ବର୍ଷାଙ୍କ ପାଇଁ ପୁଣି କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ବର୍ଷାଙ୍କୁ ନେଇ ପୁଣି କହିଲେ ଏମିତି କଥା

 
ବର୍ଷାଙ୍କ ପାଇଁ ପୁଣି କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ବର୍ଷାଙ୍କୁ ନେଇ ପୁଣି କହିଲେ ଏମିତି କଥା

ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସମ୍ପର୍କରେ ସୃଷ୍ଟି ହୋଇଥିବା ଫାଟ ଭରିବାର ନାଁ ଧରୁନି। ଦୁହେଁ ଦୁହିଁଙ୍କ ଉପରେ ଦୋଷ ଲଦାଲଦି ହେଉଛନ୍ତି। ଉଭୟଙ୍କ ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଥିବା ବେଳେ ବର୍ଷା ପ୍ରିୟଦର୍ଶନୀଙ୍କ ପକ୍ଷରୁ ହୋଇଥିବା ପାରିବାରିକ ହିଂସା ମାମଲାକୁ ନେଇ ପୁଣି କୋର୍ଟରେ ହାଜର ହୋଇଛନ୍ତି ସ୍ୱାମୀ ଅନୁଭବ ମହାନ୍ତି। କଟକ ଏସଡିଜେଏମ କୋର୍ଟରେ ହାଜର ହୋଇ ଅନୁଭବ ଜବାବ ଦାଖଲ ପାଇଁ ସମୟ ମାଗିଛନ୍ତି।

ତେବେ ଏହି ମାମଲାର ପରବର୍ତ୍ତୀଶୁଣାଣି ଡିସେମ୍ବର ୧୮କୁ ଧାର୍ଯ୍ୟ କରାଯାଇଛି। ସୂଚନାଯୋଗ୍ୟ ଅନୁଭବ ମହାନ୍ତି ସ୍ତ୍ରୀ ବର୍ଷାଙ୍କ ନାଁ ରେ କହିଥିଲେ ଯେ, ବର୍ଷା ଭଲ ବୋହୂ ହେବାରେ ବିଫଳ ହୋଇଛନ୍ତି। ଶାଶୁଘର ଲୋକଙ୍କୁ ସେ ପସନ୍ଦ କରନ୍ତିନି। ଏବଂ ବାହାଘର ପରଠୁ ଅନୁଭବଙ୍କ ଠାରୁ ସବୁବେଳେ ଦୂରେଇ ରହିବାକୁ ଚେଷ୍ଟା କରିଛନ୍ତି। ଏଥିପାଇଁ ସେ ଛାଡପତ୍ର ଦେବାକୁ କୋର୍ଟ ଯାଇଥିଲେ। ଅନ୍ୟପଟେ ବାହାଘର ପରେ ତାଙ୍କ ସହ ଅତ୍ୟାଚାର ଓ ନିର୍ଯାତନା ହୋଇଥିବା ଅଭିଯୋଗ ଆଣି କୋର୍ଟ ଯାଇଥିଲେ ବର୍ଷା । ମଦ୍ୟପାନ କରିବା, ବିରୋଧ କଲେ ବାଡ଼େଇବା ଏମିତିକି ଗୋଇଠା ମାରନ୍ତି ବୋଲି ବର୍ଷା ଅଭିଯୋଗ ଆଣିଥିଲେ। 

ଏହା ବ୍ୟତୀତ କିଛି ଦିନ ତଳେ ଅନୁଭବଙ୍କ ମା ଥାନାର ଦ୍ୱାରସ୍ଥ ହୋଇ ବର୍ଷାଙ୍କ ନାଁ ଅଭିଯୋଗ ଆଣିଥିଲେ। ତେବେ ଶାଶୂ- ବୋହୂଙ୍କ ପରସ୍ପର ବିରୋଧୀ ମତ ମନ୍ତବ୍ୟ ଏବେ ପୁରୀଘାଟ ଥାନାରେ। ବର୍ଷା ଶାଶୂଘର ଛାଡି ଯାଉନଥିବା ଅନୁଭବଙ୍କ ମା ଅଭିଯୋଗ କରିଥିଲେ। ଅଭିଯୋଗରେ ମଧୁସ୍ମିତା ମହାନ୍ତି କହିଛନ୍ତି, ପୁରୁଣା ଘରର ମରାମତି ପାଇଁ ବର୍ଷାଙ୍କୁ ୧୦ ଦିନ ପାଇଁ ଘର ଛାଡିବାକୁ କହିଥିଲେ। ହେଲେ ବର୍ଷା ଘର ଛାଡୁ ନ ଥିବା ଅନୁଭବଙ୍କ ମା କହିଛନ୍ତି। ୧୦ ଦିନ ଲାଗି ବାପଘରକୁ ଯିବାକୁ ବର୍ଷାଙ୍କୁ କୁହାଗଲେ ବି ସେ ଯାଉନଥିବା ଅଭିଯୋଗରେ ଦର୍ଶାଇଛନ୍ତି ମଧୁସ୍ମିତା।