ଏହାର ବି ପୂଜା କରାଯାଇଥାଏ ଆମ ଦେଶରେ, ପ୍ରସିଦ୍ଧ କାମାକ୍ଷା ଦେବୀ ମନ୍ଦିରର ରହସ୍ୟ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

 
Kamakhya

ଭାରତକୁ ମନ୍ଦିର ମାନଙ୍କର ଦେଶ ଭାବରେ ମଧ୍ୟ ଜଣାଯାଏ। ଏଠାରେ ବିଭିନ୍ନ ଦେବାଦେବୀଙ୍କର ଅନେକ ମନ୍ଦିର ରହିଅଛି। ତେବେ, ସବୁଠାରୁ ବଡ଼ କଥା ହେଉଛି ଏମାନଙ୍କ ମଧ୍ୟରୁ ଏଭଳି ଅନେକ ମନ୍ଦିର ରହିଛି ଯାହାର ଚାମତ୍କାରୀତା ବିଷୟରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଏହାରି ଭିତରୁ ଆସାମ ରାଜ୍ୟରେ ଥିବା କାମାକ୍ଷା ଦେବୀ ମନ୍ଦିର ଅନ୍ୟତମ।

Kamkhya devi mandir

ଆସାମର ରାଜଧାନୀ ଦିସପୁର୍ ଠାରୁ ଏହି ମନ୍ଦିର ମାତ୍ର କିଛି କିଲୋମିଟର ଦୂରରେ ଅବସ୍ଥିତ। କାମାକ୍ଷା ଦେବୀ ମନ୍ଦିରରେ ମାତା ସତୀଙ୍କର ପୂଜା କରାଯାଇଥାଏ। ଦେଶରେ ରହିଥିବା ୫୧ ଶକ୍ତି ପୀଠଙ୍କ ମଧ୍ୟରେ ଏହି ମନ୍ଦିର ଅନ୍ୟତମ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏଠାରେ ଦେବୀ ସତୀଙ୍କର ଯୋନୀର ପୂଜା କରାଯାଇଥାଏ। ଏଠାରେ ମାତାଙ୍କର ଯୋନୀ ସଦୃଶ ଏକ କୁଣ୍ଡର ନିର୍ମାଣ କରାଯାଇଛି।

Kamakhya devi

ଏହି କୁଣ୍ଡଟି ସଦାସର୍ବଦା ଫୁଲ ଦ୍ୱାରା ଆଚ୍ଛାଦିତ ହୋଇ ରହିଥାଏ। ତେବେ, ଏଥିରୁ ସଦାସର୍ବଦା ପାଣି ବାହାରୁଥିବା ମଧ୍ୟ କୁହାଯାଏ। ପୌରାଣିକ କଥା ଅନୁଯାଇ ମାତା ସତୀଙ୍କ ପିତା ପ୍ରଜାପତି ଦକ୍ଷ ତାଙ୍କ ଝିଅ ଏବଂ ପ୍ରଭୁ ଶିବଙ୍କର ବିବାହରେ ସନ୍ତୁଷ୍ଟ ନଥିଲେ ଏବଂ ଏହାକୁ ବିରୋଧ କରୁଥିଲେ। ପ୍ରଜାପତି ଦକ୍ଷ ଦିନେ ଏକ ମହାଯଜ୍ଞର ଆୟୋଜନ କରି ପ୍ରଭୁ ଶିବଙ୍କ ବ୍ୟତୀତ ସମସ୍ତ ଭଗବାନଙ୍କୁ ନିମନ୍ତ୍ରଣ କରିଥିଲେ। ନିମନ୍ତ୍ରଣ କରାଯାଇନଥିଲେ ହେଁ ମାତା ସତୀ ସେଠାକୁ ଯିବାପାଇଁ ଜିଦ୍ ଧରିଥିଲେ।

Yoni

ବାଧ୍ୟ ହୋଇ ପ୍ରଭୁ ଭୋଳାଶଙ୍କର ତାଙ୍କୁ ସେଠାକୁ ଯିବାପାଇଁ ଅନୁମତି ଦେଇଥିଲେ। କିନ୍ତୁ, ବାପଘରେ ପହଞ୍ଚିବା ପରେ ଶିବଙ୍କୁ ନେଇ ପ୍ରଜାପତି ଦକ୍ଷ ଅନେକ କଟୁ କଥା କହିଥିଲେ। ଯାହାକୁ ସହ୍ୟ କରିନପାରି ମାତା ସତୀ ସେହି ଯଜ୍ଞ କୁଣ୍ଡରେ ନିଜକୁ ସମର୍ପି ଦେଇଥିଲେ। ନିଜ ପତ୍ନୀଙ୍କର ଏପରି ଅବସ୍ଥା ଦେଖି ଶିବ ତାଣ୍ଡବ କରିବା ଆରମ୍ଭ କରିଥିଲେ। ସାରା ବ୍ରାମ୍ହାଣ୍ଡ ଉପରେ ବିପଦ ଆସିବାରୁ ଭଗବାନ ବିଷ୍ଣୁ ନିଜ ଚକ୍ର ସାହାଯ୍ୟରେ ମାତାଙ୍କ ମୃତ ଶରୀରର ୫୧ ଖଣ୍ଡ କରି ଦେଇଥିଲେ। ସେହି ୫୧ ଖଣ୍ଡ ମଧ୍ୟରୁ ମାତାଙ୍କ ଯୋନୀ ଏଠାରେ ପଡିଥିଲା ଯାହାପରେ ଏହାକୁ ମାତା କାମାକ୍ଷା ଦେବୀ ମନ୍ଦିର ରୂପରେ ପୂଜା କରାଯାଉଛି।

Kamakhya devi mandir

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ବର୍ଷର ୩ ଦିନ ଏଠାରେ ଥିବା କୁଣ୍ଡର ପାଣିର ରଙ୍ଗ ଲାଲ ହୋଇଯାଇଥାଏ। ମାନ୍ୟତା ଅନୁଯାଇ ଏହି ୩ ଦିନ ମାତାଙ୍କର ପିରିୟଡ୍ସ ହୋଇଥାଏ। ଏହି ୩ ଦିନ ମନ୍ଦିର ବନ୍ଦ ରହିଥାଏ ଏବଂ ଏଠାକୁ ଅଘୋରି ଏବଂ ତାନ୍ତ୍ରିକମାନଙ୍କର ଆଗମନ ହୋଇଥାଏ। ଏହି ସମୟ ମଧ୍ୟରେ କୁଣ୍ଡ ଉପରେ ରଖା ଯାଇଥିବା ଧଳା କପଡା ଲାଲ୍ ରଙ୍ଗରେ ପରିବର୍ତ୍ତିତ ହୋଇ ଯାଇଥାଏ। ଏହି କପଡା ଘରେ ରଖିଲେ ସ୍ୱୟଂ ମାତାଙ୍କର ଆଶୀର୍ବାଦ ମିଳିଥାଏ ବୋଲି ବିଶ୍ୱାସ ରହିଛି।