ଖୁବଶୀଘ୍ର ଭୁବନେଶ୍ୱର ଏୟାରପୋର୍ଟକୁ ଲିଜରେ ନେବେ ଘରୋଇ କମ୍ପାନୀ, ଜାଣନ୍ତୁ ପୂରା ଖବର
ଘରୋଇ କମ୍ପାନୀ ହାତକୁ ଚାଲିଯିବ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ଏୟାରପୋର୍ଟର ପରିଚାଳନା ଦାୟିତ୍ବ। ଆସନ୍ତା ୨୦୨୫ ମସିହା ସୁଦ୍ଧା ଭୁବନେଶ୍ୱର ଏୟାରପୋର୍ଟ ସମେତ ଭାରତର ୨୫ଟି ବିମାନବନ୍ଦରକୁ ଲିଜରେ ଦିଆଯିବ ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।
କେନ୍ଦ୍ର ବେସାମରିକ ବିମାନଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜେନେରାଲ ଭି.କେ.ସିଂ ରାଜ୍ୟସଭାରେ ଏଥିନେଇ ସୂଚନା ଦେଇଛନ୍ତି। ଏୟାରପୋର୍ଟ ଗୁଡିକରେ ଘରୋଇ କମ୍ପାନୀମାନେ ନିବେଶ କରିଲେ ଏହାର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ ବୋଲି ଆଶା କରାଯାଉଥିବା ସେ କହିଛନ୍ତି। ପିପିପି ମୋଡରେ ଏୟାରପୋର୍ଟଗୁଡ଼ିକର ବିକାଶ ହେଲେ ଉଭୟେ ଯାତ୍ରୀ ଏବଂ ରାଜ୍ୟ ସରକାର ଉପକୃତ ହୋଇପାରିବେ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏପର୍ଯ୍ୟନ୍ତ ସୁଦ୍ଧା ଦିଲ୍ଲୀର ଇନ୍ଦିରାଗାନ୍ଧୀ ଏୟାରପୋର୍ଟ, ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଏୟାରପୋର୍ଟ, ଲକ୍ଷ୍ନୌର ଚୌଧିୁରୀ ଚରଣ ସିଂ ଏୟାରପୋର୍ଟ, ଅହମଦାବାଦର ସର୍ଦ୍ଦାର ବଲ୍ଲଭ ଭାଇ ଏୟାରପୋର୍ଟ, ମାଙ୍ଗାଲୁରୁ ଏୟାରପୋର୍ଟ, ଜୟପୁର ଏୟାରପୋର୍ଟ, ଲୋକପ୍ରିୟ ଗୁଆହାଟୀର ଗୋପୀନାଥ ବର୍ଦ୍ଦୋଲୋଇ ଏୟାରପୋର୍ଟ ଓ ତିରୁଅନନ୍ତପୁରମ ଏୟାରପୋର୍ଟ ଭଳି ୮ଟି ଅନ୍ତର୍ଜାତୀୟ ଏୟାରପୋର୍ଟକୁ ଘରୋଇ କମ୍ପାନୀ ଗୁଡିକୁ ଲିଜ୍ ଦିଆଯାଇ ସାରିଛି।