ରାଜ୍ୟରେ ଦ୍ରୁତ ଗତିରେ ବ୍ୟାପୁଛି ଆଖିଧରା ରୋଗ, ଜାଣନ୍ତୁ, କେମିତି ବର୍ତ୍ତିବେ ଓ କ'ଣ କରିବେ କ'ଣ କରିବେ ନାହିଁ

 
Akhidhara

ବର୍ଷାଦିନର ଆଗମନ ହେବା ସହିତ ରାଜ୍ୟରେ ବିଭିନ୍ନ ପ୍ରକାର ସଂକ୍ରାମକ ରୋଗ ପ୍ରଭାବ ବିସ୍ତାର କରିବାରେ ଲାଗିଛି। ରାଜ୍ୟରେ ଆଖିଧରା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଭୁବନେଶ୍ବର, କଟକ ସମେତ ଯାଜପୁର, ବାଲେଶ୍ବର ଓ ଅନ୍ୟ ଜିଲ୍ଲାରେ ବହୁ ସଂଖ୍ୟକ ଲୋକେ ଏହି ରୋଗରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳୁଛି। 

conjunctiva

ବିଶେଷଜ୍ଞମାନଙ୍କ କହିବା ମୁତାବକ ଆଖିଧରା ରୋଗ ଏକ ପ୍ରକାର ସଂକ୍ରାମକ ରୋଗ ଅଟେ। ଚଳିତ ମାସ ଅତି ଗୁରୁତ୍ୱପୂର୍ଣ୍ଣ ରହିଥିବା ମଧ୍ୟ କୁହାଯାଉଛି। ସାଧାରଣତଃ ଋତୁ ପରିବର୍ତ୍ତନ ହେବା ସହିତ ହିଁ ଆଖି ଧରା ରୋଗ ଦେଖିବାକୁ ମିଳିଥାଏ। କେବଳ ସେତିକି ନୁହେଁ ବରଂ ଏଡିନୋ ଭୂତାଣୁ ହେତୁ ହିଁ ଏଭଳି ରୋଗ ବ୍ୟାପୁଥିବା ବିଶେଷଜ୍ଞମାନେ ମତ ରଖିଛନ୍ତି। 

conjunctiva

ଏହି ଭୂତାଣୁ କେବଳ ଆଖି ଧରା ନୁହେଁ, ଅନ୍ୟ ରୋଗ ଯଥା ନିଶ୍ବାସ ପ୍ରଶ୍ବାସ ଜନିତ ସମସ୍ୟା ଓ ନିମୋନିଆ ଆଦି ରୋଗ ସୃଷ୍ଟି କରିଥାଏ। ଆଖିଧରା ରୋଗ ସାଧାରଣତଃ ୫-୭ ଦିନ ପର୍ଯ୍ୟନ୍ତ ରହିଥାଏ। ଆଖି ଧରିଲେ ଆଖିରେ ପୋଡ଼ା ଜଳା ହେବା, ଲାଲ ପଡିବା ଏବଂ ଫୁଲା ରହିବା ଭଳି ସମସ୍ୟା ଦେଖା ଦେଉଥାଏ। ଏହି ରୋଗ ଦ୍ୱାରା ସଂକ୍ରମିତ ହୋଇଥିଲେ ପରିଷ୍କାର ପରିଚ୍ଛନ୍ନତାକୁ ବିଶେଷ ଗୁରୁତ୍ବ ଦେବା ସହିତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ।

ଚଷମା ପିନ୍ଧୁଥିଲେ, ନିୟମିତ ସଫା କରନ୍ତୁ। ସୁଇମିଂ ପୁଲ୍ କିମ୍ବା ପୋଖରୀରେ ମୁହଁ ବୁଡ଼ାନ୍ତୁ ନାହିଁ। ଆଖିରେ କସ୍ମେଟିକ୍ ଓ କଣ୍ଟାକ୍ଟ ଲେନ୍ସ ବ୍ୟବହାର କରନ୍ତୁ ନାହିଁ। ଆଖି ଧରିଲେ, ପରିଷ୍କାର କପଡ଼ାକୁ ଉଷୁମ ପାଣିରେ ପକାଇ ଆଖି ପୋଛନ୍ତୁ। ଡାକ୍ତରଙ୍କ ବିନା ପରାମର୍ଶରେ ଆଖିରେ କୌଣସି ଔଷଧ ପକାନ୍ତୁ ନାହିଁ। ଆଖିଧରାରେ ଆକ୍ରାନ୍ତ ବ୍ୟକ୍ତିଙ୍କର ରୁମାଲ, ତଉଲିଆ, ତକିଆ କିମ୍ବା ସେ ବ୍ୟବହାର କରୁଥିବା ଆଇ ଡ୍ରପ ଅନ୍ୟମାନେ ବ୍ୟବହାର କରିବା ଉଚିତ୍ ନୁହେଁ।