ଯେତେ ସହର ସେତେ ହଂସିତାଙ୍କ ସ୍ୱାମୀ, ରାଜ୍ୟ ବାହାରେ ବି ଅଛନ୍ତି, ଆସିଲାଣି ପୂର୍ବତନ ମନ୍ତ୍ରୀଙ୍କ ଲିଙ୍କ, ଜାଣନ୍ତୁ ପୁରା ଖବର
କେତେ ରୂପ ! କେତେ ନାଁ ! କେତେ ସ୍ୱାମୀ ! ଚର୍ଚ୍ଚାରେ ବିଷ୍ଣୁପ୍ରିୟା ଚାନ୍ଦ, ହର୍ଷିତା ମିଶ୍ର, ହଂସିତା ଅଭିଲିପ୍ସା। ଇଏ ଜଣିଏ ନାରୀ ହେଲେ ଠକେଇ ପାଇଁ ନାଁ ବଦଳାଇ ସ୍ୱାମୀ ଚୟନ କରୁଥିଲେ। ଆଉ ତା'ପରେ ବିଛାଉଥିଲେ ଜାଲ। ପୂରା ଅପରାଧରେ ପତ୍ନୀଙ୍କୁ କ୍ୟାରମ୍ ବୋର୍ଡର ରାଣୀ ସଜାଇଥିଲେ ସ୍ୱାମୀ ସରୋଜ ସାହୁ!
୨ ପୂର୍ବତନ ମନ୍ତ୍ରୀ ଓ ଜଣେ ବିଧାୟକଙ୍କ ଛତ୍ରଛାୟାରେ କେମିତି ଠକେଇର ଜାଲ ବୁଣିଥିଲେ, ତଥ୍ୟ ପାଇଛି ଆୟକର ବିଭାଗ। ତା'ସହ ଡିଜିଟାଲ୍ ଲକ୍ ଫିଟାଇ, ହଂସିତାଙ୍କ ଘରେ ଚଢ଼ାଉ କରି ଆୟକର ବିଭାଗ ଆଖିଖୋଷା ସଂପତ୍ତି ଠାବ କରିଛି। ଏସବୁ ଭିତରେ ହଂସିତା-ଅନୀଲଙ୍କ ଲୁହଭିଜା ହାଇଡ୍ରାମା, ବେଶ୍ ଚର୍ଚ୍ଚାକୁ ଆସିଛି।
କ୍ରାଇମ୍ ପାର୍ଟନର୍ ଅନୀଲ୍ ମହାନ୍ତି ସହ କ୍ୟାପିଟାଲରେ ରହି ହଂସିତା ଚୁନା ଲଗାଇବାର ଯେଉଁ ହାଇପ୍ରୋଫାଇଲ୍ ଗେମ୍ ଖେଳିଛନ୍ତି, ତାର ତନାଘନା ପରଠୁ ବଡ଼ବଡ଼ିଆଙ୍କ ଛାତି ଧଡ଼ପଡ଼। ନୂଆଦିଲ୍ଲୀରୁ ଭୁବନେଶ୍ବର, କଳାହାଣ୍ଡିରୁ କନ୍ଧମାଳ। ସବୁଠି ହଟଚମଟ। ତାହାରି ଭିତରେ ସାମ୍ନାକୁ ଆସିଛି ନୂଆ ଚିତ୍ର, ନୂଆ କାହାଣୀ। ହଂସିତା ଅଭିଲିପ୍ସା ଯାହାଙ୍କ ପୈତୃକ ଘର କଳାହାଣ୍ଡି ନର୍ଲାରେ। ଜାଣି ଆଶ୍ଚର୍ଯ୍ୟ ହେବେ ମୂଳ ନାଁ ହେଉଛି ବିଷ୍ଣୁପ୍ରିୟା ଚାନ୍ଦ ଓରଫ୍ ରାକ୍ଷୀ।
୨୦୧୭ରେ ନର୍ଲା ବାଗପୁର ପଞ୍ଚାୟତରେ ସମିତି ସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ। ୨୦୧୮, ମାର୍ଚ୍ଚ ୨୬ରେ ସରପଞ୍ଚ ଓ ସମିତିସଭ୍ୟଙ୍କ ବିଭିନ୍ନ ଦାବି ନେଇ ଲୋୟର ପିଏମଜିରେ ଆନ୍ଦୋଳନକୁ ବି ଓହ୍ଲାଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ନର୍ଲାରୁ ସିଧା ନୂଆଦିଲ୍ଲୀ ଚାଲିଯାଇଥିଲେ ବିଷ୍ଣୁପ୍ରିୟା ଓରଫ୍ ହଂସିତା। ପରେ ଦିଲ୍ଲୀରୁ ଫେରି ୨୦୧୮ରେ କନ୍ଧମାଳର ଜଣେ ସାଂସଦ ପ୍ରାର୍ଥୀଙ୍କୁ କୁଆଡ଼େ ବିବାହ କରିଥିଲେ। ବିଷ୍ଣୁପ୍ରିୟାରୁ ହଂସିତା ଅଭିଲିପ୍ସା ବନିଥିବା ରାକ୍ଷୀଙ୍କ ହାଇପ୍ରୋଫାଇଲ୍ ଲାଇଫଷ୍ଟାଇଲ୍ ଆରମ୍ଭ ହୋଇଥିଲା ଭୁବନେଶ୍ବରରେ।
ଝାଡ଼ଖଣ୍ଡରେ ଏକ ବହୁରାଷ୍ଟ୍ରୀୟ କମ୍ପାନୀର ଜମି ଅଧିଗ୍ରହଣ କାମ ନେଇଥିବା ଏବଂ କାମ ଯୋଗାଇଦେବାର ମିଛ ପ୍ରତିଶ୍ରୁତି ସହ ଏକାଧିକ ମିଛ ମାୟାରେ ଛନ୍ଦି ଠିକାଦାର, ବ୍ୟବସାୟୀ, ଖଣି ମାଲିକଙ୍କୁ ବି ଲଗାଇ ଆସୁଥିଲେ ଚୁନା। ଅନେକ ପ୍ରଭାବଶାଳୀ IAS ଅଫିସରଙ୍କ ସଂପର୍କୀୟ କହି ଚଳାଇଥିଲେ କର୍ପୋରେଟ୍ ଦଲାଲି। ଆଉ ନାନା ଅଭିଯୋଗ ପରେ ଅନୀଲ୍-ହଂସିତାଙ୍କ ସାମ୍ରାଜ୍ୟ ଉପରେ ଜାରି ରହିଛି ପୋଲିସ ଏବଂ ଆୟକର ବିଭାଗର ରେଡ୍।