ଦେଖନ୍ତୁ ଭିଡ଼ିଓ: ପିଣ୍ଟୁଙ୍କ ଦେହାନ୍ତ ପରେ ଭୋ ଭୋ ହୋଇ କାନ୍ଦିଲେ ରାନୀ, କହିଲେ- ମୁଁ ତାଙ୍କୁ ଲିଭର୍ ଦେଇଥାନ୍ତି ହେଲେ...

ଓଡିଆ ଅଭିନେତା ପିଣ୍ଟୁ ନନ୍ଦଙ୍କ ଦେହାନ୍ତ ଓଲିଉଡ଼ ଇଣ୍ଡଷ୍ଟ୍ରି ଉପରେ ଏକ ଶୋକର ଛାୟା ଖେଳିଯାଇଛି । କିନ୍ତୁ 47 ବର୍ଷ ବୟସରେ କେହି ଭାବି ନଥିଲେ ଯେ ପିଣ୍ଟୁ ସମସ୍ତଙ୍କୁ ଛାଡିଦେବେ। ବୁଧବାର ରାତି 11:25 ରେ ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ଦେହାନ୍ତ ହୋଇଛି ।
ସେ ଲିଭର ସିରୋସିସ୍ ରୋଗରେ ପୀଡିତ ଥିବାରୁ ଚିକିତ୍ସିତ ହେଉଥିଲେ । ତାଙ୍କୁ ହାଇଦ୍ରାବାଦ, ଭୁବନେଶ୍ୱର ଏବଂ ଶେଷରେ ଦିଲ୍ଲୀର ଯଶୋଦା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଯକୃତ ପ୍ରତିରୋପଣ ପାଇଁ କୌଣସି ଦାତା ମିଳିଲା ନାହିଁ । ଦୁର୍ଭାଗ୍ୟବଶତଃ ପିଣ୍ଟୁ ନନ୍ଦ ଗତ ରାତିରେ ଚିକିତ୍ସା ଅବସ୍ଥାରେ ନିଶ୍ୱାସ ତ୍ୟାଗ କରିଥିଲେ ।
ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ ପିଣ୍ଟୁଙ୍କ ମୃତ୍ୟୁକୁ ନେଇ ଗଭୀର ଦୁଃଖ ପ୍ରକାଶ କରି କାନ୍ଦୁଥିଲେ । ସେ କହିଥିଲେ, 'ମୋର ଭାଇ ମୋତେ ପ୍ରତିଶୃତି ଦେଇଥିଲେ ଯେ ମୁଁ ଭଲ ହେବା ପରେ ଫେରିବି । ମୋର ମଧ୍ୟ ଭଗବାନଙ୍କ ଉପରେ ବିଶ୍ୱାସ ଥିଲା ଯେ ମୋ ଭାଇ ଭଲରେ ରହିବେ । ତା’ପରେ ଭାଇ ଆମ ସମସ୍ତଙ୍କୁ ପ୍ରତାରଣା କଲେ । ସେ ଆମ ସମସ୍ତଙ୍କୁ ଛାଡି ଚାଲିଗଲେ । ମୁଁ କେବେ ଭାବି ନଥିଲି ମୋ ଭାଇ ଆମକୁ ଛାଡିଦେବେ । ମୁଁ ଭିକ ମାଗି ଟଙ୍କା ଉଠାଇଲି । ଏବଂ ମୁଁ ଭାବିଲି ମୋ ଭାଇ ବଞ୍ଚିବେ । ଆଜି ଭାଇ ଆଉ ଆମ ସହିତ ନାହାଁନ୍ତି' କହି ରାଣୀ କାନ୍ଦୁଥିଲେ ।
ତେବେ ପିଣ୍ଟୁଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ବଢାଇବାରେ ରାନୀ ପ୍ରିୟଦର୍ଶିନୀଙ୍କ ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଥିଲା । ତାଙ୍କୁ ଭୁବନେଶ୍ୱର ବିମାନବନ୍ଦରରେ ଭିକ ମାଗି ଟଙ୍କା ସଂଗ୍ରହ କରୁଥିବା ଦେଖିବାକୁ ମିଳିଥିଲା ।