ଦୀର୍ଘ ୧୩ ବର୍ଷ ହେବ ମିଳିଲାନି ନ୍ୟାୟ! କୋର୍ଟରେ ବିଚାରପତିଙ୍କ ସାମ୍ନାରେ ବିଷ ପିଇଦେଲେ ମହିଳା ଆଉ ତାପରେ... ଦେଖନ୍ତୁ ଭିଡ଼ିଓ

ଶୁଣାଣି ଚାଲିଥିବା ସମୟରେ ବିଚାରପତିଙ୍କ ସାମ୍ନାରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଲେ ମହିଳା ଆଇନଜୀବୀ। ବାଲେଶ୍ୱର ଫ୍ୟାମିଲି କୋର୍ଟରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିବା ବେଳେ ବିଚାରପତିଙ୍କର ବ୍ୟବହାରରେ ଅତିଷ୍ଠ ହୋଇ ମହିଳା ଜଣକ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଅଭିଯୋଗ ହୋଇଛି। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆ ଯାଇଥିବା ଏବଂ ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ଜାଣିବାକୁ ମିଳିଛି।
ପୀଡ଼ିତା ମହିଳାଙ୍କ ନାମ ରାଜଶ୍ରୀ ବାରିକ ଅଟେ ଓ ପେସାରେ ସେ ଜଣେ ଆଇନଜୀବୀ ଅଟନ୍ତି। ଦୀର୍ଘ ୧୩ ବର୍ଷ ହେବ ସେ ତାଙ୍କ ସ୍ୱାମୀଙ୍କ ବିରୁଦ୍ଧରେ ଏକ ଛାଡପତ୍ର ମାମଲା ରୁଜୁ କରିଥିଲେ। କିନ୍ତୁ, ଏତେ ବର୍ଷ ହୋଇଯାଇଥିଲେ ହେଁ ବିଚାରପତି ଉକ୍ତ ମାମଲାର କୌଣସି ସମାଧାନ କରୁନଥିବା ଏବଂ ବିଚାର କରିବାରେ ପକ୍ଷପାତ କରୁଥିବାରୁ ସେ ଏଭଳି ନିଷ୍ପତ୍ତି ନେଇଥିବା ରାଜଶ୍ରୀ ନିଜ ସୁଇସାଇଡ଼ ନୋଟରେ ଉଲ୍ଲେଖ କରିଛନ୍ତି।
ମିଳିଥିବା ସୁଇସାଇଡ଼ ନୋଟରେ ସେ ଲେଖିଛନ୍ତି ଯେ," ଗୋଟିଏ ନାରୀ ବିବାହ କରିବା ପାପ। ସ୍ୱାମୀଠାରୁ ଧୋକା ଖାଇବା ନିୟମ। ସୁସ୍ଥ ଭାବରେ ବଞ୍ଚିବାକୁ ଚେଷ୍ଟା କରିବା କ'ଣ ପାପ? ମୁଁ ଦୀର୍ଘ ୧୩ ବର୍ଷ ହେଲା କେସ୍ ଲଢ଼ୁଛି। ସେଥିପାଇଁ ହାକିମଙ୍କୁ ମଧ୍ୟ ବହୁତ କଷ୍ଟ ହେଉଛି। ଏହି କୋର୍ଟକୁ ନ୍ୟାୟ ମାଗିବାକୁ ଆସି ଯଦି ମୋର ଭୁଲ୍ ହୋଇଥାଏ, ତେବେ ମୁଁ ଆଜି ଏହିଠାରେ ହିଁ ଶେଷ ନିଃଶ୍ୱାସ ତ୍ୟାଗ କରିବାକୁ ନିଷ୍ପତ୍ତି କରିଛି। ଆମ୍ଭମାନଙ୍କ ପାଇଁ ନ୍ୟାୟାଳୟ ଖୋଲାଯାଇଛି। ହାକିମମାନଙ୍କ ନିଯୁକ୍ତି ହୋଇଛି। ସେ କଥା ନବୁଝି ଯଦି ହାକିମ ହିଁ ଆକ୍ଷେପ କରିବ, ତେବେ ନ୍ୟାୟ କାହାକୁ ମିଳିବ? ନ୍ୟାୟାଳୟର ବ୍ୟବସ୍ଥା କାହିଁକି କରାଯାଇଛି? ଆଜି ପରେ ଏ କେସ୍ ସରିଯିବ। ହାକିମ ଖୁସିରେ ରୁହନ୍ତୁ"।
ରାଜଶ୍ରୀଙ୍କ ଓକିଲ ନିରଞ୍ଜନ ପରିଡ଼ାଙ୍କ କହିବା ମୁତାବକ ୨୦୧୦ରୁ ତାଙ୍କର ମେଣ୍ଟେନାନ୍ସ କେସ୍ ପଡ଼ି ରହିଛି ଯାହାକୁ ଆଗକୁ ନେବା ପାଇଁ ଜଜ୍ ଆଗ୍ରହ ପ୍ରକାଶ କରୁନାହାନ୍ତି। ଘଟଣା ଦିନ ରାଜଶ୍ରୀ ତାଙ୍କ ଓକିଲଙ୍କ ଅନୁପସ୍ଥିତିରେ ନିଜେ କେସ୍ ଲଢ଼ୁଥିବା ବେଳେ ବିଚାରପତି ତାଙ୍କୁ ପ୍ରତିପକ୍ଷଙ୍କୁ ଜେରା କରିବାକୁ ଦେଇନଥିଲେ। ଏଥିରେ ଅପମାନିତ ହୋଇ ରାଜଶ୍ରୀ ବିଷ ପିଇଦେଇଥିଲେ। ବାର୍ ଆସୋସିଏସନ ଏହି ମାମଲାକୁ ଗୁରୁତର ସହ ନେଇ ଏଥିରେ ହସ୍ତକ୍ଷେପ କରିବେ ବୋଲି ରାଜଶ୍ରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।