ମାଡ଼ି ଆସୁଛି ବାତ୍ୟା! ଆଗାମୀ ୮ ତାରିଖ ସୁଦ୍ଧା ଓଡ଼ିଶାରେ ମାଡ଼ ହୋଇପାରେ ସମ୍ଭାବ୍ୟ ବାତ୍ୟା, ଜାଣନ୍ତୁ ପୂରା ଖବର

 
Cyclone

ଏପ୍ରିଲ୍ ମାସରେ ଅସହ୍ୟ ଖରା ରାଜ୍ୟବାସୀଙ୍କୁ ହନ୍ତସନ୍ତ କରିଛି। ତେବେ, ମେ ମାସ ଆରମ୍ଭରୁ ଏଥିରୁ ସାମାନ୍ୟ ଅଶ୍ୱସ୍ତି ମିଳିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ତେବେ, ମେ ମାସ ପ୍ରଥମ ସପ୍ତାହ ଶେଷ ଆଡକୁ ଓଡ଼ିଶା ଉପରେ ବାତ୍ୟା ସମ୍ଭାବନା ରହିଥିବା ମଧ୍ୟ ଆକଳନ କରାଯାଉଛି। ଏଥିନେଇ କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ ଏବଂ ବିଶିଷ୍ଟ ପାଣିପାଗ ବୈଜ୍ଞାନିକ ଡ. ଶରତ ଚନ୍ଦ୍ର ସାହୁ ସୂଚାଇ ଦେଇଛନ୍ତି।

Cyclone

ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁଯାଇ ଆସନ୍ତା ୫ ତାରିଖବେଳକୁ ଲଘୁଚାପ ସୃଷ୍ଟି ହେବା ସହ ୬ରେ ଅବପାତ ଓ ୭ରେ ବାତ୍ୟା ରୂପ ନେଇପାରେ। ସେହିପରି ମେ ୮ ତାରିଖ ବେଳକୁ ଏହା ଭୀଷଣ ବାତ୍ୟାର ରୂପ ନେଇ ଓଡ଼ିଶା କିମ୍ଭା ଆନ୍ଧ୍ର ଆଡକୁ ମୁହାଁଇବାର ଯଥେଷ୍ଟ ସମ୍ଭାବନା ରହିଛି। ଯଦି ଏହି ପୂର୍ବାନୁମାନ ସଠିକ ସାବ୍ୟସ୍ତ ହୁଏ ତେବେ ଉପକୂଳବର୍ତ୍ତି ଅଞ୍ଚଳରେ ପବନର ବେଗ ୧୨୦ କିମି ଯାଏଁ ପହଞ୍ଚି ପାରେ ବୋଲି ଆକଳନ କରାଯାଇଛି।

Heat

ଅନ୍ୟପକ୍ଷରେ ପ୍ରଚଣ୍ଡ ରୌଦ୍ରତାପରେ କଲବଲ ହେଉଛି ସାରା ଓଡ଼ିଶା। ଗତକାଲି ସୁଦ୍ଧା ରାଜ୍ୟର ୨୧ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଟପିଥିବାବେଳେ ୯ଟି ସହର ୪୪ ଡିଗ୍ରୀ ପାର୍‌ କରିଛି। ଟିଟିଲାଗଡ଼ରେ ସର୍ବାଧିକ ୪୫.୫ ଡିଗ୍ରୀ ସେଲ୍‌ସିୟସ ରେକର୍ଡ଼ କରାଯାଇଥିବା ବେଳେ ବୌଦ୍ଧରେ ତାତି ୪୫ ଡିଗ୍ରୀ ଡେଇଁଛି। ଆସନ୍ତା ମାସରେ କାଳବୈଶାଖୀ ହେବାର ସମ୍ଭାବନା ଥିବାରୁ ଉପକୂଳବର୍ତ୍ତି ଅଞ୍ଚଳରେ ଦିନର ତାପମାତ୍ରା ହ୍ରାସ ପାଇବ ବୋଲି ଆକଳନ କରାଯାଉଛି।