ଦେଖନ୍ତୁ ଭିଡ଼ିଓ: କୋଟି କୋଟି ଟଙ୍କା ଖର୍ଚ୍ଚ କରି ସରକାର ତିଆରି ମଦୁଆଙ୍କ ପାଇଁ କରିଲେ କୋଠା ! ଜାଣନ୍ତୁ ଅସଲି ଘଟଣା କଣ 

 
Kotha

ପୁରା କୌଣସି ବଡ଼ ଅଫିସ୍ ଭଳି ଚକଚକିଆ କୋଠା। ରାଜ୍ୟ ସରକାରଙ୍କ ରାଜସ୍ୱରୁ ହିଁ ଟଙ୍କା ଖର୍ଚ୍ଚ କରାଯାଇ ଏହି ଘରଟି ତିଆରି କରାଯାଇଛି। କିନ୍ତୁ, ଭିତରକୁ ଗଲେ ମଦ ବୋତଲ, ସିଗାରେଟ ଠାରୁ ଆରମ୍ଭ କରି ଯେତେ ଅବକାରୀ ଜିନିଷ ଆପଣ ସବୁ ପାଇବେ। ଆଜ୍ଞା ହଁ, ଆପଣ ଯାହା ଭାବୁଛନ୍ତି ପୁରା ଠିକ୍। ରାଜ୍ୟର ଅନେକ ସରକାରୀ କୋଠା ଭଳି ଏହି କୋଠାଟି ମଧ୍ୟ ଭୂତକୋଠି ପାଲଟିଯାଇଛି। 

House

ଏପରି ବେହାଲ ଅବସ୍ଥା ଆଉ କାହାରି ନୁହେଁ ବରଂ ଖଡ଼ିଆଳ ଏନଏସି ଅନ୍ତର୍ଗତ ବିଜେପୁର ଗାଁ ଗାନ୍ଧୀନଗର ସାହିରେ ଥିବା ଜନସ୍ୱାସ୍ଥ୍ୟ ବିଭାଗ କୋଠାର। ଆୟୁର୍ବେଦିକ ଡାକ୍ତରଖାନା ସହ ମିଶନ ଶକ୍ତି ଗୃହ ନିର୍ମାଣ କରିବା ପାଇଁ ଏଥିରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲେ ହେଁ ଏହାର ଅବସ୍ଥା ଏବେ କହିଲେ ନସରେ। ୨୦୧୯ ମସିହାରେ ଗାନ୍ଧିନଗର ସାହିରେ ଏହି ସବୁ କୋଠାର ନିର୍ମାଣ କାମ ଆରମ୍ଭ ହୋଇଥିଲା । ମେଗା ପ୍ରୋଜେକ୍ଟ କାର୍ଯ୍ୟଳୟର ଅଫିସ ସହ ସି-ଟାଇପ ଡି-ଟାଇପ ଓ ଇ-ଟାଇପ ମିଶି ମୋଟ ଏକ କୋଟି ୭୫ଲକ୍ଷ ଟଙ୍କା ବ୍ୟୟରେ ୫ଟି ବିଲଡିଂ ନିର୍ମାଣ ହୋଇଥିଲା। 

ସବୁଠାରୁ ବଡ଼ କଥା ହେଉଛି ଏହା ଏକ ପ୍ରକାର ମେଗା ପ୍ରୋଜେକ୍ଟ ହୋଇଥିବାରୁ ମାତ୍ର ୨ ବର୍ଷ ମଧ୍ୟରେ ହିଁ ଏହାର ସମ୍ପୂର୍ଣ୍ଣ କାର୍ଯ୍ୟ ସମାପ୍ତ ହୋଇଯାଇଥିଲା। ହେଲେ ବିଡମ୍ବନାର ବିଷୟ ଏହିକି ଯେ ଆଜିକୁ ୩ ବର୍ଷ ବିତିଯାଇଥିଲେ ହେଁ ଏହି କୋଠାର କୌଣସି ବ୍ୟବହାର ହୋଇପାରିନାହିଁ। ସ୍ଥାନୀୟ ଅଞ୍ଚଳରେ ଥିବା ଆୟୁର୍ବେଦିକ ଡାକ୍ତରଖାନାର ଅବସ୍ଥା ଖରାପ ହୋଇଥିବା ବେଳେ ରୋଗୀ ଚିକିତ୍ସା ପାଇଁ ସେଠାରେ ହଇରାଣ ହେଉଛନ୍ତି। ଖାଲି ପଡିଥିବା ଏହି ବିଲ୍ଡିଂରେ ଡାକ୍ତରଖାନା ଚଳାଇବାକୁ ଖୋଦ୍ ବିଦାୟକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ଏହା ଏପର୍ଯ୍ୟନ୍ତ ସୁଦ୍ଧା କାର୍ଯ୍ୟକାରୀ ହୋଇପାରିନାହିଁ।