ଶ୍ରୀ ଜଗନ୍ନାଥଙ୍କ ସମ୍ପତ୍ତି 'କୋହିନୂର୍ ହୀରା'! କିପରି ଗଲା ଇଂଲଣ୍ଡ? କାହିଁକି ଆସିପାରିଲା ନାହିଁ ପୁରୀ, ଜାଣନ୍ତୁ ପୁରା କାହାଣୀ

 
Kohinoor

ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ମୃତ୍ୟୁ ପରେ ବ୍ରିଟିଶ ରାଜଗାଦି ଉପରେ ବସିବାକୁ ଯାଉଛନ୍ତି ତାଙ୍କର ପୁଅ ଚାର୍ଲସ୍ ଏବଂ ବୋହୂ କାମିଲା। ରାଜ୍ୟାଭିଷେକ ହେବା ସହିତ ଚାର୍ଲସ୍ ଓ କାମିଲାଙ୍କୁ ଯଥାକ୍ରମେ ନୂତନ ମହାରାଜା ଏବଂ ମହାରାଣୀ ଭାବରେ ଘୋଷିତ କରାଯିବ। ରାଜ୍ୟାଭିଷେକ ପରେ କାମିଲା ନିଜ ମସ୍ତକରେ କୋହିନୁର ହୀରା ଖଚିତ ମୁକୁଟ ଧାରଣ କରିବେ। ତେବେ, ଏହି ଦୁର୍ଲଭ ହୀରାଟି ପ୍ରକୃତରେ ମହାପ୍ରଭୁ ଜଗନ୍ନାଥଙ୍କର ସମ୍ପତ୍ତି ବୋଲି ବିଶ୍ୱାସ କରାଯାଇଥାଏ। କିନ୍ତୁ, ପୁରୀରେ ରହିବା ପରିବର୍ତ୍ତେ ଲଣ୍ଡନ କିପରି ଗଲା ଏହି ହୀରା? ଆସନ୍ତୁ ଜାଣିବା ଏହାର କାହାଣୀ।

Kohinoor

କୋହିନୂର ହୀରାର ସଂପୂର୍ଣ୍ଣ ଇତିହାସ ଲେଖିଥିବା ପ୍ରସିଦ୍ଧ ବ୍ରିଟିଶ ଲେଖକ ଓ୍ବିଲିୟମ ଡାରଲିମ୍ପଲଙ୍କ ଅନୁଯାଇ ମହାରାଜା ରଞ୍ଜିତ ସିଂ ଆଫଗାନ ଶାସକ ଶାହା ସୁଜାଙ୍କୁ ହରାଇବା ପରେ କୋହିନୁର ହାସଲ କରିଥିଲେ। ୧୮୧୩ ଠାରୁ ପରବର୍ତ୍ତୀ ୩୬ ବର୍ଷ ପର୍ୟ୍ୟନ୍ତ ଏହା ଶିଖ୍ ସାମ୍ରାଜ୍ୟ ପାଖରେ ରହିଥିଲା। ମହାରାଜା ଏହାକୁ ବାହୁରେ ଧାରଣ କରୁଥିଲେ ଏବଂ ଏହାକୁ ରକ୍ଷା କରିବା ପାଇଁ କଡ଼ା ସୁରକ୍ଷାର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ତେବେ, ୧୮୩୯ ଜୁନ ବେଳକୁ ଏକ ମସ୍ତିଷ୍କାଘାତର ଶିକାର ହେବା ପରେ ମହାରାଜା ପକ୍ଷାଘାତର ସମ୍ମୁଖୀନ ହେଲେ ଓ ସଂପୂର୍ଣ୍ଣ ଶଯ୍ୟାଶାୟୀ ହୋଇଗଲେ।

Ranjit singh

ନିଜର ଶେଷ ସମୟ ଆସୁଥିବା ଜାଣି ମହାରାଜା ରଞ୍ଜିତ ସିଂ ବିଭିନ୍ନ ମନ୍ଦିର ଏବଂ ମଠକୁ ବିପୁଳ ପରିମାଣର ସମ୍ପତ୍ତି ଦାନ କରିବା ଆରମ୍ଭ କରିଥିଲେ। କୁହାଯାଏ ଯେ ମୃତ୍ୟୁର ଦିନେ ପୂର୍ବରୁ କୋହିନୁରକୁ ପୁରୀ ମନ୍ଦିରକୁ ଦାନ କରିବା ପାଇଁ ମହାରାଜା ଇଙ୍ଗିତ କରିଥିଲେ। ନିଜର ପ୍ରମୁଖ ବ୍ରାହ୍ଣଣ ପୁରୋହିତ ଭାଇ ଗୋବିନ୍ଦ ରାମଙ୍କ ପରାମର୍ଶକ୍ରମେ ସେ ଏହି ନିଷ୍ପତ୍ତି ନେଇଥିଲେ। ମହାରାଜାଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ଖଡ଼ଗ ସିଂଙ୍କୁ ଏହି ହୀରା ଜଗନ୍ନାଥ ମନ୍ଦିରକୁ ଦାନ କରିବା ପାଇଁ କୁହାଯାଇଥିଲା। କିନ୍ତୁ, ହୀରା କୋଷାଧ୍ୟକ୍ଷ 'ବେଲି ରାମ' ଏହି ନିଷ୍ପତ୍ତିକୁ ଅବମାନନା କରିଥିଲେ। କୋହିନୁର ସମ୍ପୂର୍ଣ୍ଣ ରାଜ୍ୟର ଏବଂ ରାଜାଙ୍କ ବ୍ୟକ୍ତିଗତ ସମ୍ପତ୍ତି ନୁହେଁ ବୋଲି ସେ କହିଥିଲେ।

Sri jagannath

ତେଣୁ, ମହାରାଜା ରଞ୍ଜିତ ସିଂ କୋହିନୁରକୁ ଶ୍ରୀ ଜଗନ୍ନାଥଙ୍କୁ ସମ୍ପର୍ପିବା ପାଇଁ ନିଷ୍ପତ୍ତି ନେଇଥିଲେ ହେଁ ତାଙ୍କର ପୁତ୍ର ଓ ଅନୁଚରମାନଙ୍କ ପାଇଁ ଏହା ସଫଳ ହୋଇ ପାରିନଥିଲା। ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନି ହାତରେ ଶିଖ ସାମ୍ରାଜ୍ୟର ପତନ ଘଟିବା ପରେ ବ୍ରିଟିଶ ସୈନିକମାନେ କୋହିନୁରକୁ ଚୋରି କରି ରାଣୀ ଏଲିଜାବେଥଙ୍କୁ ଉପହାର ଦେଇଥିଲେ। କିନ୍ତୁ, ପଞ୍ଜାବ ରାଜା ଦୁଲିପ ସିଂ ନିଜେ ଏହି ହୀରାକୁ ଉପହାର ଦେଇଥିବା ବ୍ରିଟେନ ଦାବି କରେ। ଯାହାକି ସମ୍ପୂର୍ଣ୍ଣ ମିଥ୍ୟା ଅଟେ, କାରଣ ବ୍ରିଟିଶ ଆର୍ମି ସେତେବେଳେ ରାଜା ଦୁଲିପ ସିଂଙ୍କୁ ଅପହରଣ କରି ନେଇଥିବା ଏବଂ ଜୋର ଜବରଦସ୍ତ କୋହିନୁରକୁ ନିଜର କରି ନେଇଥିବା ଜଣାଯାଏ।