ଟିଭିରେ ଓଡ଼ିଆ ଝିଅଙ୍କୁ ଅପମାନ ଦେଉଥିବା ରଜକ୍ୱିନ୍ ଜଜଙ୍କ ଧଜିଆ ଉଡ଼ାଇଲେ ସୁଲଗ୍ନା, କହିଲେ ଏ ବେହିଆ ଜଜମାନେ ହେଉଛନ୍ତି..

 
Raja queen

ଓଡ଼ିଆ ଟିଭି ଚ୍ୟାନେଲ୍ ଜୀ ସାର୍ଥକ୍ ରେ ପ୍ରସାରିତ ହେଉଥିବା ରିଆଲିଟି ଶୋ "ରଜ କୁଇନ୍" କୁ ନେଇ ଉଠିଛି ଜୋରଦାର୍ ବିବାଦ। ଏହି ରିଆଲିଟି ଶୋରେ ଯେଉଁଭଳି ଭାବରେ ଝିଅମାନଙ୍କୁ ଏଣୁତେଣୁ ପ୍ରଶ୍ନ ପଚାରି ଅପମାନିତ କରା ଯାଉଅଛି ସେଥିନେଇ ବିଭିନ୍ନ ମହଲରୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏଭଳି ପରିସ୍ଥିତିରେ ରଜ କୁଇନ୍ ଏବଂ ଏଥିରେ ଥିବା ଜଜ୍ ମାନଙ୍କ ଉପରେ ବର୍ଷିଛନ୍ତି ଲେଖିକା ସୁଲଗ୍ନା ମହାନ୍ତି। ଏଥିନେଇ ସେ ନିଜର ଫେସବୁକ ଅକାଉଣ୍ଟ "ସୁଲଗ୍ନା ଟକ୍ସ" ରେ ଏକ ପୋଷ୍ଟ ସେୟାର କରିଥିଲେ। ଏଥିରେ ସୁଲଗ୍ନା କହିଛନ୍ତି ଯେ, ରଜ କ୍ୱିନ, ରଜ ସୁନ୍ଦରୀ ଏଗୁଡା କେବେ ଟିଭିରେ ଦେଖିନି ମୁଁ। ହେଲେ ଆଜିକାଲି ଫେସବୁକରେ ସେଇ କାର୍ଯ୍ୟକ୍ରମ ଗୁଡିକର ପ୍ରତିଯୋଗୀଙ୍କର ବହୁତ  ଟ୍ରୋଲ୍ ଭିଡିଓ ଦେଖୁଛି। ସବୁ ସେଇ ଝିଅଙ୍କ କଥା କହୁଛନ୍ତି ହେଲେ ମୁଁ ଆଜି ଟିକେ ସେ ବେହିଆ ଅଭଦ୍ର ବିଚାରକ ମାନଙ୍କ କଥା କହିବି। ସେ ଝିଅ ଗୁଡାକ ତ ମୂର୍ଖ, ପାଠଶାଠ ପଢି ବି ଗଧିଙ୍କ ଭଳି ଦୁଇ କେ ଦଶ କହି ନିଜ ଘର, ଗାଁ, ସ୍କୁଲ, କଲେଜ, ଜିଲ୍ଲାର ନାଁ ତଳେ ପକଉଛନ୍ତି।

ହେଲେ ସେ ଅସଭ୍ୟ ଜଜ୍ ଗୁଡ଼ାଙ୍କର ଏତେ ଫୁଟାଣି କୋଉ କଥା ପାଇଁ? ସେ ଝିଅମାନଙ୍କୁ ଏତେ ଅପମାନ ଏତେ ବେଜିତ କରିବାର ଅଧିକାର ସେ ଅଶିଷ୍ଟ ଜଜ୍ ମାନଙ୍କୁ ଦେଇଛି କିଏ? ଏମିତି ଆଟିଚୁଟ ଦେଖେଇ ପ୍ରଶ୍ନ ପଚାରୁଛନ୍ତି ଯେମିତି ନିଜେ କୌନ ବନେଗା କରୋଡପତିରୁ ସାତ କୋଟି ଜିତିକି ଆସିଛନ୍ତି। 

ଆଉ ଗୋଟେ ଦେଖିଲି ଯଦି କୋଉ ପ୍ରତିଯୋଗୀ ପ୍ରଶ୍ନର ଠିକ ଉତ୍ତର ଦେଇଦେଲା ତାହେଲେ ଜଜ୍ ମାନଙ୍କ ମୁହଁ ଶୁଖିଯାଉଛି। ସେଇ ପ୍ରତିଯୋଗୀକୁ ସେମାନେ ପ୍ରଶ୍ନ ପଚାରି ଚାଲୁଛନ୍ତି ଯେପର୍ଯ୍ୟନ୍ତ ସେ ଭୁଲ ଉତ୍ତର ନ ଦଉଚି ଆଉ ତା'ପରେ ସେମାନେ ୟାକୁ ବି ଟିକେ ବେଜିତ କରିଦଉଛନ୍ତି। ସତେ ଯେମିତି ଏମାନଙ୍କୁ ବିଚାରକ ହେବାର ପଇସା ନୁହେଁ ବରଂ ପ୍ରତିଯୋଗୀଙ୍କୁ ଅପମାନ କରିବା ପାଇଁ ପାରିଶ୍ରମିକ ମିଳୁଛି।

ଏପରି ଭାବରେ ଅନେକ କଥା କହି ସୁଲଗ୍ନା ରଜ କୁଇନ୍ ଏବଂ ଏହାର ଜଜ୍ ମାନଙ୍କୁ ଖୁବ ଟ୍ରୋଲ କରିଥିଲେ। କେବଳ ଏତିକି ନୁହେଁ ସାଧାରଣ ଲୋକେ ମଧ୍ୟ ସୁଲଗ୍ନାଙ୍କୁ ଏଥିପାଇଁ ସାବସି ଦେବା ସହ ତାଙ୍କ କଥାରେ ଏକମତ ହୋଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ରଜ କୁଇନ୍ ଶୋରେ ଝିଅମାନଙ୍କୁ ଅପମାନ କରାଯାଉଥିବା ନେଇ ବିଭିନ୍ନ ମହଲରୁ ଜୀ ସାର୍ଥକ ଚ୍ୟାନେଲ ବିରୁଦ୍ଧରେ ସ୍ୱର ଉଠିଛି।