ଯାହାଙ୍କୁ କରୋନା ହୋଇନି କଣ ତାଙ୍କୁ ବି ବ୍ଲାକ୍ ଫଙ୍ଗସ୍ ହୋଇପାରେ କି? ଜାଣନ୍ତୁ ଡାକ୍ତରଙ୍କ ରାୟ ଓ ଜରୁରୀ କଥା

 
Black fungus

ପୂର୍ବରୁ କରୋନା ସଂକ୍ରମଣ ଏବଂ ଏହି  ମହାମାରୀର ଦ୍ୱିତୀୟ ଲହର ଦ୍ୱାରା ପୀଡିତ ଥିବା ଭାରତ ଉପରେ ଆଉ ଏକ ରୋଗ ନିଜର କାୟା ବିସ୍ତାର କରିବାରେ ଲାଗିଛି। 'ମ୍ୟୁକର୍ ମାଇକୋସିସ୍' ଅର୍ଥାତ୍ ବ୍ଲାକ୍ ଫଙ୍ଗସ୍ ନାମକ ଏହି ରୋଗର ସଂକ୍ରମଣ ଦିନକୁ ଦିନ ବଢୁଛି। 

ତେବେ ସାଧାରଣତଃ ଏହି ସଂକ୍ରମଣ କୋଭିଡ଼ ସଂକ୍ରମିତ ଏବଂ କୋଭିଡ଼ ଠାରୁ ଭଲ ହୋଇସାରିଥିବା ଲୋକମାନଙ୍କ ଠାରେ ଦେଖା ଯାଉଥିବା ବେଳେ ବର୍ତ୍ତମାନ, କରୋନା ସଂକ୍ରମିତ ହୋଇନଥିବା ଲୋକଙ୍କୁ ମଧ୍ୟ ବ୍ଲାକ୍ ଫଙ୍ଗସ୍ ଆକ୍ରାନ୍ତ କରିପାରେ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। ଏଥିସହିତ ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଏବଂ ସୁଗାର, କିଡନୀ କିମ୍ବା ହୃଦ ରୋଗ ଦ୍ୱାରା ପୀଡ଼ିତ ଲୋକମାନେ ଅଧିକ ସଜାଗ ରହିବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି।

ଏହାକୁ ନେଇ ନୀତି ଆୟୋଗ ସ୍ୱାସ୍ଥ୍ୟ ବିଭାଗ ସଦସ୍ୟ ଭି.କେ ପାଲ କହିଛନ୍ତି ଯେ, "ଏହା ଏକ ସଂକ୍ରମଣ ଯାହାକୁ କୋଭିଡ ପୂର୍ବରୁ ଚିହ୍ନଟ କରାଯାଇଛି। ଏହା ମଧୁମେହରେ ପୀଡିତ ଲୋକଙ୍କୁ ଅଧିକ ସଂକ୍ରମିତ କରୁଥିବା ବେଳେ, ଅନିୟନ୍ତ୍ରିତ ମଧୁମେୟ ଏବଂ ଅନ୍ୟ କେତେକ ରୋଗର ମିଶ୍ରଣ ହେତୁ ଏହି ସଂକ୍ରମଣ ସୃଷ୍ଟି ହୋଇଥାଏ।"

ଏଥିସହିତ ଏହି ରୋଗର ଗମ୍ଭୀରତା ବିଷୟରେ ଡକ୍ଟର ପାଲ କହିଛନ୍ତି ଯେ ଏହା କେତେକ ସମୟରେ ରକ୍ତଚାପର ସ୍ତରକୁ ୭୦୦-୮୦୦ ଯାଏଁ ପହଞ୍ଚାଇ ଦେଇଥାଏ,ରୋଗୀର ଏହି ଅବସ୍ଥାକୁ କେଟୋଏସିଡୋସିସ୍ ବୋଲି କୁହାଯାଏ, ଏହାସହ ବ୍ଲାକ ଫଙ୍ଗସ୍ ନିମୋନିଆ ପରି ଅନ୍ୟ ରୋଗର ବିପଦକୁ ମଧ୍ୟ ବଢ଼ାଇଥାଏ।

ସାଧାରଣତଃ ଶିଶୁ କିମ୍ବା ବୟସ୍କ ବ୍ୟକ୍ତିଙ୍କଠାରେ ଏହି ସଂକ୍ରମଣ ଦେଖାଯାଉଥିବା ବେଳେ କିନ୍ତୁ କୋଭିଡ ବିନା, ଅନ୍ୟ କୌଣସି ରୋଗ ଥିଲେ ମଧ୍ୟ ମଣିଷକୁ ଏହା ଆକ୍ରାନ୍ତ କରିପାରିବ। ଏଥି ସହିତ, AIIMS ର ଡାକ୍ତର ନିଖିଲ ଟଣ୍ଡନ୍ କହିଛନ୍ତି ଯେ ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ, ସେମାନେ ଏହି ସଂକ୍ରମଣ ପାଇଁ ଅଧିକ ବିପଦରେ ଥିବାବେଳେ,ସୁସ୍ଥ ଲୋକଙ୍କୁ ବ୍ଲାକ୍ ଫଙ୍ଗସ୍ ବିଷୟରେ ବେସି ଚିନ୍ତା କରିବା ଦରକାର ନାହିଁ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ଏହି ରୋଗରେ ୯୦୦୦ ରୁ ଅଧିକ ସଂକ୍ରମିତ ହୋଇସାରିଥିବା ବେଳେ, ଅନେକ ରାଜ୍ୟ ବ୍ଲାକ୍ ଫଙ୍ଗସକୁ ମହାମାରୀ ଘୋଷଣା କରିସାରିଛନ୍ତି।