ଲ୍ୟାବ୍ ରେ ତିଆରି ହେଲା ମାଆ କ୍ଷୀରର ବିକଳ୍ପ, ଶିଶୁ ପିଇଲେ ହୋଇଯିବ ଅଧିକ ଶକ୍ତିଶାଳୀ, ଏହି ପୋଷକତତ୍ୱ ଯୁକ୍ତ କ୍ଷୀର ଏବେ ବଜାରରେ..

 
Biomilk

ସମସ୍ତେ ଏହା ଭଲ ଭାବରେ ଜାଣିଛନ୍ତି ଯେ ଛୋଟ ଶିଶୁଟିଏ ପାଇଁ ମା କ୍ଷୀର କେତେ ଉପକାରୀ କିନ୍ତୁ ବହୁତ ସମୟରେ ଏପରି ମଧ୍ୟ କିଛି ଅସୁବିଧା ଆସିଥାଏ ଯାହା ଫଳରେ ମାଆ ମାନେ ନିଜ ଶିଶୁକୁ ସ୍ତନ୍ୟପାନ କରି ପାରନ୍ତି ନାହିଁ। ଯାହା ଫଳରେ ସେମାନଙ୍କ ମଧ୍ୟରେ ପୃଷ୍ଟିହୀନତା ପରି ସମସ୍ୟା ଦେଖାଯାଇଥାଏ।

ଆମେରିକୀୟ ଷ୍ଟାର୍ଟଅପ୍ କମ୍ପାନୀ ବାୟୋମିଲ୍କ କୁତ୍ରିମ ଉପାୟରେ ମାଆ କ୍ଷୀର ପ୍ରସ୍ତୁତ କରି ଖୁବଶୀଘ୍ର ବଜାରକୁ ଆଣୁଥିବା ନେଇ ସୂଚନା ଦେଇଛି। ମହିଳାମାନଙ୍କର ସ୍ତନ କୋଷରୁ କୁତ୍ରିମ ଉପାୟରେ କ୍ଷୀର ଉତ୍ପାଦନ କରିବାରେ ସଫଳ ହୋଇଛି ବାୟୋମିଲ୍କ। କମ୍ପାନୀ କହିଛି ଯେ ଲ୍ୟାବରେ ପ୍ରସ୍ତୁତ ଏହି କ୍ଷୀରରେ ବହୁ ପରିମାଣରେ ସମସ୍ତ ପୁଷ୍ଟିକର ଉପାଦାନ ରହିଥାଏ ଯାହା ସାଧାରଣତଃ ସ୍ତନ୍ୟପାନ କରାଇବା ଦ୍ୱାରା ମିଳିଥାଏ। 

ପ୍ରୋଟିନ୍, କାର୍ବୋହାଇଡ୍ରେଟ୍, ବାୟୋଆକ୍ଟିଭ୍ ଲିପିଡ୍ ଇତ୍ୟାଦି ସମସ୍ତ ପୋଷକତତ୍ୱ ମିଳୁଥିଲେ ମଧ୍ୟ ଏଥିରେ ମାଆ କ୍ଷୀର ପରି ଆଣ୍ଟିବଡି ମିଳିପାରିବ ନାହିଁ। ବାୟୋମିଲ୍କର ସହ-ପ୍ରତିଷ୍ଠାତା ତଥା ମୁଖ୍ୟ ବିଜ୍ଞାନ ଅଧିକାରୀ ଡାକ୍ତର ଲୀଲା ଷ୍ଟ୍ରିକଲ୍ୟାଣ୍ଡ ଫୋର୍ବସ୍ ସହ ହୋଇଥିବା ଏକ ବାର୍ତ୍ତାଳାପରେ ସେ କହିଛନ୍ତି ଯେ ଆଣ୍ଟିବଡି ଅଭାବ ସତ୍ତ୍ୱେ ବାୟୋମିଳ୍କ ଅନ୍ୟ ଖାଦ୍ୟ ଉତ୍ପାଦ ଅପେକ୍ଷା ଶିଶୁଙ୍କୁ ଅଧିକ ମାତ୍ରାରେ ପୋଷକତତ୍ୱ ପ୍ରଦାନ କରିଥାଏ।

ଏକ ରିପୋର୍ଟ ଅନୁଯାଇ,ବୃତ୍ତିରେ କୋଷ ଜୀବବିଜ୍ଞାନୀ ଥିବା ଷ୍ଟ୍ରିକଲ୍ୟାଣ୍ଡରଙ୍କର ପୁତ୍ରସନ୍ତାନ ସମୟ ପୂର୍ବରୁ ଜନ୍ମ ଗ୍ରହଣ କରିଥିଲା। ଏହି କାରଣରୁ ତାଙ୍କୁ ପୁଅ ପାଇଁ ପର୍ଯ୍ୟାପ୍ତ କ୍ଷୀର ଦେବାରେ ତାଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। ଏହା ପରେ, ୨୦୧୩ ରେ, ସେ ଲ୍ୟାବରେ ସ୍ତନ୍ୟପାନ ଉପଯୋଗୀ କ୍ଷୀର ପ୍ରସ୍ତୁତ କରିବା ପାଇଁ ଏହି କାର୍ଯ୍ୟ ଆରମ୍ଭ କରିଥିଲେ। ୨୦୧୯ ରେ, ସେ ଖାଦ୍ୟ ବୈଜ୍ଞାନିକ ମିସେଲ ଏଗର୍ଙ୍କ ସହ ସହଭାଗୀ ହୋଇଥିଲେ।

ସେ କହିଛନ୍ତି ଯେ ଆମର ଉତ୍ପାଦ ପ୍ରତିରକ୍ଷା ବିକାଶ, ଅନ୍ତନଳୀ ପରିପକ୍ଵତା, ମାଇକ୍ରୋବିଓମ୍ କାଉଣ୍ଟ ଏବଂ ମସ୍ତିଷ୍କ ବିକାଶକୁ ସମର୍ଥନ କରିଥାଏ ଯାହା ଅନ୍ୟ କୌଣସି ଉତ୍ପାଦ କରିପାରିବା ଅସମ୍ଭବ ଅଟେ। ତେବେ ଆସନ୍ତା ତିନି ବର୍ଷ ମଧ୍ୟରେ ଏହି ଉତ୍ପାଦକୁ ବଜାରରେ ଉପଲବ୍ଧ କରାଇବାର ପ୍ରୟାସ ରହିଛି ବୋଲି ଡକ୍ଟର ଲୀଲା ସୂଚନା ଦେଇଛନ୍ତି। ନିଜ ଉତ୍ପାଦ ମାଧ୍ୟମରେ ସ୍ତନ୍ୟପାନର ଏକ ବିକଳ୍ପ ସୃଷ୍ଟି କରିବା ତାଙ୍କର ପ୍ରୟାସ ବୋଲି ସେ କହିଛନ୍ତି ଏବଂ ତାଙ୍କ ଉତ୍ପାଦ ଦ୍ୱାରା ସ୍ତନ୍ୟପାନକୁ ବନ୍ଦ କରିବାର ତାଙ୍କର କୌଣସି ଲକ୍ଷ୍ୟ ନଥିବା ସେ ସ୍ପଷ୍ଟ କରିଛନ୍ତି।