ଗୋଟିଏ ଝିଅ ପାଇଁ ବଦଳିଗଲା ଶ୍ରୀ ମନ୍ଦିରର ନିୟମ, ଜାଣନ୍ତୁ ମହାପ୍ରଭୁଙ୍କ ସତ୍ୟ ଘଟଣା
Sep 5, 2023, 20:33 IST

ଭାଇ ଓ ଭଉଣୀର ସମ୍ପର୍କ ରାକ୍ଷୀ ବନ୍ଧନରେ ସୀମିତ ନ ହେଲେ ମଧ୍ୟ ରକ୍ଷା ବନ୍ଧନର ମଧୁରତା, ପବିତ୍ରତା ଭାଇ ଭଉଣୀ ର ସମ୍ପର୍କକୁ ଆହୁରି ସୁଦୃଢ଼ କରି ଗଢ଼ି ତୋଳେ। ଏହା ଏପରି ଏକ ସମ୍ପର୍କ ଯାହାକୁ ନେଇ ଉତ୍ସବ ମନାଏ ଜଗତ। ସ୍ଵୟଂ ଭଗବାନ ବି ଯେବେ ଯେବେ ଧରା ପୃଷ୍ଠକୁ ଆସିଛନ୍ତି ସାଙ୍ଗରେ ଭଉଣୀ କୁ ନେଇ ଆସିଛନ୍ତି। ଲୀଳାମୟ ବି ଭଉଣୀ ପ୍ରେମରେ ବାନ୍ଧି ହୋଇଯାଇଛନ୍ତି।
ଶ୍ରୀ ମନ୍ଦିର ବଡ଼ ଦେଉଳରେ ନିଜର ଧର୍ମ ପତ୍ନୀ ମା ଲକ୍ଷ୍ମୀଙ୍କୁ ଅଲଗା ଛାଡ଼ି ଭଉଣୀ ସହିତ ବିରାଜମାନ ହୋଇଛନ୍ତି ମହାପ୍ରଭୁ। ଭାଇ,ଭଉଣୀର ସମ୍ପର୍କ ଯେ କେତେ ଶ୍ରେଷ୍ଠ ହୋଇପାରେ ତାହା ମହାପ୍ରଭୁ ଦେଖାଇଛନ୍ତି ଜଗତକୁ। ଆସନ୍ତୁ ଏପରି ଏକ ଘଟଣା ଜାଣିବା,ଯାହା ଶୁଣିଲେ ଆପଣ ବି ଭାବ ବିହ୍ୱଳ ହୋଇଯିବେ।ସେହି ଜଗତର ନାଥ ଜଗନ୍ନାଥଙ୍କ ପ୍ରେମରେ ଆପଣ ବି ପଡ଼ିଯିବେ।

ମାଳତୀପାଟପୁର ସ୍ଥାନର ନାମ ଟିତ ଆପଣ ସମସ୍ତେ ଶୁଣିଥିବେ।ଏହି ନାମ ପଛର ପବିତ୍ର ଘଟଣାକୁ ଆସନ୍ତୁ ଜାଣି ନେବା। ପାଟପୁରରେ ରହିଥାଏ ଗୋଟିଏ ଝିଅ ତାର ନାମ ମାଳତୀ। ଦିନେ ମାଳତୀ ତା ବାପା ମାଆଙ୍କର ଆଗରେ ତାର ଦୁଃଖ ପ୍ରକାଶ କରି କହୁଥାଏ।ସମସ୍ତେ ତ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧିଲେ ହେଲେ ମୋର ତ କେହି ଭାଇ ନାହାଁନ୍ତି ମୁ କାହା ହାତରେ ରାକ୍ଷୀ ବାନ୍ଧିବି। ଏପରି କହି ମନ ଦୁଃଖ କରିବାରୁ ତାର ବାପା ତାକୁ ବୁଝାଇବାକୁ ଯାଇ କହିଲେ କିଏ କହିଲା ତୋର ଭାଇ ନାହିଁ। ତୋର ବା ଗୋଟିଏ ନୁହେଁ ଦୁଇଟି ଭାଇ ଅଛନ୍ତି। ଜଗା ଆଉ ବଳିଆ। ମାଳତୀ ଏହା ଶୁଣି ତାର ଖୁସିର ସୀମା ରହିଲା ନାହିଁ।
ପର ଦିନ ସକାଳ ରକ୍ଷା ବନ୍ଧନ ଦିନ ମାଳତୀ ଦୁଇଟି ରାକ୍ଷୀ ଧରି ପହଞ୍ଚି ଗଲା ଶ୍ରୀ ମନ୍ଦିରରେ। ହେଲେ ବିଧି ବିଧାନ ଅନୁସାରେ ସେବାୟତ ମାନେ ମାଳତୀର ରାକ୍ଷୀ ଗ୍ରହଣ କଲେ ନାହିଁ।ତାକୁ ଫୋପାଡି ଦେଲେ। ମାଳତୀ ସେଠାରୁ କାନ୍ଦି କାନ୍ଦି ଘରକୁ ଫେରିଲା। ମନରେ ତାର ଭାରି ରାଗ ହେଲା ପ୍ରଭୁଙ୍କ ଉପରେ।ଘରକୁ ଯାଇ କାନ୍ଦି କାନ୍ଦି ଶୋଇ ଥାଏ ମାଳତୀ।

ସେ ପରା ଜଗତର ନାଥ କାହାକୁ ଦୁଃଖରେ କିପରି ଦେଖିବେ। ଭଉଣୀ ତାଙ୍କର ରାଗିକି ଯାଇଛି ତାଙ୍କରି ପାଖରୁ କିପରି ମନ ତାଙ୍କର ବୁଝିବ।ସେ ଦିନ ରାତିରେ ପୁରୀ ରାଜାଙ୍କୁ ସ୍ଵପ୍ନ ହେଲେ ଜଗନ୍ନାଥ।ସବୁ ଘଟଣା କହିଲେ ରାଜାଙ୍କୁ। ରାଜା ପ୍ରଭୁଙ୍କ ଦ୍ଵାରା ବତା ଯାଇଥିବା ବାଟରେ ଯାଇ ପହଞ୍ଚିଥିଲେ ମାଳତୀ ଘରେ। ମାଳତୀ ଘରେ ଯାଇ ସବୁ କଥା କହିଲେ ରାଜା। ମାଳତୀ ସବୁ କଥା ଶୁଣି ତାର ଖୁସିର ସୀମା ରହିଲା ନାହିଁ। ଦୌଡ଼ିକି ସେ ଶ୍ରୀମନ୍ଦିର ରାକ୍ଷୀ ନେଇ ଗଲା। ସେହି ଦିନ ଠାରୁ ପାଟପୁର ପରିଚିତ ହେଲା ମାଳତୀପାଟପୁର ନାମରେ ।
ଏଇ ହେଉଛି ଜଗନ୍ନାଥଙ୍କ ଲୀଳା ଓ ରାକ୍ଷୀ ର ମୂଲ୍ୟ। ବେଳେ ବେଳେ ଆମେ ଏହାକୁ ସାଧାରଣ ସୂତା ଖଣ୍ଡ ବୋଲି ଭାବି ଥାଉ। ହେଲେ ଏହି ସୂତା ଖଣ୍ଡ ରକ୍ଷା ର ପ୍ରତୀକ। ଯାହା ଅର୍ଥ,ମାନ, ଯଶ ଆଦିର ରକ୍ଷା କରିଥାଏ। ଯାହାକୁ ବାନ୍ଧିବା ପାଇଁ ଜଗା ବି ଆକୁଳ।ଆମେ ତ ଛାର ମଣିଷ।