ଭୁବନେଶ୍ୱର ଲୋକସଭା ନିର୍ବାଚନ, ଏଥର ଅପରାଜିତା-ଶ୍ରୀମୟୀ ଲଢ଼େଇ, କିଏ ମାରିବ ବାଜିମାତ? ଜାଣନ୍ତୁ ପୁରା ଖବର

 
Bhubaneswar

ଆଗାମୀ ସାଧାରଣ ନିର୍ବାଚନକୁ ଆଉ ପ୍ରାୟ ୮ମାସ ବାକି ଥିବାବେଳେ ଏବେଠୁ ରାଜଧାନୀ ଭୁବନେଶ୍ୱରରେ ବିଜେଡି ଓ ବିଜେପି ମଧ୍ୟରେ ବଳ କଷାକଷି ଓ ଛକାପଞ୍ଝା ଆରମ୍ଭ ହୋଇଯାଇଛି । ସମ୍ମାନଜନକ ଭୁବନେଶ୍ୱର ଲୋକସଭା ଆସନକୁ ୨୦୧୯ ନିର୍ବାଚନରେ ବିଜେଡିଠୁ ଛଡ଼ାଇ ନେଇଥିବା ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ପୁଣିଥରେ ଏଠାରୁ ପ୍ରାର୍ଥୀ ହେବାର ସମ୍ଭାବନା ଅଧିକ ଥିବାବେଳେ ବିଜେଡି ମଧ୍ୟ ନିଜର ଯୁବ ତଥା ମହିଳା ଚେହେରା ଭାବେ ଦଳର ସାଧାରଣ ସମ୍ପାଦକ ଶ୍ରୀମୟୀ ମିଶ୍ରଙ୍କୁ ଆଗକୁ ଆଣି ନିଜ ଗଡ଼କୁ ଅକ୍ତିଆର ନିମନ୍ତେ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି ।

Bjd bjp

ଯଦି ସବୁକିଛି ଠିକଠାକ୍ ରୁହେ, ତା'ହେଲେ ଏହି ଲୋକସଭା ଆସନରେ ଭୁବନେଶ୍ୱରର ଦୁଇ ବୋହୂଙ୍କ ମଧ୍ୟରେ ଲଢ଼େଇ ଜୋରଦାର ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ । ମିଳିଥିବା ସୂଚନା ଅନୁସାରେ, ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ କ୍ରମାଗତ ଭାବେ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାର ଓ ଫାଇଭ-ଟି ସଚିବଙ୍କୁ ସିଧାସଳଖ ଶାଣିତ ଆକ୍ରମଣ କରିବାକୁ ବିଜେଡି ସହଜରେ ହଜମ କରିପାରୁନି । 

Aparajita

ଅପରାଜିତାଙ୍କୁ ଯେନତେନ ପ୍ରକାରେ କ୍ଷମତା ରାଜନୀତିରୁ ଦୂରେଇ ରଖିବା ପାଇଁ ବିଜେଡି ନେତୃତ୍ୱ ଏବେଠୁ ରଣନୀତି ପ୍ରସ୍ତୁତ କରି ଗୋଟିଏ ଗୁଳିରେ ଦୁଇଟି ଶିକାର ନିମନ୍ତେ ଲକ୍ଷ୍ୟ ରଖିଛନ୍ତି । ବିଜେଡି ନିଜର 'ମହିଳା କାର୍ଡ' ଭାବେ ଦଳର ପ୍ରଭାବଶାଳୀ ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ଆଗକୁ ଆଣିବା ସହ ଅପରାଜିତାଙ୍କୁ କଡ଼ା ଟକ୍କର ଦେବାକୁ ଆବଶ୍ୟକ ରାଜନୀତିକ ଭିତ୍ତିଭୂମି ପ୍ରସ୍ତୁତ କରୁଥିବା ଜଣାପଡ଼ିଛି।

Srimayi

ଉଭୟେ ଅପରାଜିତା ଓ ଶ୍ରୀମୟୀ ଭୁବନେଶ୍ୱରର ବୋହୂ ହୋଇଥିବା ବେଳେ ଦୁହେଁ ଉଚ୍ଚଶିକ୍ଷିତ । ତେବେ ୨୦୨୪ରେ ସେ ନୁହନ୍ତି ଭୁବନେଶ୍ୱର ଲୋକ ତାଙ୍କ ପାଇଁ ନିର୍ବାଚନ ଲଢ଼ିବେ ବୋଲି ନିକଟରେ ଅପରାଜିତା କହି ଏହି ଲଢ଼େଇକୁ ଆହୁରି ସରଗରମ୍ କରିଦେଇଛନ୍ତି । ୨୦୧୯ ନିର୍ବାଚନରେ ଅପରାଜିତା ୨୩ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟ ହାସଲ କରିଥିଲେ । ତେଣୁ ଏହି ସିଟରେ ଆଗାମୀ ନିର୍ବାଚନରେ ନିଶ୍ଚିତ ଭାବେ କଡ଼ା ମୁକାବିଲା ଦେଖିବାକୁ ମିଳିବ । ଅପରାଜିତାଙ୍କୁ ଟକ୍କର ଦେବା ପାଇଁ ବିଜେଡି ୱାର୍ଡ ସ୍ତରରେ ନିଜର ସଂଗଠନକୁ ମଜବୁତ କରୁଥିବା କୁହାଯାଉଛି ।