ଫୁସଫୁସ ପ୍ରତ୍ୟାରୋପଣ ସତ୍ତ୍ୱେ ଜୀବନ ଯୁଦ୍ଧରେ ହାରିଗଲେ ଅମ୍ରିତ! ଚେନ୍ନାଇ ସ୍ଥିତ ଆପୋଲୋ ଠାରେ ହେଲା ଦେହାନ୍ତ, ଜାଣନ୍ତୁ ପୂରା ଖବର

 
Amrit

ପ୍ରଥମେ ଏକମୋ ଚିକିତ୍ସା ଏବଂ ପରେ ଫୁସଫୁସ ପ୍ରତ୍ୟାରୋପଣ ସତ୍ତ୍ୱେ ବଞ୍ଚିପାରିଲେନି ଓଡ଼ିଆ ଯୁବକ ଅମ୍ରିତ ପ୍ରଧାନ। କାଲି ଚେନ୍ନାଇର ଆପୋଲୋ ହସ୍ପିଟାଲ ଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ନେଇ ଅମ୍ରିତଙ୍କ ଭଉଣୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅମ୍ରିତ କରୋନା ଦ୍ୱାରା ପୀଡ଼ିତ ହେବାପରେ ତାଙ୍କର ଫୁସଫୁସ ସଂକ୍ରମିତ ହୋଇଥିଲା। 

Amrit

ଅମ୍ରିତଙ୍କୁ ପ୍ରଥମେ ଭୁବନେଶ୍ୱର ଏମ୍ସରେ ଚିକିତ୍ସା କରାଯାଉଥିବା ବେଳେ ତାଙ୍କର ଏକମୋ ଚିକିତ୍ସା ଆବଶ୍ୟକ ହୋଇଥିଲା। ଯାହାପରେ ତାଙ୍କୁ ଜୁନ ୩ ତାରିଖରେ ଚେନ୍ନାଇ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଦୀର୍ଘ ଦିନ ଧରି ତାଙ୍କର ଏକ୍‌ମୋ ଚିକିତ୍ସା ଚାଲିଥିବା ବେଳେ ପରବର୍ତ୍ତୀ ସମୟରେ ତାଙ୍କର ଟ୍ରାକୋଷ୍ଟୋମି ଅସ୍ତ୍ରୋପଚାର କରାଯାଇଥିଲା। ଗତକିଛି ଦିନ ତଳେ ଚେନ୍ନାଇର ଜଣେ ଯୁବକ ଉଚ୍ଚ ସ୍ଥାନରୁ ଖସି ମୃତ୍ୟୁବରଣ କରିଥିଲେ। ସେହି ଯୁବକଙ୍କର ଫୁସଫୁସକୁ ଅମ୍ରିତଙ୍କ ଦେହରେ ପ୍ରତ୍ୟାରୋପଣ କରାଯାଇଥିଲା। 

Amrit

ଅମ୍ରିତଙ୍କ ଭଉଣୀଙ୍କ କହିବା ଅନୁଯାଇ ଫୁସଫୁସ ପ୍ରତ୍ୟାରୋପଣ ପରେ ଭାଇ ଭଲ ହୋଇଯିବ ବୋଲି ଡାକ୍ତରମାନେ କହୁଥିଲେ କିନ୍ତୁ ସେପରି ହେଲା ନାହିଁ ହାର୍ଟ ଏବଂ ଅନ୍ୟ ଅଙ୍ଗ ଗୁଡିକ କାମ ନ କରିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅମ୍ରିତଙ୍କ ଉନ୍ନତ ଚିକିତ୍ସା ପାଇଁ ତାଙ୍କ ଭଉଣୀ ମନୀଷା ଓ ସାଙ୍ଗମାନେ ମିଲାପ ଫଣ୍ଡ ରେଜର୍ ଜରିଆରେ ଅର୍ଥ ଯୋଗାଡ଼ କରିବାରେ ଲାଗି ପଡ଼ିଥି‌ଲେ। ଲୋକଙ୍କର ଏହି ସାହାଯ୍ୟ ବଳରେ ଅମ୍ରିତଙ୍କ ଏକମୋ ଚିକିତ୍ସା ଆରମ୍ଭ ହୋଇପାରିଥିଲା। ତେବେ, ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ୨ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିବା ମନୀଷା କହିଛନ୍ତି।