ସାବଧାନ ! ବ୍ଲାକ୍ ଫଙ୍ଗସ୍ ପରେ ଆସୁଛି ଆଭାସ୍କୁଲାର୍ ନେକ୍ରୋସିସ୍, ପଙ୍ଗୁ ହୋଇଯାଉଛନ୍ତି ଲୋକେ, ଜାଣନ୍ତୁ ଏହାର ଲକ୍ଷଣ….

 
Bone death

ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଉଥିଲେ ହେଁ କରୋନା ଜନିତ ମୃତ୍ୟୁସଂଖ୍ୟା ଏବେ ମଧ୍ୟ ଚିନ୍ତାଜନକ ଅଵସ୍ଥାରେ ରହିଛି। ସେହିପରି କରୋନା ରୁ ସୁସ୍ଥ ହେଉଥିବା ଲୋକମାନଙ୍କ ଠାରେ ଏହାର ପରବର୍ତ୍ତୀ ଜଟିଳତାକୁ ନେଇ ଚିନ୍ତା ପ୍ରକଟ କରିଛି ସ୍ୱାସ୍ଥ୍ୟ ବିଭାଗ। ପ୍ରଥମେ ମ୍ୟୁକରମାଇକୋଶିଷ ଅଥବା କଳା କବକ ସାମ୍ନାକୁ ଆସିଥିବା ବେଳେ ଏବେ ଚିନ୍ତା ବଢ଼ାଇଛି (Avascular necrosis- AVN) ଅଥବା ବୋନ୍ ଡେଥ୍ ରୋଗ।

ଏହି ରୋଗ ହେବା ଦ୍ୱାରା ଶରୀରରେ ଯେ କୌଣସି ହାଡ଼ର କୋଷ ଗୁଡିକରେ ରକ୍ତ ପ୍ରବାହ ବନ୍ଦ ହୋଇଯାଇଥାଏ। ଫଳରେ ହାଡ଼ରେ ନେକ୍ରୋସିସ୍ ବୃଦ୍ଧି ପାଇଥାଏ ଯାହା ହାଡ଼କୁ ଧୀରେ ଧୀରେ ତରଳାଇବା ଆରମ୍ଭ କରିଥାଏ। ପ୍ରାଥମିକ ଅବସ୍ଥାରେ ଏହି ରୋଗର ସେପରି କିଛି ଲକ୍ଷଣ ଦେଖାଯାଉନଥିଲେ ମଧ୍ୟ ପରେ ହାଡ଼ରେ ଭୀଷଣ ପୀଡ଼ା ଅନୁଭବ ହୋଇଥାଏ। ସାଧାରଣତଃ ଅତ୍ୟଧିକ ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କ ଠାରେ ଏହି ରୋଗ ଦେଖାଯାଇଥାଏ କିନ୍ତୁ ବର୍ତ୍ତମାନ କରୋନାରୁ ସୁସ୍ଥ ହୋଇଥିବା କିଛି ଲୋକଙ୍କ ଠାରେ ଏହା ଦେଖା ଦେଇଛି।

ମହାରାଷ୍ଟ୍ରରେ କିଛି କରୋନା ରୋଗୀ ସୁସ୍ଥ ହେବାପରେ ତାଙ୍କ ଜଙ୍ଘ ହାଡ଼ରେ ଅସହ୍ୟ ଯନ୍ତ୍ରଣା ହୋଇଥିଲା। ସେମାନଙ୍କର MRI କରାଇବା ପରେ ବୋନ୍ ଡେଥର ମାମଲା ସାମ୍ନାକୁ ଆସିଛି। ମହାରାଷ୍ଟ୍ରରେ ଏହିପରି ତିନୋଟି ମାମଲା ସାମ୍ନାକୁ ଆସିଥିବା ବେଳେ ସମସ୍ତଙ୍କ ବୟସ ୪୦ ବର୍ଷରୁ କମ ବୋଲି ଜଣାପଡିଛି। ତେବେ ଦେଶରେ ବୋନ୍ ଡେଥର ମାମଲା ଆହୁରି ବଢ଼ିପାରେ ବୋଲି ଚିକିତ୍ସକମାନେ ଆଶା କରୁଛନ୍ତି। କରୋନାର ଚିକିତ୍ସା ବେଳେ ଲମ୍ବା ସମୟ ପର୍ଯ୍ୟନ୍ତ ବ୍ୟବହାର କରାଯାଉଥିବା ଷ୍ଟେରଏଡ୍ ହିଁ ଏହି ରୋଗର ମୂଳ କାରଣ ବୋଲି କୁହାଯାଉଛି।