ସାବଧାନ! ବଜାରରେ ବୁଲୁଛି ନକଲି ନୋଟ୍, କେମିତି ଚିନ୍ହିବେ ନକଲି ଓ ଅସଲି ଜାଣନ୍ତୁ
ଉତ୍ତରପ୍ରଦେଶରୁ ମଧ୍ୟ ନକଲି ନୋଟ୍ କାରବାର ନେଇ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମନାକୁ ଆସିଛି। ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ପୂରା ଘଟଣା ଉପରୁ ପରଦା ଉଠିଥିଲା। ତେବେ କଣ ଏହି ମାମଲା ଆସନ୍ତୁ ଜାଣିବା। ଉତ୍ତରପ୍ରଦେଶର ସୋନଭଦ୍ରରୁ ନକଲି ନୋଟ୍ ଛାପୁଥିବା ଏକ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ପୋଲିସ। ୟୁଟ୍ୟୁବ୍ ଭିଡିଓ ଦେଖି କିଛି ବ୍ୟକ୍ତି ନକଲି ନୋଟ୍ ଛାପୁଥିଲେ। ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ କାବୁ କରିଛି ପୋଲିସ।
ଅଭିଯୁକ୍ତଙ୍କ ଠାରୁ ୧୦ ହଜାର ଟଙ୍କାର ୫୦୦ ଟଙ୍କିଆ ନକଲି ନୋଟ୍ ଜବତ କରାଯାଇଛି। ତେବେ ଆଶ୍ଚର୍ଯ୍ୟଜନକ କଥା ହେଉଛି ସେମାନେ ନକଲି ନୋଟ ଛାପିବା ପାଇଁ ୧୦ ଟଙ୍କିଆ ଷ୍ଟାମ୍ପ ପେପର ବ୍ୟବହାର କରୁଥିଲେ। ମାତ୍ର ୧୦ ଟଙ୍କା ଖର୍ଚ୍ଚ କରି ସେମାନେ ୫୦୦ ଟଙ୍କିଆ ନୋଟ୍ ଛାପିବା ସହ ଏହାକୁ ଖର୍ଚ୍ଚ ମଧ୍ଯ କରୁଥିଲେ। ସୂଚନା ଅନୁସାରେ, ଛଟ୍ ପୂଜାରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ରାମଗଡସ୍ଥିତ ଇଣ୍ଡିଆନ୍ ବ୍ୟାଙ୍କ ଶାଖା ନିକଟରେ ନିଜ ଟିମ୍ ସହିତ କୋନ ଥାନା ଅଧିକାରୀ ଗୋପାଳଜୀ ଗୁପ୍ତା ଉପସ୍ଥିତ ଥିଲେ।
ଏହି ସମୟରେ, ସେହି ବାଟରେ ଯାଉଥିବା ଏକ ନମ୍ୱର ବିହୀନ କାର୍କୁ ଅଟକାଇଥିଲେ। ତଲାସୀ ବେଳେ କାରରେ ଯାତ୍ରା କରୁଥିବା ଦୁଇ ଜଣ ଯୁବକଙ୍କଠାରୁ ୨୦ଟି ନକଲି ୫୦୦ ଟଙ୍କିଆ ନୋଟ୍ ଜବତ କରାଯାଇଥିଲା। ସବୁ ନୋଟରେ ସମାନ କ୍ରମିକ ସଂଖ୍ୟା ଲେଖାଯାଇଥିଲା । କାର ଡିକିରୁ ନକଲି ନୋଟ ଛାପିବା ପାଇଁ ଥିବା ମେସିନ୍, ପ୍ରିଣ୍ଟର, ଲାପଟପ୍ ଏବଂ ୧୦ ଟଙ୍କିଆ ୨୭ଟି ସାଦା ଷ୍ଟାମ୍ପ ପେପର୍ ମଧ୍ୟ ପୋଲିସ ଜବତ କରିଛି। ପଚରାଉଚରା ପରେ ପୋଲିସ ସବୁ ତଥ୍ୟ ପାଇଛି।
ଗିରଫ ଅଭିଯୁକ୍ତମାନେ ହେଲେ ମିର୍ଜାପୁର ଚୁନାର କୋଟୱାଲୀ ଅଞ୍ଚଳର ନୌଗ୍ରାହର ସତୀଶ ରାୟ ଏବଂ ରୋବର୍ଟସଗଞ୍ଜର ଚୁର ବଜାରର ପ୍ରମୋଦ ମିଶ୍ର । ପୋଲିସ ଆଗରେ ଉଭୟ ଏ ବିଷୟରେ ଖୁଲାସା କରିଛନ୍ତି। ସେମାନେ ପ୍ରଥମେ କମ୍ପ୍ୟୁଟରରେ ୫୦୦ ଟଙ୍କିଆ ନୋଟ୍ ସ୍କାନ୍ କରିଥିଲେ। ଏହାପରେ ଦଶ ଟଙ୍କିଆ ଷ୍ଟାମ୍ପ ପେପରରେ ପ୍ରିଣ୍ଟ କରୁଥିବା ପ୍ରକାଶ କରିଛନ୍ତି। ବର୍ତ୍ତମାନ ସୁଦ୍ଧା, ସେମାନେ ପ୍ରାୟ ୩୦ହଜାର ଟଙ୍କା ମୂଲ୍ୟର ନକଲି ନୋଟ୍ ଖର୍ଚ୍ଚ କରିଛନ୍ତି । ସେମାନେ ଏହି ଦଶ ହଜାର ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ଆସିଥିଲେ।