଼ପଡ଼ା ଗୋଷ୍ଠୀ ସୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।