ଏମିତି ଥିଲା ମାୟା ଦାସ ଓ ଅଜିତ୍ ଦାସଙ୍କ ପ୍ରେମ କାହାଣୀ, ମାୟା ବାପାଙ୍କ ପସନ୍ଦ ନଥିଲେ ଅଜିତ ତାପରେ ଉଭୟେ...

 
ଏମିତି ଥିଲା ମାୟା ଦାସ ଓ ଅଜିତ୍ ଦାସଙ୍କ ପ୍ରେମ କାହାଣୀ, ମାୟା ବାପାଙ୍କ ପସନ୍ଦ ନଥିଲେ ଅଜିତ ତାପରେ ଉଭୟେ...

୨୦୨୦ କଳାକାର ଜଗତ ପାଇଁ ଅଶୁଭ ସାବ୍ୟସ୍ତ ହୋଇଛି। ବିଜୟ ମହାନ୍ତିଙ୍କ ପରେ ଅଜିତ୍ ଦାସ ମଧ୍ୟ ଦୁନିଆରୁ ବିଦାୟ ନେଇଛନ୍ତି। କରୋନା ସହ ସଂଘର୍ଷ କରି ଆଖି ବୁଜିଛନ୍ତି ଅଜିତ୍ ଦାସ। ତେବେ ପତ୍ନୀ ମାୟା ଦାସଙ୍କ ସହ ତାଙ୍କ ପ୍ରେମ ଥିଲା କିଛି ନିଆରା। ଉଭୟ ପ୍ରେମ ବିବାହ କରିଥିଲେ। ଅଜିତ ଯେବେ ଏନ୍‌ଏସ୍‌ଡିରେ ପଢ଼ୁଥିଲେ, ମାୟା ଦାସ ଦିଲ୍ଲୀ ଡ୍ୟାନ୍‌ସ କୋରିଓଗ୍ରାଫ ଇନଷ୍ଟିଚ୍ୟୁଟ୍‌ରୁ ନୃତ୍ୟ ଶିଖୁଥିଲେ। ଏହି ସମୟରେ ଦେଖାସାକ୍ଷାତରୁ ଦୁହେଁ ଭଲ ବନ୍ଧୁ ପାଲଟି ଯାଇଥିଲେ। ୧୯୭୬ରେ ମାୟାଙ୍କୁ ବିବାହ କଲେ। 

ମାୟା କର୍ଣ୍ଣାଟକୀ ଥିଲେ। ସେ ନୃତ୍ୟଶିଳ୍ପୀ ଥିଲେ, ଅଜିତ୍‌ ଦାସ ଆମିଷ ଖାଉଥିବାରୁ ମାୟାଙ୍କ ଘରେ ତାଙ୍କୁ ଗ୍ରହଣ କରିବା ପାଇଁ ଅରାଜି ଥିଲେ। ବିବାହ ପରେ ଆମିଷ ନ ଖାଇବା ପାଇଁ ମଧ୍ୟ ମାୟା ସର୍ତ୍ତ ରଖିଥିଲେ। ତେବେ ମାୟାଙ୍କୁ ଜୀବନ ସାଥୀଭାବେ ପାଇବାକୁ ଅଜିତ ଆମିଷ ଛାଡ଼ିବାକୁ ରାଜି ହୋଇଯାଇଥିଲେ। ଅଜିତ କେବଳ ନିର୍ଦ୍ଦେଶନା ଶିକ୍ଷା ଉପରେ ଗୁରୁତ୍ୱ ଦେଉଥିବାବେଳେ ମାୟା ଅନ୍ୟ ସମସ୍ତ କାମ ବୁଝାଶୁଝା କରୁଥିଲେ। ମାୟାଙ୍କୁ ଜୀବନସାଥୀ ରୂପେ ପାଇ ନିଜକୁ ଭାଗ୍ୟବାନ୍‌ ବୋଲି କହୁଥିଲେ ଅଜିତ।

ଚଳଚ୍ଚିତ୍ର ଅପେକ୍ଷା ମଞ୍ଚ ଅଭିନୟକୁ ଅଧିକ ପସନ୍ଦ କରୁଥିଲେ ଅଜିତ। ଓଡ଼ିଆ କଥା ସାହିତ୍ୟର ଅନେକ ଗଳ୍ପ, ଉପନ୍ୟାସକୁ ସେ ନାଟକରେ ରୂପାନ୍ତରିତ କରିଥିଲେ। ‘ରେବତୀ’, ‘ମାମୁଁ’, ‘ଲଚ୍ଛମା’, ‘ବୁଢାଶଙ୍ଖାରୀ’ ଭଳି ବହୁ ନାଟକ ତାଙ୍କ ନିର୍ଦ୍ଦେଶନାରେ ମଞ୍ଚସ୍ଥ ହୋଇଥିଲା। ନାଟକର ସଙ୍ଗୀତ ମଧ୍ୟ ସେ ନିଜେ ଲେଖୁଥିଲେ, ଯାହାକି ତାଙ୍କ ନାଟକର ବିଶେଷତ୍ୱ ଥିଲା। ଖୁବ୍‌ କମ୍‌ ନାଟକରେ ସେ ଅଭିନୟ କରିଥିଲେ ମଧ୍ୟ ତାଙ୍କ ନିର୍ଦ୍ଦେଶିତ ବହୁ ନାଟକ ରହିଛି।