ଇଂଷ୍ଟାଗ୍ରାମ୍ ରିଲ୍ସକୁ ନେଇ ଶାଶୂଘରେ ଲାଗି ରହୁଥିଲା କଳହ! ଆତ୍ମହତ୍ୟା କରିଦେଲେ ବିବାହିତା ମହିଳା, ଜାଣନ୍ତୁ ପୂରା ଘଟଣା

ସୋସିଆଲ ମିଡିଆ ପ୍ଲାଟଫର୍ମ ଇଂଷ୍ଟାଗ୍ରାମରେ ରିଲ୍ସ ଭିଡ଼ିଓ ଅପଲୋଡ଼ କରିବାକୁ ନେଇ ପାରିବାରିକ ବିବାଦ ଉପୁଜିବାରୁ ଆତ୍ମହତ୍ୟା କରିଦେଲେ ବିବାହିତା ମହିଳା। ବାଲେଶ୍ୱର ଜିଲ୍ଲାରେ ଏଭଳି ଏକ ଅଭବନୀୟ ଘଟଣା ଘଟିଥିବା ବେଳେ ଶାଶୂଘର ଲୋକଙ୍କ ବିରୋଧରେ ମୃତକାଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।
ମିଳିଥିବା ସୂଚନା ଅନୁଯାଇ ଆତ୍ମହତ୍ୟା କରିଥିବା ମହିଳାଙ୍କ ନାମ ଜୟନ୍ତୀ ପାତ୍ର ଅଟେ। ବିବାହ ପରେ ଜୟନ୍ତୀ ବେଳେ ବେଳେ ଇଂଷ୍ଟାଗ୍ରାମରେ ରିଲ୍ସ ଭିଡ଼ିଓ ଅପଲୋଡ଼ କରିଥାନ୍ତି। ଯାହାକୁ ନେଇ ଶାଶୂଘର ଲୋକେ ବିରୋଧ କରିବା ସହିତ ଏଥିପାଇଁ ନିର୍ଯାତନା ଦେଉଥିବା ଜୟନ୍ତୀଙ୍କ ବାପା ବୁଦ୍ଧଦେବ ପାତ୍ର ଅଭିଯୋଗ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ୧୬ ତାରିଖ ରାତି ଠାରୁ ଜୟନ୍ତୀ ଶାଶୂଘର ଛାଡ଼ି କେଉଁଆଡ଼େ ଚାଲି ଯାଇଥିଲେ ୧୭ ତାରିଖ ସକାଳୁ ତାଙ୍କ ମୃତଦେହ ଗାଁ ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଥିଲା।
ଜୟନ୍ତୀଙ୍କ ମୃତ୍ୟୁ ପରେ ତାଙ୍କ ଦ୍ୱାରା ପୋଷ୍ଟ କରାଯାଇଥିବା ଶେଷ ରିଲ୍ସଟି ସାମ୍ନାକୁ ଆସିଛି। ଏହି ଭିଡ଼ିଓରେ,"ଜୀବନର ସବୁଠାରୁ ବଡ ଗୁରୁ ହେଉଛି ସମୟ। କାହିଁକି ନା, ସମୟ ଯାହା ଆମକୁ ଶିଖାଇଥାଏ ତା’ କୌଣସି ବହି ଶିଖାଇନଥାଏ" ବୋଲି କହୁଥିବା ଦେଖିବାକୁ ମିଳୁଛି। ସେହିଦିନ ରାତିରେ ସେ ନିଜ ପୋଷ୍ଟରେ କମେଣ୍ଟ କରି ଲେଖିଥିଲେ ଯେ,"କାଲି ହୁଏତ ମୁଁ ନଥିବି ହେଲେ ଏହି କଥାକୁ ଆପଣମାନେ ମନେ ରଖିବେ"। ସନ୍ଦେହଜନକ ଅବସ୍ଥାରେ ପୋଖରୀରୁ ତାଙ୍କ ମୃତଦେହ ମିଳିବା ପରେ ଶାଶୂଘର ଲୋକଙ୍କ ଚାପ ହେତୁ ଏପରି ହୋଇଥିବା ଅଭିଯୋଗ ହୋଇଛି।